ଭୟଙ୍କର ହେଉଛି ଯୁଦ୍ଧ : ଇସ୍ରାଏଲ ଓ ପାଲେଷ୍ଟାଇନ ସ୍ଥିତି ଗମ୍ଭୀର, ୧୧୦୦ରୁ ଅଧିକ ନିହତ; ପରିସ୍ଥିତି ନିୟନ୍ତ୍ରଣରେ ନଥିବା କହିଲେ ଇସ୍ରାଏଲ ସେନା

177

କନକ ବ୍ୟୁରୋ : ଇସ୍ରାଏଲ ଓ ପାଲେଷ୍ଟାଇନର ଉଗ୍ରବାଦୀ ସଂଗଠନ ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହି ଯୁଦ୍ଧରେ ଦୁଇ ଦେଶର ହଜାରେରୁ ଅଧିକ ପ୍ରାଣ ହରାଇଛନ୍ତି । ଶନିବାର ସକାଳଠୁ ହମାସ ପ୍ରଥମେ ରକେଟ୍ ମାଡ କରିବା ପରେ ପ୍ରତିଆକ୍ରମଣ କରିଛି ଇସ୍ରାଏଲ । ହମାସ ଆକ୍ରମଣରେ ଇସ୍ରାଏଲର ୭୦୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ୨୦୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହା ବ୍ୟତୀତ ୧୦୦ ଜଣ ଲୋକଙ୍କୁ ଅପହରଣ କରାଯାଇଛି ।

ଅନ୍ୟପକ୍ଷରେ ଇସ୍ରାଏଲ ସେନା ଦ୍ୱାରା ହୋଇଥିବା ଆକ୍ରମଣରେ ପାଲେଷ୍ଟାଇନର ୪୦୦ ଲୋକ ପ୍ରାଣ ହରାଇଛନ୍ତି ଏବଂ ୨୨୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ରବିବାର ଇସ୍ରାଏଲର ଦକ୍ଷିଣ ସହର ଆଡକୁ ୧୦୦ଟି ରକେଟ୍ ଫିଙ୍ଗିଥିବା ହମାସ୍ ଦାବି କରିଛି । ରକେଟ୍ ଆକ୍ରମଣ ଯୋଗୁଁ କିଛି ଲୋକ ଆହତ ହୋଇଥିଲେ । ଦକ୍ଷିଣ ଇସ୍ରାଏଲର ଓଫାକିମ ସହରରେ ହମାସ ଇସ୍ରାଏଲର ଯବାନଙ୍କୁ ବନ୍ଧକ ରଖିଥିଲା । ରବିବାର ସେମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତିନି ଜଣ ଇସ୍ରାଏଲ ଯବାନ ଥିଲେ । ସେମାନେ ସାମାନ୍ୟ ଆହତ ହୋଇଥିଲେ । ଯେଉଁମାନେ ବନ୍ଧକ ରଖିଥିଲେ ସେମାନଙ୍କୁ ହତ୍ୟା କରିଛି ଇସ୍ରାଏଲ ସେନା ।

ଇସ୍ରାଏଲ ପ୍ରତିରକ୍ଷା ବାହିନୀ କହିଛି ଯେ ହମାସ ଆତଙ୍କବାଦୀମାନେ ଇସ୍ରାଏଲ ଭିତରେ ରହି ଆକ୍ରମଣ ଚଳାଇଛନ୍ତି । ସେନା ପକ୍ଷରୁ ସେମାନଙ୍କୁ ନିପାତ କରିବା ଲାଗି କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଗାଜା ସୀମାକୁ ଲାଗି ରହିଥିବା ଇସ୍ରାଏଲ ସମେତ ଓଫାକିମ୍, ସ୍‌ଡେରୋଟ୍, ୟାଦ ମୋର୍ଦେଚାଇ, କଫର ଆଜା, ବିରି, ୟାତିଦ ଓ କିସୁଫିମ ଅଞ୍ଚଳରେ ସଂଘର୍ଷ ଚାଲିଥିବା ଜଣାପଡ଼ିଛି । ଉତ୍ତର ଇସ୍ରାଏଲର ସୀମାନ୍ତ ଅଞ୍ଚଳକୁ ଲେବାନନରୁ ମୋର୍ଟାର୍ ମାଡ଼ କରାଯାଇଥିଲା । ଲେବନାନର ଇସଲାମିକ ସଂଗଠନ ହେଜବୁଲ୍ଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ଇସ୍ରାଏଲ ସେନା ହେଜବୁଲ୍ଲା ପୋଷ୍ଟକୁ ଟାର୍ଗେଟ କରି ରକେଟ୍ ଜରିଆରେ ଏହାର ଜବାବ ଦେଇଥିଲା । ଲେବାନନର ଆକ୍ରମଣକୁ ଦୃଷ୍ଟିରେ ରଖି ଇସ୍ରାଏଲର ଉତ୍ତରରେ ଥିବା ବାସିନ୍ଦାମାନଙ୍କୁ ବୋମା ଆଶ୍ରୟସ୍ଥଳୀ ନିକଟରେ ରହିବାକୁ କୁହାଯାଇଥିଲା ।

ଦକ୍ଷିଣ ଇସ୍ରାଏଲର ଅନେକ ସ୍ଥାନରେ ରକେଟ୍ ସାଇରନ୍ ବାଜିବାରେ ଲାଗିଛି । ଇସ୍ରାଏଲ ସେନାର ଜଣେ ମୁଖପାତ୍ର କହିଛନ୍ତି ଯେ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନାହିଁ । ଗାଜାରେ ଇସ୍ରାଏଲର ଆକ୍ରମଣ ଯୋଗୁଁ ଗାଜା ସିଟିର ୱତନ ଟାୱାର, ଅଲ-ଆକ୍ଲୁକ୍ ଟାୱାର ଏବଂ ମାତର ଆବାସିକ କୋଠା ସମେତ ଅନେକ ଆବାସିକ କୋଠା ଧ୍ବଂସ ହୋଇଛି । ଉତ୍ତେଜନା ଭିତରେ ଇସ୍ରାଏଲ ସରକାର ଗାଜା ଷ୍ଟ୍ରିପ୍‌କୁ ବିଜୁଳି ଯୋଗାଣ ବନ୍ଦ କରିଦେଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ ଇସ୍ରାଏଲ ଏକ ଲମ୍ବା ଏବଂ କଠିନ ଯୁଦ୍ଧ ଆରମ୍ଭ କରୁଛି ଏବଂ ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ଏହା ଜାରି ରହିବ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲକୁ ୮ ବିଲିୟନ ଡଲାର ମୂଲ୍ୟର ଜରୁରିକାଳୀନ ସାମରିକ ସହାୟତା ପ୍ୟାକେଜକୁ ଅନୁମୋଦନ କରିଛନ୍ତି । ବାଇଡେନ ଶନିବାର ନେତାନ୍ୟାହୁଙ୍କ ସହ କଥାବାର୍ତ୍ତା କରି ଇସ୍ରାଏଲର ଆତ୍ମରକ୍ଷା ଅଧିକାରକୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି।