ଜଗାକୁ ଦେଖି ଜୀବନ ହାରିଲେ । କଳ୍ପବଟ ମୂଳରେ ଚାଲିଗଲା ବୃଦ୍ଧଙ୍କ ପ୍ରାଣବାୟୁ

64

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିସରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳେ ନୟାଗଡ଼ରୁ ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କ ସହିତ ଶ୍ରୀଜିଉଙ୍କୁ ଦର୍ଶନ କରିବାକୁ ଆସିଥିଲେ। ସପରିବାର ବୃଦ୍ଧ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ଦର୍ଶନ ପରେ ଅପରାହ୍ନରେ ପ୍ରବଳ ଖରା ହେବାରୁ ବୃଦ୍ଧଙ୍କ ମୁଣ୍ଡ ବୁଲାଇ ପକାଇଥିଲା। ସେ ଶ୍ରୀମନ୍ଦିର ପରିସରରେ ଥିବା କଳ୍ପବଟ ମୂଳେ ଛାଇସ୍ଥାନ ଦେଖି ବିଶ୍ରାମ ନେଇଥିଲେ ଓ ଧୀରେ ଧୀରେ ଶୋଇପଡ଼ିଥିଲେ।

କିଛି ସମୟ ପରେ ପରିବାର ଲୋକ ତାଙ୍କୁ ଡାକି ଥିଲେ। କିନ୍ତୁ ସେ ଉଠି ନ ଥିଲେ କି ହଲଚଲ ବି ହୋଇ ନଥିଲେ। ଏହାପରେ ସଙ୍ଗେସଙ୍ଗେ ବୃଦ୍ଧଙ୍କୁ ପରିବାରଲୋକେ ପୁରୀ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ନାମ ଅଜୟ କୁମାର ଦାସ ଓ ତାଙ୍କ ଘର ନୟାଗଡ଼ ବୋଲି ଜଣାପଡ଼ିଛି। ସେ ଜଣେ ଅବସରପ୍ରାପ୍ତ ଫୁଡ୍ ଇନସ୍ପେକ୍ଟର ।

ଶ୍ରୀମନ୍ଦିର ପରିସରରେ ଏଭଳି ଘଟଣା ଘଟିବାର ଖବର ମିଳିବା ପରେ ଚାରିଆଡେ ଚହଳ ପଡି ଯାଇଥିବା ବେଳେ କେହି କେହି ଏହି ଘଟଣାକୁ ସକାରାତ୍ମକ ବୋଲି ଆଲୋଚନା କରୁଛନ୍ତି ଓ ଅଜୟ କୁମାର ଦାସଙ୍କ ସୌଭାଗ୍ୟ ବୋଲି କୁହାଯାଉଛି। କିଛିଦିନ ତଳେ ଶ୍ରୀମନ୍ଦିର ବାହାରେ ଥିବା ରଥକାଠ ଉପରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା।