ହାତୀ ସହ ସେଲଫି ପଡିଲା ମହଙ୍ଗା । ହାତୀ ପାଦ ତଳେ ଦଳି ହୋଇ ଦୁଇଜଣଙ୍କ ମୃତ୍ୟୁ, ମୃତ ପରିବାରକୁ ସହାୟତା ପ୍ରଦାନ କଲା ବନବିଭାଗ ।

400

କନକ ବ୍ୟୁରୋ : ଗଞ୍ଜାମ ଭଞ୍ଜନଗରରେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଦୁଇଜଣଙ୍କ ପରିବାରକୁ ସହାୟତା ପ୍ରଦାନ କରିଛି ବନବିଭାଗ । ହାତୀ ଛୁଆ ଦେଖିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ଜୀବନ ଯାଇଥିବା ବେଳେ ସେଲଫି ନିଶାରେ ନାବାଳକ ପ୍ରାଣ ହରାଇଛି । ତୁରନ୍ତ ଉଭୟ ପରିବାରକୁ ବନ ବିଭାଗ ପକ୍ଷରୁ ୪୦ ହଜାର ଲେଖାଁଏ ଟଙ୍କା ଦିଆଯାଇଛି । ବାକି ୩ ଲକ୍ଷ ୬୦ ହଜାର ଟଙ୍କା ପରେ ଦିଆଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶୃତି ଦିଆଯାଇଛି ।

ଭଞ୍ଜନଗର ଉତରଘୁମୁସର ବନଖଣ୍ଡ ଗାଲେରୀ ରେଂଜ ବଦାଙ୍ଗିବିଟର ନୁଆପଲ୍ଲୀ ଗାଁ ନିକଟ କାଜୁ ଜଙ୍ଗଲରେ ଦୁଇଟି ହାତୀ ଛୁଆ ଜନ୍ମ ହୋଇଛନ୍ତି । ଏବଂ ୨୨ଟିକିଆ ହାତୀପଲ ଛୁଆଙ୍କୁ ସୁରକ୍ଷା ଦେଉଛନ୍ତି । ଏହି ଖବର ନିକଟସ୍ଥ ଗାଁରେ ପହଞ୍ଚିବା ପରେ ହାତୀ ଛୁଆକୁ ଦେଖିବା ପାଇଁ କାଜୁ ଜଙ୍ଗଲରେ ଲୋକଙ୍କ ଭିଡ ଲାଗିଥିଲା । ଅଧିକ ଲୋକଙ୍କୁ ଦେଖି ହାତୀପଲ ଚିଡି ଯାଇଥିଲେ । ହାତୀପଲରେ ଥିବା ଦନ୍ତାହାତୀ ଲୋକଙ୍କୁ ଆକ୍ରମଣ କରିଥିଲା । ହାତୀ ପାଦତଳେ ଦଳି ହୋଇ ସୁକୁରିଆ ନାଇକ ନାମକ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ସେଲଫି ନିଶାରେ ପ୍ରାଣ ହରାଇଛି ୧୩ ବର୍ଷର ନାବାଳକ ଗଣେଷ ଗୌଡ଼ ।

ସେହିଭଳି ଗଣେଷ ଗୌଡ ହାତୀର ନିକଟତର ହୋଇ ଫଟୋ ଉଠାଉଥିବା ବେଳେ ହାତୀ ସୁଣ୍ଢରେ ଘୋଷାଡି ଆଣି ବହୁ ଦୁରକୁ ଫିଙ୍ଗି ଦେଇଥିଲା । ପରେ ଗୁରୁତର ଅବସ୍ଥାରେ ଗଣେଷକୁ ଉଦ୍ଧାର କରି ଡାକ୍ତରଖାନାକୁ ନେବା ବାଟରେ ରାସ୍ତାରେ ତାର ମୃତ୍ୟୁ ଘଟିଥିଲା । ସେପଟେ ବନବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ୪୦ ହଜାର ଟଙ୍କା ସହାୟତା ରାଶି ଦିଆଯାଇଛି । ମୃତକଙ୍କ ପରବାରକୁ ୪ ଲକ୍ଷ ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଭଞ୍ଜନଗର ଏସିଏଫ ।

ସୁକୁରିଆର ମୃତଦେହ ନିକଟରେ ହାତୀ ଜଗି ରହିଥିବାରୁ ରାତି ଯାଏଁ ମୃତଦେହ ଉଧାର ହୋଇପାରିନଥିଲା । ରାତି ୨ଟା ବେଳକୁ ବନବିଭାଗ ନିଆଁ ହୁଳା ଓ ବାଣ ପୁଂଟାଇ ହାତୀ ଘଉଡ଼ାଇବା ପରେ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ଭଂଜନଗର ଅଞ୍ଚଳରେ ହାତୀ ପଲ୍ଲ ପଲ୍ଲ ହୋଇ ବୁଲୁଥିବାରୁ ହାତୀ ମଣିଷର ଲଢ଼େଇ ବାରମ୍ବାର ଦେଖବାକୁ ମିଳୁଛି ।