ଫାଶୀର ବିକଳ୍ପ କ’ଣ ? କିଭଳି କମ ଯନ୍ତ୍ରଣାରେ ମୃତ୍ୟୁ ଦଣ୍ଡ ଦେଇ ହେବ ? ସୁପ୍ରିମକୋର୍ଟରେ ପକ୍ଷ ରଖିଲେ କେନ୍ଦ୍ର ସରକାର

99

କନକ ବ୍ୟୁରୋ : ମୃତ୍ୟୁଦଣ୍ଡ ପାଇଁ ଫାଶୀର ବିକଳ୍ପ ଆଣିବାକୁ ଦାବି କରି ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିବା ବେଳେ ମଙ୍ଗଳବାର ଏହା ଉପରେ ଶୁଣାଣୀ ହୋଇଛି । କୋର୍ଟରେ ନିଜର ଜବାବ ରଖିଛନ୍ତି କେନ୍ଦ୍ର ସରକାର । ଫାଶୀର ବିକଳ୍ପ କ’ଣ ? କିଭଳି କମ ଯନ୍ତ୍ରଣାରେ ମୃତ୍ୟୁ ଦଣ୍ଡ ଦେଇ ହେବ ? ଏହା ଉପରେ ବିଚାର କରିବାକୁ ସରକାର ଏକ କମିଟି ଗଠନ ପାଇଁ ଚିନ୍ତା କରୁଥିବା କୋର୍ଟଙ୍କୁ ଜଣାଇଛନ୍ତି । ବିଶେଷଜ୍ଞ ଟିମର ପରାର୍ମଶ କ୍ରମେ ଫାଶୀର ବିକଳ୍ପ ଖୋଜାଯିବ ।

ଆଗାମୀ ଶୁଣାଣୀ ଜୁଲାଇ ମାସରେ ହେବ । ଆଇନଜୀବୀ ଋଷି ମାଲୋହୋତ୍ରା ଜନସ୍ୱାର୍ଥ ଆବେଦନ ରୁଜୁ କରିଥିଲେ । ଆବେଦନକାରୀ କହିଥିଲେ ଫାଶୀ ଏକ କ୍ରୁର ଦଣ୍ଡ ଓ ଅମାନବୀୟ । ବିଶ୍ୱର ଅଧିକାଂଶ ଦେଶମାନଙ୍କରେ ଫାଶୀଦଣ୍ଡକୁ ବନ୍ଦ କରାଯାଇଛି । ଭାରତରେ ଏହା ବିକଳ୍ପ ଯଥାଶିଘ୍ର ଅଣାଯିବା ଆବଶ୍ୟକ । ଫାଶୀ ବଦଳରେ ଅନ୍ୟ କିିଛି ଉପାୟରେ ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ନିଜ ଆବେଦନରେ କହିଥିଲେ ଆବେଦନକାରୀ । ମାର୍ଚ୍ଚ ୨୧ରେ ସୁପ୍ରିମକୋର୍ଟ ଶୁଣାଣୀ କରି କେନ୍ଦ୍ର ସରକାରଙ୍କୁ ଏନେଇ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ।