୧୦ ହଜାର ଟଙ୍କାରେ ଅନ୍ଧାର ହୋଇଯିବ ସ୍ମାର୍ଟସିଟିର ହାଇପ୍ରୋଫାଇଲ ଅଞ୍ଚଳ । ହୋଟେଲ ରୁମରେ ଡିଲ୍ ପକ୍କା ହେଲା, ରାତି ୭.୧୦ରେ ଲାଇନ କଟିଲା । ଅପରେସନ ବ୍ଲାକଆଉଟରେ ସାମ୍ନାକୁ ଆସିଲା ସରକାରୀ ଅଫିସରଙ୍କ ବଡ ସତ ।

1,033

କନକ ବ୍ୟୁରୋ : ସନ୍ଧ୍ୟା ହେଲେ ଆପଣଙ୍କ ଘରେ ବିଜୁଳି ବଲବ ପଛେ ମିଞ୍ଜି ମିଞ୍ଜି ହେଇ ଜଳୁଥାଉ । ଖରାଦିନେ ଲୋ’ ଭୋଲଟେଜରୁ ଆପଣଙ୍କ ପଙ୍ଖା ବୁଲୁ କି ନବୁଲୁ । ପିଲା ଲଣ୍ଠନ କି ଡିବି ଜାଳି ପାଠ ପଢନ୍ତୁ । ଘଂଟା ଘଂଟା ଧରି ପାୱାରକଟ୍ ହେଉ ପଛେ । ମାସ ସରିଲେ ଆପଣଙ୍କୁ ଭରିବାକୁ ପଡିବ ବିଜୁଳି ବିଲ ।
ମାସକୁ ୫୦ ୟୁନିଟ ଯାଏଁ ବିଜୁଳି ଜାଳିଲେ ୟୁନିଟ ପିଛା ୨.୫୦ ଟଙ୍କା
୫୦ରୁ ୨୦୦ ୟୁନିଟ ଯାଏଁ ୟୁନିଟ ପିଛା ୪.୩୦ ଟଙ୍କା
୨୦୦ରୁ ୪୦୦ ୟୁନିଟ ଯାଏଁ ୟୁନିଟ ପିଛା ୫.୩୦ ଟଙ୍କା
ଆଉ ୪୦୦ ୟୁନିଟରୁ ଅଧିକ ବିଜୁଳି ଜାଳିଲେ ୫.୭୦ ଟଙ୍କା
ହିସାବରେ ଗଣିବାକୁ ପଡିବ ବିଜୁଳି ବିଲ । ମାସ ଭିତରେ ଯେତେଥର ପାୱାର କଟ୍ ହୋଇଥିଲେ ବି । ଆପଣ ଯେତେ ଅସୁବିଧା ଭୋଗିଥିଲେ ବି । ନା ବିଜୁଳି ବିଲରେ ରିହାତି ଅଛି, ନା ଏହାକୁ ଭରିବା ପାଇଁ ଥିବା ସମସ ସୀମାରେ କୌଣସି କୋହଳ ହେବ ।

ଉପଭୋକ୍ତାଙ୍କ ତଣ୍ଟି ଚିପି ମାଲାମାଲ ହେଉଛନ୍ତି ବିଜୁଳି ବିତରଣ କମ୍ପାନି । ହେଲେ ପରିସ୍ଥିତି ତାଠାରୁ ସାଙ୍ଘାତିକ ହୋଇଯାଏ, ଯେତେବେଳେ ବିକ୍ରି ହୋଇଯାଆନ୍ତି ବାବୁ । ଗାନ୍ଧୀ ମୁଣ୍ଡ ଥିବା ନାଲି ନୋଟ ଦେଖିଲେ ବଦଳିଯାଏ ଅଫିସରଙ୍କ ଚରିତ୍ର । ବିବେକକୁ ବଜାରରେ ବିକି ଦେବାକୁ ପଛାନ୍ତି ନାହିଁ ଲକ୍ଷ ଲକ୍ଷ ଟଙ୍କାର ଦରମା ନେଇ ଆପଣଙ୍କୁ ବିଜୁଳି ଯୋଗାଉଥିବା ଜେଇ, ଏସଡିଓ କିମ୍ବା ଏକଜିକ୍ୟୁଟିଭ ଇଞ୍ଜିନିୟର ।

ଲିକିଂ ଗୁରୁ ଡଟ୍ କମର ସାମ୍ବାଦିକଙ୍କ ସହ କଥା ହୋଇଥିଲେ ଭୁବନେଶ୍ୱର ଭିଏସଏସ ନଗର ଇଲେକ୍ଟ୍ରିକ ସବ ଡିଭିଜନର ଜୁନିୟର ଇଞ୍ଜିନିୟର ସୁବ୍ରତ ଦାସ । ଉପୁରି ଟଙ୍କା ଲୋଭରେ କେଉଁ ସମୟରେ ଓ କେଉଁ ଯାଗାରେ କାଟିବେ ଲାଇନ ଗୋଟିଏ ଇନଭରଟର କମ୍ପାନିର କର୍ମଚାରୀଙ୍କ ସହ କରୁୁଛନ୍ତି ଅସାଧୁ ଡିଲ । ୧୦ ହଜାର ଟଙ୍କା ନେଇ ରାଜଧାନୀ ଭୁବନେଶ୍ୱର ଭଳି ହାଇପ୍ରୋଫାଇଲ ଅଂଚଳରେ ଘଂଟାଏ ବିଜୁଳି କାଟିଦେବାରେ ତାଙ୍କର କିଛି ଅସୁବିଧା ନାହିଁ । ଡିଲ ସରିବା ପରେ ଏବେ ସମୟ ଏହାକୁ କାର୍ଯ୍ୟକାରୀ କରିବାର । ଅର୍ଥାତ ଅଫିସରେ, ହୋଟେଲରେ ଇନଭଟର କମ୍ପାନି ଏଜେଂଟଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବିଜୁଳି ବିଭାଗ ବାବୁ, ନିର୍ଦ୍ଧାରିତ ସମୟରେ ତାକୁ ଏକଜିକ୍ୟୁଟ ବି କରିଥିଲେ । ନିଜ ଚାକିରି, କାମ କରୁଥିବା ଲୋକଙ୍କ ପ୍ରତି କମିଟମେଂଟ ଥାଉ କି ନଥାଉ, ପଇସା ପାଇଁ କରିଥିବା ଡିଲ ପ୍ରତି ବେଶ କମିଟେଡ୍ ଏହି ଅଫିସର ଜଣକ ।

ସୁବ୍ରତ ଦାସ, ଜେଇ, ଭିଏସଏସ ନଗର- ହଁ କୁହନ୍ତୁ ।
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ପ୍ରଭୁଜୀ ଇଂଲିସ ମିଡିଅମ ସ୍କୁଲ ସାମ୍ନାରେ ଆମେ ଅଛୁ ଏବେ । ଏହି ଏରିଆ ତ?
ସୁବ୍ରତ ଦାସ, ଜେଇ, ଭିଏସଏସ ନଗର- ପୁରା ସିଧା ଯାଆନ୍ତୁ । ଆଗକୁ ଯାଆନ୍ତୁ, ପୁରା କଲୋନୀ ଅଛି । ପୁରା ଆଗଯାଏଁ ଯାଆନ୍ତୁ ।
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ଏଠିକାର ପପୁଲେସନ କେତେହେବ? କଞ୍ଜ୍ୟୁମର ବେସ୍ କେତେ ହେବ?
ସୁବ୍ରତ ଦାସ, ଜେଇ, ଭିଏସଏସ ନଗର- ପପୁଲେସନ…, ସେ ଏରିଆରେ … ୭ଶହ ଘର ଅଛି ତା ଭିତରେ । ସେହି କଲୋନିରେ । ଆଉ ଆଗକୁ କଲୋନି ଅଛି ମିଶେଇ ପାଖାପାଖି ଦେଢ ହଜାର ହୋଇଯିବ । ୧୫ଶହ ପାଖାପାଖି, ୧୫ଶହ, ୨ ହଜାର ପାଖାପାଖି । ଯେତେ ଲାଇନ ବନ୍ଦଅଛି ଏବେ ।
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ଠିକ ଅଛି ଏହାକୁ ଅଧଘଂଟା କରୁଛନ୍ତି ନା ଏବେ?
ସୁବ୍ରତ ଦାସ, ଜେଇ, ଭିଏସଏସ ନଗର- ଏବେ ପିଏମଙ୍କ ମିଟିଂ ଚାଲିଛି ନା ୟୁଏନରେ । ୭ଟା ୧୫ରେ ଏବେ ଦେବ ତାଙ୍କ ଭାଷଣ । ସେଥିପାଇଁ ଇନକମ ଟାକ୍ସ କଲୋନି, ସେଂଟ୍ରାଲ ରେଭିନ୍ୟୁ କଲୋନି, ପୋଷ୍ଟାଲ କଲୋନିସବୁ ଅଛି । ସବୁ ବଡ ବଡ ଇନଷ୍ଟିଚ୍ୟୁସନ ଅଛି । ଲାଇନ କାଟିବା ପରେ ଫୋନ ଆସିଗଲା ସାଙ୍ଗେସାଙ୍ଗେ ।
ସାମ୍ବାଦିକ, ଲିକିଂ ଗୁରୁ ଡଟ୍ କମ୍- ଏବେ ସେହି ଏରିଆରେ କଟିଛି ତ? ଠିକ ଅଛି ।

ଗୋଟିଏ ପଟେ ଜାତିସଂଘରେ ଚାଲିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ । ତାଙ୍କ ଅଭିଭାଷଣକୁ ଅନାଇ ରହିଥିଲେ ଭୁବନେଶ୍ୱରବାସୀ । ହେଲେ କେନ୍ଦ୍ରୀୟ କର୍ମଚାରୀ ରହୁଥିବା ରାଜଧାନୀର ପ୍ରଭାବଶାଳୀ କଲୋନିଗୁଡିକରେ କାଟି ଦିଆଯାଇଥିଲା ବିଜୁଳି । ପଇସା ପାଇଁ ହୋଇଥିଲା ପାୱାରକଟ୍ । କିନ୍ତୁ ଏହାର ଟିକିଏ ବି ସୁରାକ ପାଇନଥିଲେ ସାଧାରଣ ଲୋକ । ନିତିଦିନିଆ ଭଳି ସେଦିନ ବି ପାୱାରକଟ ହୋଇଥିବ ଭାବି ଚୁପ୍ ବସିଯାଇଥିଲେ ଲୋକେ ।

ଯେଉଁ ଲୋକଙ୍କ ଟିକସ ପଇସାରେ ଦରମା ନିଅନ୍ତି ବାବୁ, ସେହି ଲୋକଙ୍କୁ ବିଜୁଳି ନଦେଇ ଫୋନ ପାଇବା ପରେ ବାହାନା ଦେଖାଉଥିଲେ । ଅଧଘଂଟା ବିଜୁଳି କାଟି ଇନଭଟର କମ୍ପାନିର ବ୍ୟବସାୟ ବୃଦ୍ଧିରେ ସହାୟତା କରୁଥିଲେ । କହିବାକୁ ଗଲେ ଉପୁରି ଟଙ୍କାରେ ନିଜ ପକେଟ ଗରମ କରି ଲୋକଙ୍କ ପ୍ରତି ନିଜ ଦାୟିତ୍ୱକୁ ଆଖି ବୁଜିଦେଇଥିଲେ ଅଧିକାରୀ ଜଣକ ।