ବରଗଡ଼ରେ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣା : ସ୍ଥିତି ସମୀକ୍ଷା କଲେ ପଶ୍ଚିମାଞ୍ଚଳ ଡିଆଇଜି

କହିଲେ ଏଚଆରପିସି ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରା କରାଯିବ ତଦନ୍ତ; ଉତ୍ତେଜନାକୁ ଆଖିରେ ରଖି ସହରରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ

69

କନକ ବ୍ୟୁରୋ : ବରଗଡ ପୋଲିସ ହାଜତ ମୃତ୍ୟୁ ଓ ଲାଠିଚାର୍ଜ ଘଟଣାର ସ୍ଥିତି ସମୀକ୍ଷା କରିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି । ଜୟନାରାୟଣ ପଙ୍କଜ । ସହରରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବାରୁ ଏକ ଶାନ୍ତି କମିଟି ଗଠନ କରାଯାଇ ମୃତକଙ୍କ ପରିବାରକୁ ବୁଝାସୁଝା କରାଯାଇଛି । ଶାନ୍ତି କମିଟି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ହ୍ୟୁମାନ ରାଇଟ ପ୍ରୋଟେକସନ ସେଲ ଓ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି ।

ଅନ୍ୟପଟେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ସହ ପରିବାର ଲୋକଙ୍କ କ୍ଷତିପୂରଣ ଓ ପରିବାରର ଜଣକୁ ଚାକିରୀ ଦେବାକୁ ଦାବି କରିଛନ୍ତି । ମୃତ ବ୍ୟକ୍ତିଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସହରରେ ଉତେଜନା ଥିବାରୁ ୨ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପୁଲିସ ହେପାଜତରେ ଥିବା ଅଭିଯୁକ୍ତର ମୃତ୍ୟୁ ପରେ ବରଗଡରେ ଉତେଜନା ଦେଖା ଦେଇଥିଲା । ରାତିରେ ଦଙ୍ଗା ଅଭିଯୋଗରେ ଉଠାଇ ନେଇଥିଲା ପୁଲିସ । ମେଡିକାଲରେ ମୃତ୍ୟୁ ହେବା ପରେ ପରିବାର ଲୋକେ ପୋଲିସ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି । ନ୍ୟାୟ ଦାବିରେ ପରିବାର ସଦସ୍ୟ ପ୍ରତିବାଦ କରିଥିଲେ । ରାସ୍ତା ଉପରେ ଶବ ରଖି ପ୍ରତିବାଦ କରୁଥିବା ବେଳେ ପୁଲିସ ଲାଠିଚାର୍ଜ କରିଥିଲା ।