କନକ ବ୍ୟୁରୋ: ଗଂଜାମ ଜିଲ୍ଲା ସୋରଡା ଥାନା ବରାଡି ନିକଟ ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଏମ୍କେସିଜିରେ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ମୃତକମାନେ ସୋରଡା, ଅସୁରବନ୍ଧ ଓ ଦୁଲାଡ ଗାଁର । ଏକ ବାଇକରେ ୩ ଜଣ ଅସୁରବନ୍ଧ ଠାରୁ ସୋରଡା ଆସୁଥିଲେ । ବିପରୀତ ଦିଗରୁ ବିଦ୍ୟୁତ ବିଭାଗର ୩ ଜଣ କର୍ମଚାରୀ ଗୋଟିଏ ସ୍କୁଟିରେ ଆସୁଥିବା ବେଳେ ବରାଡି ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ଉଦ୍ଧାର କରି ସୋରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ୪ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଜଣଙ୍କ ଜୀବନ ଯାଇଛି । କୁହୁଡି ପଡୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।