ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ‘ସାରା’ । ୧୯ ବର୍ଷ ବୟସରେ ମୃତ୍ୟୁବରଣ କଲା ନାଲି ରଙ୍ଗର ବାଘୁଣୀ ।

Advertisment
ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ ‘ସାରା’ । ୧୯ ବର୍ଷ ବୟସରେ ମୃତ୍ୟୁବରଣ କଲା ନାଲି ରଙ୍ଗର ବାଘୁଣୀ ।

କନକ ବ୍ୟୁରୋ: ନନ୍ଦନକାନନରେ ଆଖି ବୁଜିଲା ବାଘୁଣୀ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସବୁଠାରୁ ବୟସ୍କା ତଥା ସାଧାରଣ ନାଲି ରଙ୍ଗର ବାଘୁଣୀ ‘ସାରା’ର ମୃତ୍ୟୁ ହୋଇଛି। ତେବେ ମୃତ୍ୟୁ ବେଳକୁ ତାକୁ ୧୯ ବର୍ଷ ବୟସ ହୋଇଥିଲା। ମିଳିଥିବା ସୂନଚା ମୁତାବକ, ଗତକାଲିଠାରୁ ତାର ଅବସ୍ଥା ସଙ୍କଟାପନ୍ନ ହୋଇଥିଲା। ସେ ରହୁଥିବା ବାଘ ସଫାରୀର ଖାଦ୍ୟଗ୍ରହଣ କକ୍ଷ ମଧ୍ୟରେ ଗୋଟିଏ ଜାଗାରେ ଶୋଇ ରହି ଦୀର୍ଘଶ୍ଵାସ ଛାଡୁଥିଲା । ଏମିତି କି ଖାଦ୍ୟ ଓ ପାନୀୟ ମଧ୍ୟ ଗ୍ରହଣ କରୁନଥିଲା । ଏହାପରେ ତାକୁ ସାଲାଇନ୍ ଲଗାଇ ରଖାଯାଇଥିଲା ।

ସୂଚନାଯୋଗ୍ୟ ଯେ, ବାଘୁଣୀ ସାରା ବୁଢୀ ହୋଇଯାଇଥିବାରୁ ତାକୁ ୩ ବର୍ଷ ହେଲା ବାଘ ସଫାରୀର ଖାଦ୍ୟଗ୍ରହଣ କକ୍ଷରେ ଚିକିତ୍ସାଧିନ ଅବସ୍ଥାରେ ରଖାଯାଇ ଆସୁଥିଲା। ତାକୁ ନିୟମିତ ଭାବେ ଖାଦ୍ୟ ଓ ପାନୀୟରେ ଭିଟାମିନ ଓ ରୋଗ ପ୍ରତିରୋଧକ ଔଷଧ ମିଶ୍ରିତ କରି ଖାଇବାକୁ ଦେଇ ଚିକିତ୍ସା କରାଯାଉଥିଲା।

୨୦୦୯ ମସିହା ପୂର୍ବରୁ ନନ୍ଦନକାନନର ସମସ୍ତ ବାଘ ଏକ ବଂଶୀ ବା ସମବଂଶୀ ମିଳନରୁ ଜନ୍ମିତ ହେବା କାରଣରୁ ଋଗଣ୍ ହେବା ସହ ମୃତ୍ୟୁ ବରଣ କରୁଥିବଲେ। ସମବଂଶୀ ମିଳନ ପ୍ରଥାକୁ ରୋକିବା ଲାଗି ସାରାକୁ ଗତ ୨୦୦୯ ମସିହା ଏପ୍ରିଲ୍ ୧୮ ତାରିଖରେ ୪ ବର୍ଷ ବୟସର ହୋଇଥିବା ଅବସ୍ଥାରେ ଭୋ୯ପାଳରୁ ନନ୍ଦନକାନନକୁ ଅଣାଯାଇଥିଲା। ବାଘୁଣୀ ସାରା ଭୋପାଳରେ ଗତ ୨୦୦୫ ମସିହା ଅକ୍ଟୋବର ୧୦ ତାରିଖରେ ଜନ୍ମଲାଭ କରିଥିଲା। ନନ୍ଦନକାନନକୁ ଆସିବା ପରେ ମାତ୍ର ଗୋଟିଏ ଥର ଗତ ୨୦୧୨ ମସିହା ଜାନୁଆରୀ ମାସ ୧୩ ତାରିଖରେ ଧଳା ରଙ୍ଗର ମହାବଳ ବାଘ ‘ରିଷି’ ସହ ମିଳନରୁ ୩ଟି ସାଧାରଣ ନାଲି ରଙ୍ଗର ମାଈ ଛୁଆ ଶୁଭଶ୍ରୀ,ଅଙ୍କିତା ଓ ଆଶାଙ୍କୁ ଜନ୍ମ ଦେଇଥିଲା।

ତେବେ ୨୦୧୩ ମସିହା ଜୁଲାଇ ୧୩ ତାରିଖରେ ଚନ୍ଦକା ଜଙ୍ଗଲରୁ ମହାବଳ ବାଘ ନନ୍ଦନ ଆସି ଯୁବତୀ ବାଘୁଣୀ ମେଘା ପ୍ରେମରେ ପଡି ଧରାପଡି ଯାଇଥିଲା। ମହାବଳ ବାଘ ନନ୍ଦନ ସହ ‘ସାରା’ର ମିଳନ କରାଇବାକୁ ଯୋଜନା କରାଯାଇଥିଲା। ଏମିତି କି, ନନ୍ଦନ ଓ ସାରାଙ୍କୁ ପରସ୍ପର ପ୍ରତି ଆକୃଷ୍ଟ କରାଇ ମିଳନର ସୁଯୋଗ ଦେବା ଲାଗି ପାଖ ଖୁଆଡକୁ ଲାଗି ତାର ଜାଲିର ଉଭୟ ପାର୍ଶ୍ୱରେ ରଖାଯାଇଥିଲା। ହେଲେ ପ୍ରଥମରୁ ନନ୍ଦନ ପ୍ରେମରେ ପଡିଥିବାରୁ ଯୁବତୀ ବାଘୁଣୀ ମେଘା, ୨୦୧୪ ମସିହାରେ ସାରା’ର ଆଗ ପାଦ ତା ପଟକୁ ଜାଲିରେ ବାହାରି ରହିଥିବାର ସୁଯୋଗ ନେଇ ଆକ୍ରମଣ କରିଥିଲା। ଦାନ୍ତରେ ଝୁଣି ଖିନଭିନ୍ କରି ଦେବାରୁ ସାରାକୁ ସେଠାରୁ ଚିକିତ୍ସା ପାଇଁ ଅଲଗା କରି ନେଇ ରଖାଯାଇଥିଲା। ଏହାପରେ ନନ୍ଦନ ସହ ମେଘାକୁ ମିଳନର ସୁଯୋଗ ଦିଆଯାଇଥିଲା। ହେଲେ ସେବେଠାରୁ ଆଉ ସାରାକୁ ମିଳନର ସୁଯୋଗ ମିଳି ପାରିନଥିଲା । ମିଳିଥିବା ସୂଚନା ମୁତାବକ, ନନ୍ଦନକାନନରେ ୧୫ଟି ସାଧାରଣ ନାଲି ରଙ୍ଗର, ୩ଟି ବିରଳ କଳା ଓ ୬ ଟି ଧଳା ରଙ୍ଗର ବାଘଙ୍କୁ ମିଶାଇ ମୋଟ ୨୪ ଟି ବାଘ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe