କନକ ବ୍ୟୁରୋ : ଧର୍ମଶାଳା ବ୍ଲକ ରେଖିଦେଇପୁର ପଂଚାୟତର ରେଖିଦେଇପୁର ଗାଁରେ ପ୍ରାୟ ୨ ଶହ ପରିବାର ବସବାସ କରନ୍ତି । ଅଧିକାଂଶ ଲୋକେ ମୂଲ ମଜୁରୀ ଓ ଚାଷ ବାସ କରି ଚଳୁଥିବା ବେଳେ ସରକାରଙ୍କ ତରଫରୁ ମିଳୁଥିବା ଚାଉଳର ବଡ ଭୂମିକା ରହିଛି । ମାତ୍ର ଏହି ଗାଁ ଲୋକଙ୍କୁ ଚାଉଳ ଦେଉଥିବା ଡିଲର ୨୦୨୩ ମସିହା ଜୁନ ମାସର ଚାଉଳ ହଡପ କରି କଳାବଜାରୀ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି । ଯୋଗାଣ ସହାୟକ ସୁବ୍ରତ ମଲ୍ଳ ପ୍ରାୟ ୨ ଲକ୍ଷ ଟଙ୍କାର ୪୪ କ୍ୱିଂଟାଲରୁ ଅଧିକ ଚାଉଳକୁ କଳାବଜାରୀ କରିଥିବା ଅଭିଯୋଗ ହୋଇଛି । ସୂଚନା ଅଧିକାର ଆଇନ୍ ବଳରେ ଚାଉଳ ହରିଲୁଟ୍ ତଥ୍ୟ ମିିଳିବା ପରେ ନିଜର ହକ୍ ପାଇ ପ୍ରତିବାଦ କରିଛନ୍ତି ହିତାଧିକାରୀ ।
ଡିଲରମାନେ ବାୟୋମେଟ୍ରିକ ମାଧ୍ୟମରେ ଆଗୁଆ ହିତାଧିକାରୀଙ୍କ ଆଧାର ସଂଲଗ୍ନ ଟିପଚିହ୍ନ ନେଇ ପରେ ରାସନ ସାମଗ୍ରୀ ମନଇଛା ବିତରଣ କରି ନିଜ ପକେଟ ଗରମ କରୁଛନ୍ତି । ୯୮ଜଣ ଡିଲର କାର୍ଯ୍ୟ କରୁଥିବା ବେଳେ ଧର୍ମଶାଳା ବ୍ଲକରେ ବିଡିଓ କି ଯୋଗାଣ ଅଧିକାରୀ ବ୍ୟବସ୍ଥାର ଯାଂଚ କରୁନଥିବା ଅଭିଯୋଗ ହୋଇଛି । ଧର୍ମଶାଳା ବ୍ଲକରେ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନାରେ ୧ଲକ୍ଷ ୭୮ହଜାର ୬୯୮ଜଣ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ୩ହଜାର ୬୯୯ଜଣ ହିତାଧିକାରୀ ପିଡିଏସ ସାମଗ୍ରୀ ପାଉଛନ୍ତି । ପ୍ରତିମାସରେ ବ୍ଲକକୁ ୨ଲକ୍ଷ ୧୦ହଜାର ୭୧ଲିଟର କିରୋସିନ ଯୋଗାଣ ହେଉଛି । ହେଲେ ସେସବୁ ଲୋକଙ୍କୁ ନଦେଇ ସିଧା କଳାବଜାର ହେଉଛି । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ରେଖିଦେଇପୁର ପଂଚାୟତର ଚାଉଳ ଘୋଟାଲା । ତେବେ ଧର୍ମଶାଳା ବ୍ଲକରେ ଯୋଗାଣ ବ୍ୟବସ୍ଥାରେ ହେଉଥିବା ଦୁର୍ନିତୀକୁ ରୋକିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।