କନକ ବ୍ୟୁରୋ: ହାଇଟେକ୍ ହସ୍ପିଟାଲରେ ବିସ୍ଫୋରଣ ଘଟଣାରେ ମୃତ ଘୋଷିତ ଦିଲ୍ଲୀପ ବଞ୍ଚିଥିବା ଚର୍ଚ୍ଚା ବଢ଼ୁଥିବା ବେଳେ ଦ୍ୱନ୍ଦ୍ୱ ଦୂର ପାଇଁ ଡିଏନଏ ଟେଷ୍ଟ କରାଯାଇପାରେ । ଆଜି ହସ୍ପିଟାଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି । ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଦିଲ୍ଲୀପ ବୋଲି କହୁଥିବା ବ୍ୟକ୍ତି ୯୦-୯୫ ପ୍ରତିଶତ ଦିଲ୍ଲୀପ ସାମନ୍ତରାୟ ହିଁ ବୋଲି ସେ ସ୍ୱଷ୍ଟ ହେଉଛନ୍ତି । କାରଣ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଉଥିବା ପ୍ରତିଟି କଥା ସେ ଅତି ସ୍ପଷ୍ଟ ଓ ସଠିକ୍ ଭାବେ କହିପାରୁଛନ୍ତି ।

Advertisment

ଦୁର୍ଘଟଣାରେ ଗତ ୩୦ ତାରିଖରେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଦିଲ୍ଲୀପଙ୍କ ପରିବାର ଲୋକ ମୃତଦେହ ନେଇ ଅନ୍ତିମ ସଂସ୍କାର କରି ସାରିଛନ୍ତି । ଦିଲ୍ଲୀପଙ୍କ ମୃତ୍ୟୁ ପରେ ଭାଙ୍ଗି ପଡ଼ିଥିବା ତାଙ୍କ ପତ୍ନୀ ସୌମ୍ୟାଶ୍ରୀ ଆତ୍ମହତ୍ୟା ବି କରିଦେଇଛନ୍ତି । ଏପଟେ ବିସ୍ଫୋରଣରେ ଗୁରୁତର ହୋଇଥିବା ଦୁଇ ଜଣ ସୀମାଞ୍ଚଳ ବିଶ୍ୱାଳ ଓ ଜ୍ୟୋତିରଞ୍ଜନ ମଲ୍ଲିକଙ୍କୁ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ଗତକାଲି ସେମାନଙ୍କୁ ଭେଣ୍ଟିିଲେଟରରୁ ବାହାର କରାଯାଇଛି । ହେଲେ ଜ୍ୟୋତିରଞ୍ଜନ ନାଁରେ ଯିଏ ଚିକିତ୍ସିତ ହେଉଥିଲେ ସେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଛନ୍ତି । ସେ ମାନସିକ ଭାରସାମ୍ୟ ହରାଇ ନିଜକୁ ଦିଲ୍ଲୀପ କହୁଥିବା ଭାବି ମନସ୍ତତ୍ୱବିତ୍ଙ୍କୁ ଡକାଯାଇ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା । ଏହା ପରେ ହସ୍ପିଟାଲ ପକ୍ଷରୁ ପରିବାର ସଦସ୍ୟଙ୍କୁ ଡକାଯାଇଥିଲା । ପରିବାର ସଦସ୍ୟଙ୍କ ଉପସ୍ଥିତିରେ ରୋଗୀ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି ପରିଚୟ ଦେବା ସହ ଦିଲ୍ଲୀପଙ୍କ ସମ୍ପର୍କରେ ପଚରା ଯାଇଥିବା ସବୁ ପ୍ରଶ୍ନର ଉତର ଦେଉଛନ୍ତି । ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେବା ସହ ପରିବାର ଲୋକଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି । ଏପଟେ ନିଜକୁ ଦିଲ୍ଲୀପ ବୋଲି ଏବେ ପରିଚୟ ଦେଉଥିବା ବ୍ୟକ୍ତି ଜ୍ୟୋତିରଂଜନ ବୋଲି ତାଙ୍କ ପରିବାର ଲୋକ କହୁଛନ୍ତି । ଯାହା ଅଧିକ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

ଏଠି ପ୍ରଶ୍ନ ଉଠୁଛି ଏପରି ଏକ ଦୁଃଖଦ, ସ୍ପର୍ଶକାତର ଘଟଣା ପାଇଁ ଦାୟୀ କିଏ? ଯଦି ପ୍ରକୃତରେ ନିଜକୁ ଦିଲ୍ଲୀପ ସାମନ୍ତରାୟ ବୋଲି କହୁଥିବା ବ୍ୟକ୍ତିଙ୍କ କଥା ସତ ହୁଏ ତେବେ ମୃତଦେହ ଚିହ୍ନଟରେ ଏପରି ଗୁରୁତର ତ୍ରୁଟି ହେଲା କିପରି? କେଉଁ ଭଳି ପରିସ୍ଥିତିରେ ଏପରି ଦ୍ୱନ୍ଦ୍ୱ ଉପୁଜିଲା? ଘଟଣା ପଛରେ କାହାରା ଅବହେଳା ରହିଲା? ହସ୍ପିଟାଲ କର୍ତ୍ତୃପକ୍ଷ, ରେଫ୍ରିଜେସନ୍ ଏଜେନ୍ସି ନା ପରିବାର ଲୋକ? ଦିଲ୍ଲୀପଙ୍କ ପତ୍ନୀଙ୍କ ମୃତ୍ୟୁ ପାଇଁ ଦାୟୀ କିଏ? କାହା ଭୁଲ ପାଇଁ ଚାଲିଗଲା ଜୀବନ? ଏବେ ଏପରି ଅନେକ ପ୍ରଶ୍ନ ଛିଡା ହୋଇଛି । ଏବେ ଘଟଣାର ତଦନ୍ତ କରିବ ପୋଲିସ । ପୋଲିସର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।