କନକ ବ୍ୟୁରୋ: ପରଲୋକରେ ବିଶିଷ୍ଟ ସିନେମା ନିର୍ମାତା ସାଧୁ ମେହେରଙ୍କ ପରଲୋକ । ୮୪ ବର୍ଷ ବୟସରେ ମୁମ୍ବାଇ ସ୍ଥିତି ବାସଭବନରେ ଦେହାନ୍ତ ହୋଇଛି । ଏକାଧିକ ଜାତୀୟ ପୁରସ୍କାର ସହ ପ୍ରଣବ ମୂଖାର୍ଜୀ ରାଷ୍ଟ୍ରପତି ଥିବା ସମୟରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ୨୦୧୧ରେ ସାଧୁ ମେହେରଙ୍କୁ ଜୟଦେବ ସମ୍ମାନରେ ମଧ୍ୟ ସମ୍ମାନୀତ କରାଯାଇଥିଲ । ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ସାଧୁ ମେହେର ପିଲାଟି ବେଳରୁ କଳା, ଅଭିନୟ ଓ ସିନେମା ପ୍ରତି ରୁଚି ରଖୁଥିଲେ । ବହୁ ଚର୍ଚ୍ଚିତ ସମ୍ବଲପୁରୀ ଫିଲ୍ମ ‘ଭୁଖା’ ଏବଂ ସବନା ଆଜମୀଙ୍କ ସହ ‘ଅଂକୁର’ ସିନେମାରେ ମଧ୍ୟ ଅଭିନୟ କରିଥିଲେ ।

Advertisment

ପଦ୍ମଶ୍ରୀ ସାଧୁ ମେହେର । ଏକାଧାରରେ ଅଭିନେତା, ନିର୍ଦ୍ଦେଶକ ଓ ଚଳଚିତ୍ର ନିର୍ମାତା । ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚିତ୍ର ଜଗତରେ ସେ ଏପରି ଛାପ ଛାଡିଛନ୍ତି, ଯାହା ଜଳଜୟୀ ହୋଇରହିଛି । ଅଶୀ ଦଶକରେ ସମାନ୍ତରାଳ ସିନେମାରେ ତାଙ୍କର ଜୀବନ୍ତ ଅଭିନୟ ଏବେ ବି ମନେ ରଖିଛନ୍ତି ଦର୍ଶକ । ୧୯୬୯ରେ ‘ଭୁବନ ସୋମ’ ହିନ୍ଦୀ ଫିଲ୍ମରୁ ସେ ଆରମ୍ଭ କରିଥିଲେ ତାଙ୍କ ଅଭିନୟ କ୍ୟାରିୟର । ପ୍ରାୟ ୫୦ ବର୍ଷ ଧରି କଳା ଜଗତରେ ସେ ସକ୍ରୀୟ ରହିଥିଲେ । ୧୯୭୪ରେ ନିର୍ମିତ ‘ଅଙ୍କୁର’ ଚଳଚିତ୍ରରେ ନିଖୁଣ ଅଭିନୟ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ତାଙ୍କୁ ମିଳିଥିଲା ଜାତୀୟ ଚଳଚିତ୍ର ପୁରସ୍କାର । କଳାକ୍ଷେତ୍ରକୁ ତାଙ୍କର ଅବଦାନ ଯୋଗୁଁ ଅନେକ ପୁରସ୍କାର ପାଇଥିବା ବେଳେ ୨୦୧୭ରେ ସାଧୁ ମେହେରଙ୍କୁ ମିଳିଥିଲା ପଦ୍ମଶ୍ରୀ ପୁରସ୍କାର । ସମ୍ବଊପୁରୀ ଫିଲ୍ମ ‘ଭୁଖା’ରେ ତାଙ୍କର କଳାତ୍ମକ ଅଭିନୟ ସମସ୍ତଙ୍କ ହୃଦୟକୁ ଛୁଇଁ ଯାଇଥିଲା ।

୨୭ଟି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ସାଧୁ ମେହେର
୬ଟି ଫିଲ୍ମରେ ଦେଇଛନ୍ତି ନିର୍ଦ୍ଦେଶନା

ସୁପରହିଟ୍ ଓଡ଼ିଆ ସିନେମା ‘ଅଭିମାନ’ରେ ନିର୍ଦ୍ଦେଶନା ଦେଇ ବେଶ ପ୍ରଶଂସିତ ହୋଇଥିଲେ ସାଧୁ ମେହେର । ୧୯୯୪ରେ ନିର୍ମିତ ‘ଗୋପରେ ବଢୁଛି କଳା କହ୍ନେଇ’ ଥିଲା ତାଙ୍କ ନିର୍ଦ୍ଦେଶିତ ଶେଷ ଚଳଚିତ୍ର ।

ଓଡିଶାର ସୁବର୍ଣ୍ଣପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ସାଧୁ ମେହେର । ତେବେ ମୁମ୍ବାଇ ଥିଲା ତାଙ୍କର କର୍ମଭୂମି । ଓଡିଶାର ଅନେକ କଳାକାରଙ୍କୁ ବଲିଉଡରେ ପରିଚତ କରାଇବାରେ ବଡ ଭୂମିକା ନେଇଥିଲେ ସେ । ତାଙ୍କର ଅବର୍ତମାନରେ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ବିୟୋଗ କଳା ଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।