କନକ ବ୍ୟୁରୋ: ରାଉରକେଲାରେ ଡାଇରିଆ ନେଲା ଆଉ ଏକ ଜୀବନ । ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଡାଇରିଆରେ ମୃତ୍ୟୁ ସଂଖ୍ୟା ଛୁଇଁଛି ୭ । ମୃତକ ହେଉଛନ୍ତି, ସେକ୍ଟର ୨୧ର ସରୋଜିନୀ ଖଣ୍ଡାଇତ ।
ଏବେ ଜିଲ୍ଲାର ସରକାରୀ ହସ୍ପିଟାଲ ସମେତ ବିଭିନ୍ନ ଘରୋଇ ହସ୍ପିଟାଲରେ ଆକ୍ରାନ୍ତ ମାନେ ଭର୍ତ୍ତି ହୋଇଛନ୍ତି । ସରକାରୀ ହସ୍ପିଟାଲରେ କେବଳ ୧୦୦ରୁ ଅଧିକ ଚିକିତ୍ସାଧୀନ ଥିବା ଜଣାପଡିଛି । ଦିନକୁ ଦିନକୁ ସ୍ଥିତି ବିଗୁଡ଼ୁଥିବାରୁ ସଂକ୍ରମଣ ରୋକିବାକୁ ତତ୍ପର ହୋଇଛି ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ । ରାଉରକେଲା ମହାନଗର ନିଗମ୍ ପକ୍ଷରୁ ୧୨ଟି ସ୍ୱାସ୍ଥ୍ୟଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ବସ୍ତି ଓ କଲୋନି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନ କରୁଛନ୍ତି ଓ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି । ଦରକାର ପଡ଼ିଲେ ସଂକ୍ରମଣ ରୋଗୀଙ୍କୁ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ।
ପାନପୋଷ ଉପଜିଲ୍ଲାପାଳ ବିଜୟ ନାୟକଙ୍କ ନେତୃତ୍ୱରେ ଗଠିତ ଟିମ୍ ସହରର ବିଭିନ୍ନ ବସ୍ତି ଓ କଲୋନି ପାଇପ ଯୋଗେ ଯୋଗାଣ ହେଉଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଧରଣୀ ରଞ୍ଜନ ଶତପଥୀ କହିଛନ୍ତି, ଖାଦ୍ୟ କିମ୍ବା ପାଣିରୁ ବ୍ୟାପୁଛି କି ନାହିଁ ସ୍ପଷ୍ଟ ହୋଇନି । ସମସ୍ତ ରୋଗୀଙ୍କୁ ଆବଶ୍ୟକୀୟ ଚିକିତ୍ସା ଯୋଗାଇ ଦିଆଯାଉଛି । ସମସ୍ତ ଘରୋଇ ହସ୍ପିଟାଲକୁ ବେଡ ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆବଶ୍ୟକ ଡାକ୍ତର ଓ ନର୍ସିଂ କର୍ମଚାରୀ ମଧ୍ୟ ବଢ଼ାଯାଇଛି ।