ଡିଜେଲ ଇଂଜିନ ଆବିଷ୍କାରକଙ୍କ ମୃତ୍ୟୁ: ଏବେବି ଏକ ରହସ୍ୟ!

222
କନକ ବ୍ୟୁରୋ: ଦୁନିଆଁରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯାହାଙ୍କ ମୃତ୍ୟୁ ଏବେବି ରହସ୍ୟମୟ ହୋଇ ରହିଛି ।ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଡିଜେଲ ଇଂଜିନର ଆବିଷ୍କାରକ ରୁଡୋଲ୍ଫ ଡିଜେଲ । ତାଙ୍କ ମୃତ୍ୟୁକୁ କେହି ହତ୍ୟା ତ କେହି ଆତ୍ମହତ୍ୟା କହୁଥିବାବେଳେ ଏବେବି ତାଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି ।

ରୁଡୋଲ୍ଫ ଡିଜେଲ ବେଲଜିୟମରୁ ହାର୍ଭିକ(ଇଂଲଣ୍ଡ) ଯାଉଥିଲେ । ଇଲଂଣ୍ଡର ଏକ ଜାହାଜ କମ୍ପାନୀର ଇଂଜିନ ନିର୍ମାଣକାରୀ କମ୍ପାନୀ ସହ ତାଙ୍କର ବୈଠକ ଥିଲା । ହେଲେ ହଠାତ୍ ସେ ଡ୍ରେସଡେନ ନାମକ ଜାହାଜରୁ ନିଖୋଜ ହୋଇଯାଇଥିଲେ ରୁଡେଲ୍ଫ ।ରାତି ପ୍ରାୟ ୧୦ଟା ବେଳେ ରାତି ଭୋଜନ ସାରି ଶୋଇବାକୁ ଯାଇଥିଲେ । ସକାଳ ସାଢେ ୬ଟାରେ ତାଙ୍କୁ ଉଠିବାକୁ ଥିଲା । ହେଲେ ଆଉ ଉଠିନଥିଲେ କି ତାଙ୍କ ବେଡରେ ବି ନଥିଲେ । ବେଡ ଉପରେ ତାଙ୍କ ଟୋପି ଠାରୁ ଆରମ୍ଭ କରି ନାଇଟ୍ କୋଟ୍, ଚଷମା, ଘଣ୍ଟା ସବୁକିଛି ଠିକଠାକ ରହିଥିଲା  ।ହେଲେ ନଥିଲେ ରୁଡୋଲ୍ଫ ।  ନିଖୋଜ ହେବାର ପାଖାପାଖି ୧୧ଦିନ ପରେ ଇଂଲିସ ଚ୍ୟାନେଲରୁ ଏକ ମୃତଦେହ ମିଳିଥିଲା ।  ରୁଡୋଲ୍ଫ ୧୯୧୩ ସେପ୍ଟେମ୍ବର ୨୯ ତାରିଖରୁ ନିଖୋଜ ହୋଇଥିବାବେଳେ ଅକ୍ଟୋବର ୧୦ ତାରିଖରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହି ମୃତଦେହ ଯାଞ୍ଚ କରିବାରୁ ତାହା ଡିଜେଲ ଇଂଜିନ କ୍ଷେତ୍ରରେ ବିପ୍ଳବ ଆଣିଥିବା ରୁଡୋଲ୍ଫ ଡିଜେଲଙ୍କର ବୋଲି ଜଣାପଡିଥିଲା ।

ରୁଡୋଲ୍ଫଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ଆନୁଷ୍ଠାନିକ ଭାବେ ତାଙ୍କ ମୃତ୍ୟୁକୁ ଆତ୍ମହତ୍ୟା ବୋଲି ଘୋଷଣା କରାଯାଇଥିଲେ ବି ଅନେକ ଏହାକୁ ଅସ୍ୱୀକାର କରିଛନ୍ତି । ଅନେକ ତାଙ୍କର ମୃତ୍ୟୁକୁ ହତ୍ୟା ବୋଲି ମଧ୍ୟ ଦାବି କରିଥିଲେ । ୧୮୯୭ ଫେବୃଆରୀ ୨୮ ତାରିଖରେ ରୁଡୋଲ୍ଫ  ନିଜର ଡିଜେଲ ଇଂଜିନର ଔପଚାରିକ ଲୋକାର୍ପଣ କରିବା ପରେ ଗମନାଗମନ କ୍ଷେତ୍ରରେ ଏକ ପ୍ରକାର ବିପ୍ଳବ ଦେଖାଦେଇଥିଲା । ପ୍ରଥମେ ରୁଡୋଲ୍ଫ ଏହି ଇଂଜିନରେ ଭେଜିଟେବଲ ଅଏଲ ବ୍ୟବହାର କରୁଥିଲେ ବି ପରେ ପେଟ୍ରୋଲ ଠାରୁ ଶସ୍ତା ଥିବା ଏକ ପ୍ରକାର ତରଳ ଇନ୍ଧନ ପକାଇ ପରୀକ୍ଷା କରିଥିଲେ । ଏଥିରେ ଷ୍ଟାର୍ଟ ହୋଇଥିଲା ଇଂଜିନ୍ । ଫଳରେ ଏହାର ନାମ ଡିଜେଲ ଇଂଜିନ ରଖାଯାଇଥିଲା । ବାଷ୍ପ ଇଂଜିନ ପାଇଁ ଏହା ଏକ ବଡ ଚ୍ୟାଲେଂଜ ଥିଲା ।  ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ଏହି ଇଂଜିନର ବହୁଳ ବ୍ୟବହାର ପରିବହନ କ୍ଷେତ୍ରରେ ବିପ୍ଳବ ଆଣିଥିଲା ।