ନନ୍ଦନକାନନରେ ଜନ୍ମଗ୍ରହଣ କରିଛନ୍ତି କେତେ ବନ୍ୟପ୍ରାଣୀ । ଗତ ୫ ବର୍ଷର ରିପୋର୍ଟ ଦେଲେ ମନ୍ତ୍ରୀ ।

77

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରତିବର୍ଷ ଜୀବଜନ୍ତୁଙ୍କ ସଂଖ୍ୟା ବଢିବାରେ ଲାଗିଛି । କିଛି ବିଲୁପ୍ତ ପ୍ରାଣୀଙ୍କର ବାସସ୍ଥାନ ସାଜିଛି ନନ୍ଦନକାନନ । ଅନେକ ପ୍ରକାର ଜୀବଜନ୍ତୁଙ୍କୁ ବାସ ଦେଇଥିବା ଏହି ନନ୍ଦନକାନନ ଓଡ଼ିଶାର ଆଉ ଏକ ପରିଚୟ । ତେବେ ଗତ ୫ ବର୍ଷରେ ନନ୍ଦନକାନନରେ କେତେ ବନ୍ୟପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି ଓ କେତେ ମୃତ୍ୟୁବରଣ କରିଛନ୍ତି ତାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ।

ବିଧାନସଭା ଲିଖିତ ଉତ୍ତର ମାଧ୍ୟମରେ ବିଭାଗୀୟ ମନ୍ତ୍ରୀ ଦର୍ଶାଇଛନ୍ତି ଯେ, ଗତ ୫ ବର୍ଷରେ ୩୫୫ ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଛି । ୨୦୧୯-୨୦ରେ ସର୍ବାଧିକ ୯୮ ବନ୍ୟପ୍ରାଣୀଙ୍କର ମୃତୁ ହୋଇଥିବା ବେଳେ ୨୦୧୬-୧୭ରେ ସର୍ବନିମ୍ନ ୪୯ ବନ୍ୟପ୍ରାଣୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ଏହି ୫ ବର୍ଷ ମଧ୍ୟରେ ଅଧିକାଂଶ ସନ୍ତ୍ୟପାୟୀ ପ୍ରାଣୀଙ୍କର ମୃତ୍ୟୁ ହୋଇଛି । ସେହିଭଳି ବିଭିନ୍ନ ପ୍ରଜାତିର ପକ୍ଷୀଙ୍କର ମୃତ୍ୟୁ ସଂଖ୍ୟା ଗତ ୫ ବର୍ଷ ମଧ୍ୟରେ ୧୬୫ ରହିଛି ।

ସେହିଭଳି ଗତ ୫ ବର୍ଷ ମଧ୍ୟରେ ନନ୍ଦନକାନନରେ ଶହଶହ ବନ୍ୟପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି । ୨୦୧୭-୧୮ରେ ସର୍ବାଧିକ ୩୪୨ ବନ୍ୟପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି । ଆଉ ଚଳିତ ବର୍ଷ ଏପର୍ଯ୍ୟନ୍ତ ୨୭୩ଟି ବନ୍ୟପ୍ରାଣୀ ଜନ୍ମଗ୍ରହଣ କରିଛନ୍ତି । ଏହି ସମୟ ମଧ୍ୟରେ ଅଧିକ ସଂଖ୍ୟାରେ ସ୍ତନ୍ୟପାୟୀ ପ୍ରାଣୀ ଜନ୍ମଗ୍ରହଣ କରିଥିବା ବେଳେ ପକ୍ଷୀଙ୍କ ବଂଶବୃଦ୍ଧି ମଧ୍ୟ ହୋଇଛି । ଗତ ୫ ବର୍ଷର ରିପୋର୍ଟ ଦେଖିଲେ ନନ୍ଦନକାନନରେ ବନ୍ୟପ୍ରାଣୀଙ୍କ ମୃତ୍ୟୁହାର ଠାରୁ ଜନ୍ମହାର ଅଧିକ ରହିଛି ।