ନୟାଗଡ଼ରେ ଅବକାରୀ ଅଧିକାରୀଙ୍କ କଳାକାରନାମା: ବେପାରୀଙ୍କୁ ଚଢ଼ାଉ ଭୟ ଦେଖାଇ କରୁଛନ୍ତି ଡିଲ୍

147

କନକ ବ୍ୟୁରୋ: ନୟାଗଡ ଅବକାରୀ ବିଭାଗର କିଛି ଅସାଧୁ ଅଧିକାରୀଙ୍କ କଳା କାରନାମା ଏବେ ପଦାକୁ ଆସିଛି । ଚୋରା ବେପାରୀଙ୍କୁ ଚଢାଉର ଭୟ ଦେଖାଇବା ସହ ସହଯୋଗ ବାହାନାରେ ଏମାନେ ମନ ମୁତାବକ ଲୁଟି ଚାଲିଛନ୍ତି । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ଯାହାକୁ ଦେଖିଲେ ଆପଣ ବି କହିବେ ବାଡ ଖାଉଛି ଫସଲ ।

ନୟାଗଡ ଜିଲ୍ଲା ଖଣ୍ଡପଡା ଅଂଚଳର ରହିଥିଲା ଏକ ଚୋରା ମଦ ଭାଟି । ଗୋଳାପୋଖରି ନିକଟ ଘଂଚ ଜଂଗଲ ଭିତରେ ଥିବା ଏହି ଭାଟି ଉପରେ କିଛି ଦିନ ତଳେ ଚଢାଉ କରିଥିଲା ଅବକାରୀ ବିଭାଗ । ଚଢାଉ ସମୟରେ ଏଠାରେ ପ୍ରସ୍ତୁତ ହେଉଥିବା ପୋଚସବୁକୁ ନଷ୍ଟ କରିବା ସହ ଡ୍ରମଗୁଡିକୁ ମଧ୍ୟ ନଷ୍ଟ କରାଯାଇଥିଲା ।

ଅଭିଯୋଗ ଅନୁସାରେ ଏବେବି ଖଣ୍ଡପଡା ଅଂଚଳର ଏକାଧିକ ଭାଟି ଉପରେ ନିୟମିତ ଚଢାଉ କରାଯାଉଛି ଆଉ ମୋଟା ଅଙ୍କର ଲାଂଚ କାରବାର ପରେ ସେମାନଙ୍କୁ ଛାଡି ଦିଆଯାଉଛି । ଖଣ୍ଡପଡା ଅବକାରୀ ଥାନାର ଏସଆଇ ହଟିଆ ବେହେରା ଓ କନେଷ୍ଟବଳ ପ୍ରଦୀପ୍ତ ନାୟକ କୁଆଡେ ଏହି ତମାମ କାରନାମା ଚଲାଇ ଆସିଛନ୍ତି ।

ସେପଟେ ବ୍ୟବସାୟୀଙ୍କ ଅଭିଯୋଗ ହେଲା, ଦୋକାନ ଲାଇସେନସ କରାଇଦେବା ନାଁରେ ଏମାନଙ୍କୁ ଶୋଷଣ କରି ଭଭୟ ଏସଆଇ ଓ କନଷ୍ଟେବଳ ମାଲାମାଲ ହେଉଛନ୍ତି । କିନ୍ତୁ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃ୍କ୍ତ ଏସଆଇ ।

ଏସବୁ ଭିତରେ ଚୋରାବେପାରୀ ଓ ହଟିଆ ବାବୁଙ୍କ କଥାବାର୍ତାର ଏକ ଅଡିଓ ପୁରା ଘଟଣାର ଗୁମର ଖୋଲିଦେଇଛି । ଅଡିଓରେ ଚୋରା ବେପାରିଙ୍କ ସହ ଉଭୟ ହଟିଆ ବେହେରା ଓ ପ୍ରଦୀପ୍ତ ନାୟକ ଡିଲ କରୁଥିବା ସ୍ପଷ୍ଟ ବାରିହୋଇପଡୁଛି । ଖାଲି ସେତିକି ନୁହଁ ଆବଶ୍ୟକ ହେଲେ କ୍ରାଇମ କରିବା ପାଇଁ ପିଲା ମଧ୍ୟ ଯୋଗାଇଦେବେ ବୋଲି ଏସଆଇ କହୁଛନ୍ତି ।

ପୁରା ଘଟଣାରେ କନେଷ୍ଟବଳ ପ୍ରଦୀପ ନାୟକ ମୁଖ୍ୟ କାର୍ପଟଦାର ସାଜିଥିବା ଜଣାପଡିଛି । ଏ ସଂପର୍କରେ ବେପାରୀଙ୍କୁ ବାରମ୍ବାର ଫୋନ କରୁଥିବାର ଅଡିଓ ମଧ୍ୟ ଆମର କନକ ନ୍ୟୁଜର ହସ୍ତଗତ ହୋଇଛି ।

ସେପଟେ ନୟାଗଡ ଓ ଖଣ୍ଡପଡା ଅଂଚଳରେ ଏଭଳି ଘଟଣାକୁ ଅସ୍ୱୀକାର କରିଛନ୍ତି ନୟାଗଡ ଅବକାରୀ ବିଭାଗର କାର୍ଯ୍ୟନିର୍ବାହୀ ସୁପରିଟେଣ୍ଡେଟ । ସେ କହିଛନ୍ତି. ଅଡିଓ କ୍ଳିପ ନେଇ ଅନୁଧ୍ୟାନ କରାଯିବା ସହ ଦୋଷ ପ୍ରମାଣ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ପ୍ରଶ୍ନ ଉଠୁଛି, ଘଟଣା ସାମ୍ନାକୁ ଆସିବା ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ହେବ କି କାର୍ଯ୍ୟାନୁଷ୍ଠାନ ।