ବଲାଙ୍ଗୀରରେ ହ୍ୱାଟ୍ସଆପ୍ ଜରିଆରେ ବିକ୍ରି ହେଉଛି ବନ୍ଧୁକ: କୋଲକାତା ଓ ବିହାର ମୁଂଗେରରୁ ଆସୁଛି ବନ୍ଧୁକ; ଅର୍ଡଦେଲେ ହେଉଛି ହୋମ ଡେଲିଭରୀ

186

କନକ ବ୍ୟୁରୋ: ହ୍ୱାଟସ୍ ଆପରେ ହେଉଛି ବନ୍ଧୁକ କାରବାର । ଘରେ ବସି ବନ୍ଧୁକ କିଣୁଛନ୍ତି କିଛି ବ୍ୟକ୍ତି । ବଲାଙ୍ଗୀର ଜିଲ୍ଲାରେ ଏଭଳି କାରବାର ଚାଲିଛି । ହ୍ୱାଟ୍ସ ଆପ୍ ଜରିଆରେ ବନ୍ଧୁକ କିଣାବିକା ହେଉଥିବା ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କୋଲକାତା ଓ ବିହାର ମୁଂଗେରରୁ ବଲାଙ୍ଗୀରକୁ ବନ୍ଧୁକ ଆସୁଥିଲା । ଅର୍ଡ ଦେଲେ ଲୋକଙ୍କ ଘରେ ପହଂଚୁଛି ବନ୍ଧୁକ । ତେବେ ବଲାଙ୍ଗୀରରେ ବନ୍ଧୁକ ବ୍ୟବହାର କିଛି ନୂଆ କଥା ନୁହେଁ । କିନ୍ତୁ ବର୍ତମାନ ସହରର ବିଭିନ୍ନ ସ୍ଥାନରେ ବନ୍ଧୁକ ମିଳୁଥିବା ଜଣାପଡିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ହ୍ୱାଟ୍ସରେ ଗ୍ରାହକଙ୍କ ପାଖକୁ ବନ୍ଧୁକ ଫଟୋ ଯାଉଛି, ଏବଂ ଗ୍ରାହକ ଯାହାକୁ ପସନ୍ଦ କରୁଛନ୍ତି ସେହି ବନ୍ଧୁକ ଗ୍ରାହକଙ୍କ ଘରେ ପହଂଚାଇ ଦେଉଛନ୍ତି ବେଆଇନ୍ ବନ୍ଧୁକ ବିକ୍ରି କରୁଥିବା ବ୍ୟକ୍ତି । ହ୍ୱାଟସ୍ ଆପ ଜରିଆରେ ଦେଶୀ ବନ୍ଧୁକ ସହ ହାଲ୍ଫ୍ ସ୍ଲାଇଡର, ଫୁଲ ସ୍ଲାଇଡ୍ର, ଥ୍ରି ନଟ୍ ଥ୍ରି ଭଳି ବନ୍ଧୁକ କିଣା ବିକା ହେଉଛି । ଆଉ ବନ୍ଧୁକର ଦର ୫ ହଜାରରୁ ୫୦ ହଜାର ରହିଛି । ବନ୍ଧୁକ କାରବାର ଚାଲିଥିବା ବେଳେ ଜିଲ୍ଲାକୁ ଜିଲ୍ଲା ବାହାରରେ ଲୋକଙ୍କ ଚଳପ୍ରଚଳ ବଢିଛି । ସେମାନଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ବି ବଢୁଛି, ତଥାପି ପୁଲିସ ପାଖରେ କୌଣସି ଖବର ରହୁନାହିଁ ।

କିଛି ଡକାୟତ ଭୁବନେଶ୍ୱରର ଏକ ଇନୋଭା ଗାଡିକୁ ହାଇଜାକ କରି ବଲାଙ୍ଗୀର ଯାଇଥିବା ଖବର ଗତକାଲି ସାମ୍ନାକୁ ଆସିଥିଲା । କାରରେ ଥିବା ଅପରାଧୀମାନେ ଡ୍ରାଇଭରଙ୍କୁ ଗନ ପଏଂଟରେ ରଖି ବଲାଙ୍ଗୀରର ଖପ୍ରାଖୋଲ ଯାଇଥିଲେ, ସେଠାରେ କିଛି ମାରଣାସ୍ତ୍ର ନେଇ ପାଟଣାଗଡ ଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଅପରାଧୀମାନେ ପାଟଣାଗଡରେ ୨ ଘଂଟା ରହିବା ପରେ ଅନ୍ୟସ୍ଥାନକୁ ଯାଇଥିବା ଖବରର ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ ପାଖରେ ଏହାର କୌଣସି ଖବର ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ଭୟ ବଢୁଛି ।