କନକ ବ୍ୟୁରୋ: ଜୀବନକୁ କାଳ ହେଉଛି ଦୁର୍ଘଟଣା । ଦିନକୁ ଦିନ ଦୁର୍ଘଟଣାରେ ଅନେକ ଜୀବନ ଝାଉଁଳି ପଡୁଛି । ରାସ୍ତା ଦୁର୍ଘଟଣାରେ ସବୁଦିନ କିଛି ନା କିଛି ଜୀବନ ଯାଉଥିବା ବେଳେ ଦୈବୀ ଦୁର୍ଘଟଣାରେ ଯାଉଛି ସର୍ବାଧିକ ଜୀବନ । ଓଡିଶାରେ ପ୍ରାକୃତିକ ବିପର୍ଯ୍ୟୟ ଓ ଦୈବୀ ଦୁର୍ବିପାକରେ ଅନେକ ଲୋକଙ୍କ ମୃତ୍ୟୁ ହେଉଛି । ବଜ୍ରପାତ, ଅଗ୍ନିକାଣ୍ଡ, ଅଂଶୁଘାତ, ବାତ୍ୟା, ବନ୍ୟା, ଡଙ୍ଗା ବୁଡି. ସାପକାମୁଡା ଓ ପାଣିରେ ବୁଡିଯିବା କାରଣରୁ ଓଡିଶାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି । ତେବେ ଉପରୋକ୍ତ ଦୈବୀ ଦୁର୍ଘଟଣା ମଧ୍ୟରୁ ସର୍ପାଘାତରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି ।

Advertisment

୩ ବର୍ଷ ମଧ୍ୟରେ ଅର୍ଥାତ ୨୦୧୬ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ପାଘାତ, ବଜ୍ରାଘାତ ଓ ପାଣିରେ ବୁଡିଯିବା କାରଣରୁ ଅନେକଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ୧୨୫୯ ଓ ପାଣିରେ ବୁଡି ୨୧୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାପ କାମୁଡାରେ ସବୁଠାରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ସର୍ପାଘାତରେ ୩ ବର୍ଷ ମଧ୍ୟରେ ଓଡିଶାରେ ୨୨୧୭ ଜଣଙ୍କ ପ୍ରାଣହାନୀ ହୋଇଛି ।

ତେବେ ୨୦୧୬ରୁ ଏଯାବତ ସାପକାମୁଡାରେ ୨୨୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୭-୧୮ ବର୍ଷରେ ସର୍ବାଧିକ ୮୧୭ ଜଣଙ୍କ ମୃତ୍ୟୁ ହୋଇଛି । ୩ ବର୍ଷ ମଧ୍ୟରେ ସାପ କାମୁଡାରେ ମୃତକଙ୍କ ସଂଖ୍ୟା ମୟୂରଭଞ୍ଜ ଜିଲ୍ଲାର ସବୁଠୁ ଅଧିକ ରହିଛି । ମୟୂରଭଞ୍ଜରେ ୨୦୮, ବାଲେଶ୍ୱର- ୨୦୪, ଗଞ୍ଜାମ- ୧୯୩, କେନ୍ଦୁଝର- ୧୬୩, ଭଦ୍ରକ- ୧୩୫, ଯାଜପୁର- ୧୧୬ ଏବଂ ଅନୁଗୁଳ-ଢେଙ୍କାନାଳରେ ୧୦୨ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ମିଳିଛି ।

ସେହିପରି ପାଣିରେ ବୁଡି ଯାଇ ୩ ବର୍ଷରେ ମୋଟ ୨୧୩୫ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୮-୧୯ ବର୍ଷରେ ଡ୍ରାଉନିଂ ଡେଥ ୮୯୨ରେ ପହଞ୍ଚିଛି । ବାଲେଶ୍ୱରରେ ପାଣିରେ ବୁଡି ୨୧୨ ଜଣଙ୍କ ମୃତ୍ୟୁ ହୋଇଛି । ଭଦ୍ରକ- ୧୮୭, ମୟୂରଭଞ୍ଜ- ୧୭୪, ଯାଜପୁର- ୧୫୨, ଗଞ୍ଜାମ- ୧୩୩, କେନ୍ଦ୍ରାପଡା- ୧୧୯ ଜଣଙ୍କ ପାଣିରେ ବୁଡି ଜୀବନ ଯାଇଛି ।

ବଜ୍ରାଘାତରେ ମଧ୍ୟ ୩ ବର୍ଷରେ ୧୨୫୯ ଜଣଙ୍କ ମୃତ୍ୟୁ ହୋଇଛି । ବଜ୍ରପାତ ଯୋଗୁଁ ମୟୂରଭଞ୍ଜରେ ୧୩୦ ଜଣ, ବାଲେଶ୍ୱର- ୯୪, ଗଞ୍ଜାମ- ୮୯ ଓ କେନ୍ଦୁଝରରେ ୮୮ ଜଣଙ୍କ ପ୍ରାଣହାନୀ ହୋଇଛି । ତେବେ ୩ ବର୍ଷ ମଧ୍ୟରେ ୩ଟି ଦୈବୀ ଦୁର୍ଘଟଣା ବଜ୍ରାଘାତ, ସର୍ପାଘାତ ଓ ପାଣିରେ ବୁଡି ଯୋଗୁଁ ମୋଟ ୫୬୧୧ ଜଣଙ୍କ ଜୀବନ ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

ଦୈବୀ ଦୁର୍ଘଟଣାରେ ୨୦୧୬ରୁ ଆଜି ଯାଏଁ କେତେ ଲୋକଙ୍କ ମୃତ୍ୟୁ ହେଲାଣି ସେନେଇ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପ୍ରଶ୍ନ କରିଥିଲେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର । ଅଙ୍ଗଦଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ରାଜସ୍ୱ ବିପର୍ଯ୍ୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆଜି ଗୃହରେ ସବିଶେଷ ଉତ୍ତର ରଖିଥିଲେ ।