ରାଜ୍ୟରେ ବଢିଛି ସଡକ ଦୁର୍ଘଟଣାଜନିତ ମୃତ୍ୟୁ ହାର । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ପ୍ରଥମ ତିନି ମାସରେ ୮.୮୭ ପ୍ରତିଶତ ବଢିଲା ଦୁର୍ଘଟଣାଜନିତ ମୃତ୍ୟୁ ।

128

କନକ ବ୍ୟୁରୋ : ରାଜ୍ୟରେ ପ୍ରତିବର୍ଷ ବଢୁଛି ସଡକ ଦୁର୍ଘଟଣା ଓ ଦୁର୍ଘଟଣା ଜନିତ ମୃତ୍ୟୁ ହାର । ଓଡିଶା କ୍ରାଇମବ୍ରାଞ୍ଚର ତଥ୍ୟରୁ ଜଣା ପଡିଛି ଗତବର୍ଷ ଅପେକ୍ଷା ଚଳିତବର୍ଷ ପ୍ରଥମ ୩ ମାସରେ  ୮ ଦଶମିକ ୮୭ ପ୍ରତିଶତ ବଢିଛି ଦୁର୍ଘଟଣା ଜନିତ ମୃତ୍ୟୁ ହାର । ଗତବର୍ଷ ଅର୍ଥାତ ୨୦୨୦ ଜନୁଆରୀରୁ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୩ ହଜାର ୨୨୫ଟି ସଡକ ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୧ ହଜାର ୩୫୩ ଜଣ । ହେଲେ ଚଳିତବର୍ଷ ଆରମ୍ଭରୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୧ ହଜାର ୪୭୩ ଜଣ । ତେବେ ଦୁଇବର୍ଷରେ ରାଜ୍ୟର ମୟୁରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ବରଗଡ, ବଲାଙ୍ଗିର, ବୌଦ୍ଧ, କଟକ, ଜଗତସିଂହପୁର, କୋରାପୁଟ ଓ ନବରଙ୍ଗପୁରରେ ସର୍ବାଧିକ ଦୁର୍ଘଟଣା ମୃତ୍ୟୁ ରେକର୍ଡ କରାଯାଇଛି ।

 ତେବେ ପୂରା ବର୍ଷକୁ ବିଚାରକୁ ନେଲେ ୨୦୧୯ ତୁଳନାରେ ୨୦୨୦ରେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା କମିଥିଲା । ୨୦୧୯ରେ ମୋଟ୍ ୫ ହଜାର ୩୩୩ ଜଣଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବାବେଳେ ୨୦୨୦ରେ ଏହି ସଂଖ୍ୟା ଥିଲା ୪ ହଜାର ୭୩୮ ।   ଲକଡାଉନ ପାଇଁ ଗାଡି ଚଳାଚଳ କମ ଥିବାରୁ ଏହି ସଂଖ୍ୟା ହ୍ରାସ ପାଇଥିଲା ।