କନକ ବ୍ୟୁରୋ : ନିପା ଭାଇରସକୁ ନେଇ କେରଳଙ୍କ ଆତଙ୍କ ପରେ ଚେତାବନୀ ଦେଲା ଆଇସିଏମଆର । ଆଇସିଏମଆର ଡିଜି ରାଜୀବ ବହଲ କହିଛନ୍ତି କରୋନାଠୁ ନିପା ଭାଇରସରେ ମୃତ୍ୟୁ ହାର ଅଧିକ ରହିବା ଆଶଙ୍କା ରହିଛି । ଯେଉଁଠି କରୋନାର ମୃତ୍ୟୁହାର ୨ରୁ ୩% ରହୁଥିଲା ସେଠାରେ ନିପା ସଂକ୍ରମିତଙ୍କ ମୃତ୍ୟୁ ହାର ୩୦ରୁ ୪୦% ଆଶଙ୍କା ରହିଛି । ଏଥିସହ ଆଇସିଏମଆର ଡିଜି କହିଛନ୍ତି ଖୁବ ଶିଘ୍ର ନିପା ଟିକା ପ୍ରସ୍ତୁତି ଉପରେ କାମ ଚାଲିଛି ଓ ଖୁବ ଶିଘ୍ର ମିଳିବା ସମ୍ଭାବନା ରହିଛି ।

Advertisment

ନିପା ଭାଇରସ ସଂକ୍ରମଣ ବୃଦ୍ଧି ହେଉଛି । ଏହାର ମୁକାବିଲା ପାଇଁ ସରକାର ଅଷ୍ଟ୍ରେଲିଆରୁ ୨୦ ଡୋଜର ମୋନୋକଲୋନାଲ ଆଟିଂବଡି ଆଣିବେ । ୨୦୧୮ରେ କିଛି ଆଟିଂବଡି ଅଣାଯାଇଥିବାବେଳେ ଏଥିରୁ ନିପା ସଂକ୍ରମିତ ସୁସ୍ଥ ହୋଇଥିଲେ । ସେପଟେ କେରଳରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ୨୪ ସେପ୍ଟମ୍ବର ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଭାଇରସ ସଂକ୍ରମଣରେ ୩ଜଣଙ୍କ ମୃତ୍ୟୁ ଓ ୭ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ୯୫୦ ଜଣଙ୍କୁ ଚିହ୍ନଟ କରାଯାଇଛି । ସେଥିମଧ୍ୟରୁ ୨୧୩ ଜଣ ବିପଦପୂର୍ଣ୍ଣ ବର୍ଗରେ ଅଛି । ୨୮୭ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଯୋଗାଯୋଗ ତାଲିକାରେ ଅଛନ୍ତି । ସେପଟେ କେରଳର ପଡୋଶୀ ରାଜ୍ୟ କର୍ଣ୍ଣାଟକରେ ଆଡଭାଇଜରୀ ଜାରି କରାଯାଇ କେରଳ ନଯିବାକୁ ପରାମର୍ଶ ଦିଆଯାଇଛି ।