କୋଭିଡ ମୃତ୍ୟୁ ପ୍ରମାଣପତ୍ର ନେଇ ଏମିତି ଗାଇଡ ଲାଇନ ଆଣିଲେ କେନ୍ଦ୍ର ସରକାର

Advertisment
କୋଭିଡ ମୃତ୍ୟୁ ପ୍ରମାଣପତ୍ର ନେଇ ଏମିତି ଗାଇଡ ଲାଇନ ଆଣିଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : କୋଭିଡରେ ମୃତ୍ୟୁ ହୋଇଥିଲେ ସେମାନଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବାରମ୍ବାର ତାଗିଦ କରିଆସୁଥିବା ବେଳେ କେଉଁ ମାନଙ୍କୁ କୋଭିଡ ମୃତ୍ୟୁ ଗଣନାରେ ସାମିଲ କରାଯିବା ତାହାକୁ ନେଇ କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଥିବା ନେଇ ସୁପ୍ରିମକୋର୍ଟକୁ ସୂଚନା ଦେଇଛନ୍ତି ।

କେନ୍ଦ୍ର ସରକାର ଜାରି କରିଥିବା ମାର୍ଗଦର୍ଶିକା ମୁତାବକ କୋଭିଡ-୧୯ ଦ୍ୱାରା ଆକ୍ରାନ୍ତ ହେବାର ୩୦ ଦିନ ମଧ୍ୟରେ ମୃତ୍ୟୁ ହୋଇଥିଲେ ତାହାକୁ ‘କୋଭିଡ ମୃତ୍ୟୁ’ ଭାବେ ବିବେଚନା କରାଯିବ । କୋଭିଡ ମୃତ୍ୟୁ ସଂପର୍କରେ ସରକାରୀ କାଗଜପତ୍ର ପ୍ରସ୍ତୁତ କରିବା ଲାଗି ସେପ୍ଟେମ୍ବର ୩ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ ମିଳିତ ଭାବେ ନୂଆ ମାର୍ଗ ଦର୍ଶିକା ଜାରି କରିଥିବା କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ।

ନୂତନ ମାର୍ଗଦର୍ଶିକା ଅନୁସାରେ, କୋଭିଡ୍‌-୧୯ ପରୀକ୍ଷାରେ ପଜିଟିଭ୍ ଜଣାପଡ଼ିବାର ୩୦ ଦିନ ମଧ୍ୟରେ କୌଣସି ଡାକ୍ତରଖାନା କିଂବା ‘ଇନ୍‌-ପେସେଣ୍ଟ୍‌ ଫେସିଲିଟି’ରେ ଘଟୁଥିବା ମୃତ୍ୟୁକୁ ‘କୋଭିଡ୍‌-୧୯ ହେତୁ ମୃତ୍ୟୁ’ ବୋଲି ବିବେଚନା କରାଯିବ।

ଏହାଛଡ଼ା, ୩୦ରୁ ଅଧିକ ଦିନ ଧରି କୌଣସି ଡାକ୍ତରଖାନା କିଂବା ‘ଇନ୍‌-ପେସେଣ୍ଟ୍‌ ଫେସିଲିଟି’ରେ ଭର୍ତ୍ତି ହୋଇଥିବା କୌଣସି କୋଭିଡ୍‌-୧୯ ରୋଗୀଙ୍କର ପରେ ପରେ ସେଠାରେ ମୃତ୍ୟୁ ଘଟିଲେ ବି ତାହାକୁ କୋଭିଡ୍‌-୧୯ଜନିତ ମୃତ୍ୟୁ ବୋଲି ଧରାଯିବ।

କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁସାରେ, କୋଭିଡ୍‌ ଆକ୍ରାନ୍ତ ଥାଇ ମଧ୍ୟ ବିଷକ୍ରିୟା, ଆତ୍ମହତ୍ୟା, ହତ୍ୟା ଓ ଦୁର୍ଘଟଣା ଆଦିରେ ଘଟିଥିବା ମୃତ୍ୟୁକୁ ‘କୋଭିଡ୍‌ ମୃତ୍ୟୁ’ ଭାବେ ପରିଗଣିତ କରାଯିବ ନାହିଁ।

‘ମେଡିକାଲ୍‌ ସାର୍ଟିଫିକେଟ୍‌ ଅଫ୍ କଜ୍ ଅଫ୍‌ ଡେଥ୍‌’ (ଏମ୍‌ସିସିଡି)ରେ ଦର୍ଶାଯାଇଥିବା ମୃତ୍ୟୁର କାରଣରେ ଯଦି କୌଣସି ପରିବାର ସନ୍ତୁଷ୍ଟ ନ ହୁଅନ୍ତି ଏବଂ ତାହା ଉପରୋକ୍ତ କୌଣସି ବର୍ଗଭୁକ୍ତ ନ ହୋଇ ଥାଏ, ସେ କ୍ଷେତ୍ରରେ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇ ମୃତ୍ୟୁର କାରଣ ନିର୍ଦ୍ଧାରଣ କରାଯିବ।

କୋଭିଡ୍‌-୧୯ରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ମିଳୁଥିବା ସରକାରୀ କାଗଜପତ୍ର ସବୁକୁ ସରଳିକରଣକରି ଗାଇଡ୍‌ଲାଇନ୍‌ ଜାରି କରିବାକୁ ସୁପ୍ରିମ୍‌ କୋର୍ଟ ନିର୍ଦେଶ ଦେବା ପରେ କେନ୍ଦ୍ର ସରକାର ନୂଆ ଗାଇଡ୍‌ଲାଇନ୍ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe