କାଳବୈଶାଖୀ ବେଳେ ଘାତକ ସାଜୁଛି ବଜ୍ରପାତ। ଗଜପତି ମୋହନରେ ବଜ୍ରାଘାତରେ ଚାଲିଗଲା ଯୁବତୀଙ୍କ ଜୀବନ 

189

କନକ ବ୍ୟୁରୋ: ବଜ୍ରାଘାତରେ ଚାଲିଗଲା ଯୁବତୀଙ୍କ ଜୀବନ । ଆହତ ହୋଇଛନ୍ତି ଆଉ ଜଣେ ମହିଳା । ଗଜପତି ଜିଲ୍ଲା ମୋହନା ବ୍ଲକରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । କାଳବୈଶାଖୀ ପ୍ରଭାବରେ କିଛି ଦିନ ହେବ ଚାରିଆଡେ ପବନ ବହିବା ସହ ବର୍ଷା ହେଉଛି । ସେହି ସମୟରେ ବିଜୁଳି-ଘଡଘଡି ମାରୁଛି । ସେହି ବଜ୍ରପାତରେ ଜଣେ ଯୁବତୀଙ୍କ ଜୀବନ ଚାଲିଯାଇଛି । ଖବର ଅନୁସାରେ, ମୋହନା ବ୍ଲକ ରାଇଗଣ୍ଡା ଗାଁର ଗାରତି ନାୟକ ଘର ବାରଣ୍ଡାରେ ବସି ମୋବାଇଲ ଦେଖୁଥିଲେ । ସେହି ସମୟରେ କାଳବୈଶାଖୀ ପ୍ରଭାବରେ ହଠାତ୍ ବିଜୁଳି ମାରିବାରୁ ଗାରତି ସେହିଠାରେ ହିଁ ଅଚେତ୍ ହୋଇଯାଇଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ପାଣିଗଣ୍ଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ମୋହନାକୁ ସ୍ଥାନାନ୍ତର କରାଯାଇଥିଲା । ମୋହନା ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ଆଉ ଏକ ଘଟଣା ଘଟିଛି ଆର-ଉଦୟଗିରି ଥାନା ଅନ୍ତର୍ଗତ ସୁଗାଡ ଗାଁରେ । ସୁଗାଡ ଗାଁର ପାର୍ବତୀ ଗମାଙ୍ଗ ବଜ୍ରାଘାତରେ ଆହତ ହୋଇଛନ୍ତି । ପାର୍ବତୀ ସ୍ୱାମୀଙ୍କ ସହ ଆର-ଉଦୟଗିରିରୁ ଗାଁକୁ ଫେରୁଥିବା ବେଳେ ବଜ୍ରପାତ ହୋଇଥିଲା । ସେଥିରେ ସେ ଆହତ ହୋଇ ତଳେ ପଡିଯାଇଥିଲେ । ପାର୍ବତୀଙ୍କୁ ପ୍ରଥମେ ଚନ୍ଦ୍ରଗିରି ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।