ଏମିତି ବି ହୁଏ ! ସ୍ତ୍ରୀ ପୋଛି ଦେଇଥିଲା ମଥାରୁ ସିନ୍ଦୂର , କିନ୍ତୁ ଦଶାହ ପୂର୍ବରୁ ଘରେ ପହଞ୍ଚିଲା ସ୍ୱାମୀ

46

କନକ ବ୍ୟୁରୋ : ରାଜ୍ୟରେ କର୍ମନିଯୁକ୍ତି ଅଭାବ ଯୋଗୁଁ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି ଅନେକ ଶ୍ରମିକ । ପେଟପାଟଣା ପାଇଁ ରାଜ୍ୟ ବାହାରେ ଖଟୁ ଥିବା ବେଳେ କେହି କେହି ଘରକୁ ଫେରନ୍ତି, ତ ଆଉ କାହାର ମୃତଦେହ ଫେରେ । ବେଳେ ବେଳେ ଦାଦନ ଶ୍ରମିକଙ୍କ ନିଖୋଜ ଖବର ସାମ୍ନାକୁ ଆସେ । ହେଲେ ଆଜି ଦାଦନ ସଂପର୍କିତ ଏମିତି ଏକ ଖବର ଆପଣଙ୍କ ସାମ୍ନାରେ ରଖିବୁ ଯାହା ଆପଣଙ୍କୁ ତାଜୁବ୍ କରିଦେବ ।

ହାତରୁ ସ୍ତ୍ରୀ ଭାଙ୍ଗି ଦେଇଥିଲା ଶଙ୍ଖା, ମଥାରୁ ପୋଛି ଦେଇଥିଲା ସିନ୍ଦୁର । କିନ୍ତୁ ନିୟତିର ଖେଳ ବୋଧହୁଏ କିଛି ଅଲଗା ଥିଲା । କାରଣ ଯାହା ପାଇଁ ହାତରୁ ଶଙ୍ଖା ଓ ମଥାରୁ ସିନ୍ଦୁର ପୋଛି ଦେଇଥିଲେ ସେ ପୁଣିଥରେ ଘରକୁ ଫେରିଥିଲେ । ଦଶାହ ପୂର୍ବରୁ ଘରକୁ ଫେରିଲେ ମୃତ ଘୋଷିତ ଦାଦନ । ଆନ୍ଧ୍ର ପ୍ରଦେଶରେ ଦାଦନ ଖଟୁଥିବା ଶ୍ରମିକଙ୍କ ମୃତ୍ୟୁ ଖବର ଶୁଣି ଗାଁକୁ ଫେରିଥିଲେ ସ୍ତ୍ରୀ ଓ ଝିଅ । ଗାଁରେ ମୃତ ଦାଦନଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଦଶାହ କର୍ମକୁ ଦିନଟିଏ ବାକି ଥିବା ବେଳେ ଗାଁରେ ପହଞ୍ଚିଲେ ମୃତ ଘୋଷିତ ଶ୍ରମିକ । ଆଉ ସ୍ୱାମୀଙ୍କୁ ଜୀବିତ ଦେଖି ଖୁସିରେ ଆତ୍ମହରା ହୋଇଯାଇଥିଲେ ସ୍ତ୍ରୀ ।

ନବରଙ୍ଗପୁର ଉମରକୋଟ ବ୍ଲକ କସରାଭଟା ଗାଁର ଲଛିନ୍ଧର ଗଣ୍ଡ, ସ୍ତ୍ରୀ ଓ ଝିଅ ସହ ଆନ୍ଧ୍ରପ୍ରଦେଶରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ । ତେବେ ଲଛିନ୍ଧର କାମକୁ ଯାଇଥିବା ବେଳେ ହଠାତ୍ ନିଖୋଜ ହୋଇଯାଇଥିଲେ । ୪ ଦିନ ନିଖୋଜ ରହିବା ପରେ ଘରକୁ ଆସିଥିଲା ଦାଦନଙ୍କ ମୃତ୍ୟୁ ଖବର । ଲଛନ୍ଧରଙ୍କ ସ୍ତ୍ରୀ ଓ ପିଲା ଗାଁକୁ ଫେରି ତାଙ୍କ ମୃତ୍ୟୁ ଖବର କହିଥିଲେ । ଏହାପରେ ତାଙ୍କର ଶୁଦ୍ଧିକ୍ରିୟା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ତେବେ ଏକାଦଶାହର ୨ ଦିନ ଆଗରୁ ଘରକୁ ଫେରିଛନ୍ତି ମୃତ ଘୋଷିତ ଦାଦନ ।

ନିଜ ଅଂଚଳରେ କାମ ନପାଇ ନବରଙ୍ଗପୁର ଜିଲ୍ଲାର ବହୁ ଶ୍ରମିକ ରାଜ୍ୟ ବାହାରେ ଦାଦନ ଖଙ୍କୁଛନ୍ତି । ତେବେ ପଂଚାୟତରେ ବହୁ କାମ ପଡିଥିଲେ ସୁଦ୍ଧା ଲୋକ ବାହାର ରାଜ୍ୟକୁ କାମ ଖୋଜିବା ପାଇଁ ଯାଉଛନ୍ତି । ଯାହା ବାବଦରେ ପ୍ରଶାସନ ଜାଣି ମଧ୍ୟ ଅଜଣା ରହିଛି ।