କନକ ବ୍ୟୁରୋ : ମୃତ୍ୟୁ ଯେ କାହା ପାଇଁ କେମିତି ଆସେ ତାହା କହିବା ମୁସ୍କିଲ । ମୃତ୍ୟୁ କେତେ ଅଚାନକ ଆସେ ତାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ବୋଲିଂ କରୁ କରୁ ଜଣେ ଯୁବ ଖେଳାଳି ପଡିଆରେ ଟଳି ପଡିଛନ୍ତି । ସୁପର ଓଭରର ଶେଷ ବଲ ପକାଇବାବେଳେ ଶେଷ ହୋଇଯାଇଛି ଯୁବ କ୍ରିକେଟରଙ୍କ ଜୀବନ ।

Advertisment

ଯାଜପୁର ବରୀ ବ୍ଲକର କାହ୍ନୁ ଚରଣ ପରିଡା । ବୟସ ୧୮ବର୍ଷ । ପିଲାଟି ଦିନରୁ କ୍ରିକେଟ ପ୍ରତି ଏତେ ଆଗ୍ରହୀ ଥିଲେ ଯେ ଘରେ ଯେତେ ବିରକ୍ତ ହେଲେ ବି ଖେଳ ନାଁ ଶୁଣିଲେ ବ୍ୟାଟ ଧରି ବାହାରି ପଡୁଥିଲେ । ଭଲ ବୋଲିଂ ସାଙ୍ଗକୁ ବ୍ୟାଟିଂ ଓ ଫିଲ୍ଡିଂ ବି କରୁଥିଲେ । ହେଲେ କିଏ ଜାଣିଥିଲା ସେହି କ୍ରିକେଟ ଖେଳ ଦିନେ କାଳ ହେବ । ଆଉ ଖେଳୁ ଖେଳୁ ପଡିଆରେ ଟଳିପଡିବେ ।

ବୋଲିଂ କରୁକରୁ ଚାଲିଗଲା ଜୀବନ । ପଡିଆରେ ଟଳି ପଡିଲେ ଯୁବ କ୍ରିକେଟର । ଘର ଯାଜପୁର ଜିଲ୍ଲାରେ ହୋଇଥିଲେ ବି ଭଲ ଖେଳୁଥିବାରୁ କେନ୍ଦ୍ରାପଡା ପେଣ୍ଠପାଳରେ ଚାଲିଥିବା ଟି-୨୦ ଫାଇନାଲ ଟୁର୍ଣ୍ଣାମେଣ୍ଟରେ ଖେଳିବା ପାଇଁ ତରଡିପାଳ ଟିମରୁ ଡାକରା ପାଇ ଖେଳିବାକୁ ପଡିଆକୁ ଓହ୍ଲାଇଥିଲେ କାହ୍ନୁ । ମ୍ୟାଚ ଟାଇ ହୋଇଯିବାରୁ ସୁପରଓଭର ଖେଳାଯାଇଥିଲା । ୪ ଓଭର ବିଶିଷ୍ଠ ସୁପରଓଭରର ଶେଷ ଓଭର ପକାଉଥିଲେ କାହ୍ନୁଚରଣ । ୫ଟି ବଲ ପରେ ଶେଷ ଓଭର ବଲ୍ ପକାଇ ବ୍ୟାଟ୍ସମ୍ୟାନକୁ ବିଟ୍ କରିଦେବାରୁ ଖୁସିରେ ଆତ୍ମହରା ହୋଇ ଦୌଡୁଥିବାବେଳେ ଅଚାନକ ପଡିଆ ମଝିରେ ଟଳି ପଡିଥିଲେ । ସାଥୀ ଖେଳାଳି ଡାକ୍ତରଖାନାକୁ ନେଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏପରି ଦୁଃଖଦ ଘଟଣା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏକ ମାତ୍ର ପୁଅକୁ ହରାଇ ଭାଙ୍ଗିପଡିଛନ୍ତି ବାପା, ମା । କାନ୍ଦବୋବାଳିରେ ଫାଟି ପଡୁଛି ସମ୍ପୂର୍ଣ୍ଣ ଅଞ୍ଚଳ । ସ୍ତବ୍ଧ ହୋଇଯାଇଛନ୍ତି ସାଥୀ ଖେଳାଳି ଓ ସମ୍ପର୍କୀୟ । କାହ୍ନୁଙ୍କ ଏମିତି ମୃତ୍ୟୁ ପରେ ଭାଇରାଲ ହେଉଛି ତାଙ୍କର ଏକ ଭିଡିଓ । ଯେଉଁ ଭିଡିଓରେ ସେ କହୁଛନ୍ତି, ବଞ୍ଚିଛି କଥା ହୋଇଯାଅ ନହେଲେ, ଖୋଜିଲେ ବି ପାଇବନି । ତେବେ ସେ କଣ ଜାଣିଥିଲେ ଏମିତି ଆସିବ ମୃତ୍ୟୁ ।