୨୪ ବର୍ଷ ପୂର୍ବେ…ଯେବେ ମହାନାୟକ ଶୋଇ ଯାଇଥିଲେ ମୃତ୍ୟୁର ଶେଯରେ । ନିସ୍ତବ୍ଧ ହୋଇ ଯାଇଥିଲା ଓଡ଼ିଶା, ଆଖିର ଲୁହ କହୁଥିଲା ମନର ଭାଷା ।

374

କନକ ବ୍ୟୁରୋ : ୧୭ ଏପ୍ରିଲ, ୧୯୯୭ । ଆଜିକୁ ଠିକ୍ ୨୪ ବର୍ଷ ତଳେ । ଦିଲ୍ଲୀରୁ ଯେଉଁ କଲ ଆସିଥିଲା ତାହା ପୂରା ଓଡ଼ିଶାକୁ ନିସ୍ତବ୍ଧ ଓ ନିର୍ବାକ କରିଦେଇଥିଲା । ଆଖିରୁ ଅନବରତ ଲୁହ ଝରୁଥିଲା, ଆଉ ପୂରା ଓଡ଼ିଶା କାନ୍ଦୁଥିଲା ।  କାରଣ ସବୁଦିନ ପାଇଁ ଆଖି ବୁଜି ସାରିଥିଲେ ବୀର କଳିଙ୍ଗ ପୁଅ ବିଜୁ ପଟ୍ଟନାୟକ । ରାଜ୍ୟବାସୀ ହରାଇ ସାରିଥିଲେ ନିଜର ପ୍ରିୟ ସାହସୀ ପୁଅକୁ । କଳିଙ୍ଗର ମୁକୁଟ ବିହୀନ ଶେଷ ସମ୍ରାଟଙ୍କୁ ଛୁଇଁ ସାରିଥିଲା ମୃତ୍ୟୁ ।  ଆଉ ଏହି ଖବର ବିଜୁଳି ବେଗରେ ଦିଲ୍ଲୀରୁ ପଲ୍ଲୀକୁ ବ୍ୟାପିଲା । ଆଉ ତାପରର ଦୃଶ୍ୟ ସମସ୍ତଙ୍କୁ ଚକିତ କରି ଦେଇଥିଲା ।

ପୁରୀରୁ ପଟ୍ଟାମୁଣ୍ଡାଇ, ମାଲକାନଗିରିରୁ ମୟୂରଭଞ୍ଜ । ଗୋଟିଏ ପଟେ ଜଳ ସମୁଦ୍ର ଆଉ ଅନ୍ୟପଟେ ଥିଲା ଜନ ସମୁଦ୍ର । ସଁ ସଁ ଶବ୍ଦ କରି କୂଳକୁ ମାଡି ଆସୁଥିଲା ସମୁଦ୍ରର ଢେଉ । ଆଉ ରାସ୍ତା ଉପରେ ଲହଡି ଭାଙ୍ଗୁଥିଲା ଜନ ସମୁଦ୍ର । ଲକ୍ଷ ଲକ୍ଷ ବିଜୁ ପ୍ରେମୀଙ୍କ ନାରାରେ ପ୍ରକମ୍ପିତ ହୋଇ ଉଠୁଥିଲା ଗଗନ, ପବନ । ମାଇଲ ମାଇଲ ଯାଏଁ ଶୁଭୁଥିଲା ‘ବିଜୁ ବାବୁ ଅମର ରହେ’, ‘କଳିଙ୍ଗ ବୀର ଅମର ରହେ’ । ଆଉ ଏସବୁ ଭିତରେ ମହାନାୟକଙ୍କ ମରଶରୀରକୁ ଯେତେବେଳେ ନବୀନ ନିବାସରୁ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ନିଆଗଲା, ସେତେବେଳର ଦୃଶ୍ୟ ଥିଲା ବେଶ ଭାବବିହ୍ୱଳ । କଳିଙ୍ଗ ବୀର ବିଜୁଙ୍କ ଶେଷ ଦର୍ଶନର ଝଲକ ଟିକିଏ ପାଇବା ପାଇଁ ଏକତ୍ରୀତ ହୋଇଥିଲେ ଲକ୍ଷ ଲକ୍ଷ ଜନତା । ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଆରମ୍ଭ କରି ଲକ୍ଷାଧିକ ସର୍ମଥକ ଜନ ସମୁଦ୍ରରେ ଏକାକାର ହୋଇଯାଇଥିଲେ ।  ଅପଲକ ନୟନରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ କେତେବେଳେ ଦେଖିବେ ନିଜର ପ୍ରିୟ ବିଜୁ ବାବୁଙ୍କୁ ।

ଦିନ ଗଡୁଥିଲା, ଭିଡ ବଢୁଥିଲା । ଆଉ ତାହାରି ଭିତରେ ଭୁବନେଶ୍ୱରରୁ ସୁସଜ୍ଜିତ ଗାଡିରେ ବାହାରିଥିଲା ଭୂମିପୁତ୍ର ବିଜୁ ବାବୁଙ୍କ ପାର୍ଥିବ ଶରୀର । ରାସ୍ତା ସାରା ଲକ୍ଷ ଲକ୍ଷ ଜନତାଙ୍କ ଅଶ୍ରୁଳ ଆଖି ଦର୍ଶାଉଥିଲା ରାଜ୍ୟ କେଡେ ବଡ ରତ୍ନକୁ ହରାଇଛି । ସକାଳରୁ ଅପରାହ୍ନ ହେଲା, ଆଉ ଜନ ସମୁଦ୍ରର ଲହଡି ପାର କରି ସ୍ୱର୍ଗଦ୍ୱାରରେ ପହଞ୍ଚିଲା ମହାନାୟକଙ୍କ ମରଶରୀର । ଆଉ ଏହି ବୀର ପୁଅଙ୍କ ଶେଷ ଦର୍ଶନ ପାଇଁ ଏକାଠି ହୋଇଥିଲେ ଦେଶ ଓ ବିଦେଶର ନେତା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଦେଶ ରାଷ୍ଟ୍ରଦୂତ, ବିରୋଧୀଙ୍କ ଠାରୁ ସମର୍ଥକ । ମହାନାୟକଙ୍କ ମହାଯାତ୍ରା ସମସ୍ତଙ୍କୁ ସ୍ତମ୍ଭୀଭୂତ କରିଦେଇଥିଲା ।  କାରଣ ଜଣେ ନେତାଙ୍କ ବିୟୋଗରେ ଜନତାଙ୍କ ଏଭଳି ଜନସମୁଦ୍ର ପୂର୍ବରୁ କେବେ ଦେଖିନଥିଲା ଓଡ଼ିଶା ।  ଚିତା ଉପରେ ଚିରନିଦ୍ରାରେ ଶୋଇ ରହିଥିଲେ ଟଲମ୍ୟାନ୍, ଆଉ ତାଙ୍କ ମରଶରୀର ଉପରେ ଢାଙ୍କି ହୋଇ ରହିଥିଲା ୩ ଦେଶର ରାଷ୍ଟ୍ରୀୟ ଧ୍ୱଜ । ସ୍ୱର୍ଗଦ୍ୱାରରେ ଚିତା ଜଳିବା ସହ ପଞ୍ଚଭୂତରେ ଲୀନ ହୋଇଥିଲା ବୀର ପୁଅ ବିଜୁଙ୍କ ମରଶରୀର । ତେବେ ବିଜୁଙ୍କ ପ୍ରତି ରାଜ୍ୟବାସୀଙ୍କର କାହିଁକି ଏତେ ଭଲପାଇବା? ବିଜୁଙ୍କ ମହାଯାତ୍ରାରେ କାହିଁକି ଦେଖିବାକୁ ମିଳିଲା ଏଭଳି ଅନନ୍ୟ ଦୃଶ୍ୟ ।  କାହିଁକି ବିଜୁଙ୍କୁ କଳିଙ୍ଗର ମୁକୁଟ ବିହୀନ ସମ୍ରାଟ ବାଛିଥିଲେ ରାଜ୍ୟବାସୀ । ଏହାର କାରଣ ଜାଣିବାକୁ ହେଲେ ବିଜୁଙ୍କ ରାଜନୈତିକ ଅଧ୍ୟାୟକୁ ଓଲଟାଇବାକୁ ପଡିବ ।

ବିଜୁ ପଟ୍ଟନାୟକ । ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ, ଥରେ କେନ୍ଦ୍ରମନ୍ତ୍ରୀ । କେତେବେଳେ ବିରୋଧୀ ଦଳ ନେତା ତ ପୁଣି କେତେବେଳେ ସଂସଦରେ ରାଜ୍ୟର ପ୍ରତିନିଧି ।  କେବେ କେନ୍ଦ୍ରରେ ତ ପୁଣି କେବେ ରାଜ୍ୟରେ, ରାଜନୀତିର କ୍ରାଇସିସ୍ ମ୍ୟାନେଜର । ୫ ଦଶନ୍ଧିର ରାଜନୈତିକ କ୍ୟାରିୟର ଆଉ ତାହାରି ଭିତରେ ଜାତୀୟ ରାଜନୀତିର ଜଣେ ଜଣାଶୁଣା ଚେହେରା । ପଲ୍ଲୀରୁ ଦିଲ୍ଲୀ, ଦେଶରୁ ବିଦେଶ । ଆକାଶଛୁଆଁ ବ୍ୟକ୍ତିତ୍ୱ ସାଙ୍ଗକୁ ସମ୍ଭାବନାର ସମ୍ଭାର ।  କିଛି ଏମିତି ଥିଲା ବିଜୁଙ୍କ ରାଜନୈତିକ କ୍ୟାରିୟର । କ୍ଷମତା ରାଜନୀତିରେ ଖୁବ ସମୟ ରହିଥିବା ବିଜୁ କିନ୍ତୁ ଏହି ସମୟ ଭିତରେ ଆଧୁନିକ ଓଡ଼ିଶାର ବିନ୍ଧାଣୀ ସାଜି ସାରିଥିଲେ । ଶିଳ୍ପ ଠାରୁ ଆରମ୍ଭ କରି ଶିକ୍ଷା, କୃଷି ଠାରୁ ଆରମ୍ଭ କରି କଳ କାରଖାନା । ପ୍ରତିଟି କ୍ଷେତ୍ରରେ ବିଜୁଙ୍କ ଅବଦାନ ଅତୁଳନୀୟ । ରାଜ୍ୟରେ ନାଲକୋକୁ ଜନ୍ମ ଦେବା ହେଉ  ବା ପାରାଦ୍ୱୀପରୁ ବନ୍ଦର ମାଧ୍ୟମରେ ପୂରା ବିଶ୍ୱ  ସହ  ଯୋଡି ହେବାର ପ୍ରୟାସ ।  ଅନେକ ବାଧା ବିଘ୍ନ ଆସିଥିଲା, ଅନେକ ବିବାଦ ମଧ୍ୟ ଛିଡା ହୋଇଥିଲା । କିନ୍ତୁ ରାଜ୍ୟର ବିକାଶ ପାଇଁ ସେମିତି ଦମ୍ଭର ସହ ଛିଡା ହୋଇଥିଲେ ଟଲମ୍ୟାନ ବିଜୁ । ଯାହା ବିଜୁଙ୍କ ଲୋକପ୍ରିୟତାକୁ ଆକାଶଛୁଆଁ କରିବା ସହ ଦେଇଥିଲା ଜନନାୟକର ପରିଚୟ ।

ରାଜନୀତିରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିଜୁଙ୍କ ପ୍ରତି ରାଜ୍ୟବାସୀଙ୍କ ଭଲପାଇବା କିଛି କମ ନଥିଲା । ଯେଉଁଥିପାଇଁ ଖୁବ୍ କମ ସମୟ ଶାସନ ସିଂହାସନରେ ବସିଥିଲେ ମଧ୍ୟ ଜନତାଙ୍କ ହୃଦୟ ସିଂହାସନରେ ସବୁଦିନ ପାଇଁ ବସି ସାରିଥିଲେ ବିଜୁ ବାବୁ । ଇତିହାସ ଯେତିକି ପଢିଥିଲେ ନିଜ ଜୀବନକାଳ ଭିତରେ ତାହା ଠାରୁ ଅଧିକ ଇତିହାସ ରଚି ସାରିଥିଲେ ବିଜୁ । ଦେଶର ସ୍ୱାଧୀନତା ସଂଗ୍ରାମରେ ବିଜୁଙ୍କ ଅବଦାନ, ଇଣ୍ଡୋନେସିଆ ସ୍ୱାଧୀନତାରେ ବିଜୁଙ୍କ ଭୂମିକା ଆଉ ତା ସାଙ୍ଗକୁ ଯୁଦ୍ଧ ଭଳି ସ୍ଥିତିରେ ଦେଶ ପାଇଁ ସଙ୍କଟମୋଚକ ଭାବେ ଛିଡା ହୋଇ ସାହାସୀ ସିପାହୀର ପରିଚୟ ଦେଇଥିଲେ ପରାକ୍ରମୀ ପାଇଲଟ ବିଜୁ ପଟ୍ଟନାୟକ ।ଆକାଶପଥରେ ଅସମ୍ଭବ ଅପରେସନକୁ ସମ୍ଭବ କରି ବିଜୁ ପାଲଟିଯାଇଥିଲେ ଝଡର ଇଗଲ । ଯେଉଁଥିପାଇଁ ବିଦେଶରେ ମଧ୍ୟ ଶୁଭୁଥିଲା ବିଜୁଙ୍କ ଜୟ ଜୟକାର । ଇଣ୍ଡୋନେସିଆରୁ ମିଳିଥିଲା ଭୂମିପୂତ୍ର ଭଳି ସର୍ବୋଚ୍ଚ ସମ୍ମାନ । ଏହି ଦୁଃସାହସିକ ଦସ୍ତାବିଜର ଉଚ୍ଚତା ଟଲ ମ୍ୟାନ୍ଙ୍କ ଉଚ୍ଚତା ଠାରୁ ମଧ୍ୟ ଢେର ଅଧିକ ଥିଲା । ଆକାଶକୁ ସବୁବେଳେ ଛୁଇଁବାକୁ ଚେଷ୍ଟା କରୁଥିବା ବିଜୁ ଶେଷ ପର୍ଯ୍ୟନ୍ତ ଓଡ଼ିଶାର ବିକାଶକୁ ମଧ୍ୟ ଆକାଶଛୁଆଁ କରିବାକୁ ପ୍ରୟାସ ଜାରି ରଖିଥିଲେ । କିଛି ପୂରା କରିଥିଲେ ଆଉ କିଛି ବାକି ଥିଲା । କିନ୍ତୁ ସବୁ  ସ୍ୱପ୍ନ ପୂରା କରିବା ପୂର୍ବରୁ ସବୁଦିନ ପାଇଁ ଶୋଇ ପଡିଥିଲେ ଶତାବ୍ଦୀର ଶ୍ରେଷ୍ଠ ପୁରୁଷ ।