ସମ୍ବଲପୁର, ବରଗଡରେ ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ । ବଜାରରେ ବୁଲୁଛି ନକଲି ଟିକା : କରୋନା ଟିକା ଉଦ୍ଭାବନ କରିଥିବା କହି ଗାଁରେ ବିକି ଚାଲିଥିଲେ ପ୍ରହଲାଦ ବିଶି

1,208

କନକ ବ୍ୟୁରୋ : ସାବଧାନ ! ବଜାରରେ ବୁଲୁଛି ନକଲି କରୋନା ଟିକା । ସଂବଲପୁର ଓ ବରଗଡର ଗ୍ରାମାଂଚଳରେ ଏବେ ନକଲି କରୋନା ଟିକା ବିକ୍ରି ହେଉଥିବା ଖବର ଆସିଛି ସାମ୍ନାକୁ । କରୋନା ସମୟରେ ବରଗଡରେ ଲୋକଙ୍କ ଜୀବନ ସହ ସାଂଘାତିକ ଖେଳ ଚାଲିଛି । କରୋନା ଟିକା ଉଦ୍ଭାବନ କରିଥିବା କହି ବରଗଡ ଋଷୁଡା ଗାଁରେ ବିକି ଚାଲିଥିଲେ ପ୍ରହଲାଦ ବିଶି ନାମକ ଜଣେ ବ୍ୟକ୍ତି । ଖବର ପାଇ ଡ୍ରଗ୍ସ କଂଟ୍ରୋଲରଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ଏସପିଙ୍କ ନେତୃତ୍ୱରେ ଚଢାଉ ହୋଇଥିଲା । ଏଥିରେ ସାମିଲ ହୋଇଥିଲା ଭେଡେନ୍ ପୋଲିସ, ରଷୁଡା ଫାଣ୍ଡି ପୋଲିସ, ଡ୍ରଗ୍ସ ଇନ୍ସପେକ୍ଟର ସଂବଲପୁର ।

ଏହି ଚଢାଉରେ ପ୍ରହଲାଦ ବିଶିଙ୍କ ଠାରୁ ୧୨ରୁ ୧୪ଟି ଭାକ୍ସିନ୍ ବୋତଲ ଜବତ ହୋଇଛି । ତେବେ ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ଭାକସିନ୍ ଶିଶି ଗୁଡିକରେ ଔଷଧର ଉପାଦାନକୁ ନେଇ କୌଣସି ତଥ୍ୟ ନାହିଁ । ଯାହାକୁ ନେଇ ନକଲି ଔଷଧର ସନ୍ଦେହ ଦୃଢୀଭୂତ ହୋଇଛି । ଏହି ଶିଶି ଗୁଡିକରେ କେବଳ ଭାକ୍ସିନ, କୋଭିଡ ୧୯, କରୋନା ୱାର୍ଲଡ ଇନଡିନ୍ ଇଂଜେକ୍ସନ ଆଇପି ଲେଖା ରହିଛି । ଏହାର ମୂଳ ଉପାଦାନ ନେଇ ଏହାକୁ ବିକ୍ରି କରୁଥିବା ପ୍ରହଲାଦ ବିଶେଷ କିଛି କହିନାହାନ୍ତି ।

ତେବେ ପ୍ରହଲାଦ ବିଶି ପେଶାରେ ଡାକ୍ତର ନୁହଁନ୍ତି । କେମିଷ୍ଟ କିଂବା ସେଭଳି କିଛି ଶିକ୍ଷାଗତ ଯୋଗ୍ୟତା ବି ତାଙ୍କ ନିକଟରେ ନାହିଁ । ବର୍ତମାନ କରୋନା ନେଇ ସାରା ବିଶ୍ୱ ଔଷଧକୁ ନେଇ ଅପେକ୍ଷାରେ ରହିିଥିବା ବେଳେ ବରଗଡରେ ଏହାକୁ ବିକ୍ରି କରାଯିବା ପ୍ରଶାସନ ପାଇଁ ବଡ ଚ୍ୟାଲେଂଜ ହୋଇଛି । ତେବେ ଏପରି କୌଣସି ନକଲି ଔଷଧ ଆଡକୁ ପ୍ରଭାବିତ ନହେବାକୁ ଡ୍ରଗ୍ସ ଡିପାର୍ଟମେଂଟ ପରାମର୍ଶ ଦେଇଛି ।