ବିଧାନସଭାରେ ଅଚଳାବସ୍ଥା ନେଇ ହାତଟେକି ଦେଲେ ବାଚସ୍ପତି : କହିଲେ, ସବୁ ସଦସ୍ୟ ବିଶୃଙ୍ଖଳିତ ଆଚରଣ କଲେ, ସେ କରିବେ କ’ଣ ?

ବିରୋଧୀ ଓ ଶାସକ ଦଳର ହଟ୍ଟଗୋଳ ଯୋଗୁଁ ୬ଦିନ ହେଲା ଚାଲିପାରୁନି ବିଧାନସଭା

211

କନକ ବ୍ୟୁରୋ : ବିଧାନସଭା ଅଚଳାବସ୍ଥାକୁ ନେଇ ହାତ ଟେକିଦେଲେ ବାଚସ୍ପତି । ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ସମସ୍ତ ସଦସ୍ୟ ଗୃହରେ ବିଶୃଙ୍ଖଳିତ ଆଚରଣ କଲେ ସେ କରିବେ କ’ଣ । ସମସ୍ତ ସଦସ୍ୟ ଗୃହ ଚାଲିବା ପାଇଁ ପ୍ରସ୍ତୁତ ନାହାଁନ୍ତି. ତେଣୁ ସେ ନାଚାର ବୋଲି କହିଛନ୍ତି । ବିରୋଧୀ ଓ ଶାସକ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଚାଲିପାରୁନି ବିଧାନସଭା । ଷଷ୍ଠ ଦିନରେ ବି ଗୃହରେ ଅଚଳାବସ୍ଥା ଜାରି ରହିଛି ।

ଆଜି ବିଧାନସଭା ଆରମ୍ଭ ହେବା ମାତ୍ରେ ତିନି ଦଳର ସଦସ୍ୟ ହୋହଲ୍ଲା କରିଥିଲେ । ମମିତା ମେହେର ପ୍ରସଙ୍ଗରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହ ମଧ୍ୟ ଭାଗରେ ହଙ୍ଗାମା କରିଥିଲେ । ବିଜେପି ବିଧାୟକମାନେ ମଧ୍ୟ ଗୃହ ମଧ୍ୟକୁ ଆସି ଘଂଟା ବଡାଇ ପ୍ରତିବାଦ କରିଥିଲେ । ସେହିପରି ଶାସକ ଦଳର ସଦସ୍ୟମାନେ ମଧ୍ୟ ଗୃହରେ ଗଙ୍ଗା ଜଳ ପକାଇଥିଲେ । ବିରୋଧୀଙ୍କୁ ସଦ୍ବୁଦ୍ଧି ମିଳୁ କହି ଗଙ୍ଗା ଜଳ ଛିଂଚିଥିବା କହିଛି ବିଜେଡି । ଗୃହରେ ହୋହଲ୍ଲା ଯୋଗୁ ବାଚସ୍ପତି ଦିନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

ଗୃହ ମୁଲତବୀ ପରେ ବିଧାନସଭା ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତି ତଳେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ । ଦର ବୃଦ୍ଧି ପ୍ରତିବାଦରେ ବିଜେଡି ବିଧାୟକମାନେ ଧାରଣା ଦେଇଛନ୍ତି । କେନ୍ଦ୍ର ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଦଳ ଅଭିଯୋଗ କରିଛି । ହାତରେ ବଡ ବଡ ବ୍ୟାନର ଧରି ଧାରଣାରେ ବସିଛନ୍ତି ଶାସକଦଳର ବିଧାୟକ । ଗ୍ୟାସ, ତେଲ ଦର ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ଓ କେନ୍ଦ୍ରୀୟ ଅନୁଦାନ କାଟ୍ ପ୍ରସଙ୍ଗରେ ଆନ୍ଦୋଳନ କରୁଛି ବିଜେଡି ।

ସେହିପରି ବିଜେପି ବିଧାୟକମାନେ ଗୃହ ମୁଲତବୀ ହେଲା ପରେ ବିଧାନସଭା ପରିସରରେ ପ୍ରତିବାଦ କରିଛନ୍ତି । ଜଗନ୍ନାଥଙ୍କ ଫଟୋ ରଖି ଘଂଟ ବଜାଇ ଭୋଗ ବାଂଟି ପ୍ରତିବାଦ ଜଣାଇଛନ୍ତି । ଜଗନ୍ନାଥ ଶାସକ ଦଳକୁ ସଦ୍ବୁଦ୍ଧି ଦେବେ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି । ଗୃହ ଭିତରୁ ବିଜେପି ବିଧାୟକମାନେ ଘଂଟ ବଜାଇ ବାହାରକୁ ଆସିଥିଲେ । ଏହ ପରେ ଏକାଠି ହୋଇ ଜଜଗନ୍ନାଥଙ୍କ ଫଟୋ ରଖି ପ୍ରତିବାଦ କରିଛନ୍ତି ।

କଂଗ୍ରେସ ମଧ୍ୟ ମମିତା ମେହେର ପ୍ରସଙ୍ଗରେ ପ୍ରତିବାଦ ଜାରି ରଖିଛି । ଗୃହ ୪ଟା ପର୍ଯ୍ୟନ୍ତ ମୁଲତବୀ ହେବା ପରେ କଂଗ୍ରେସ ବିଧାୟକମାନେ ବିଧାନସଭା ଚାରିପାଖ ପରିକ୍ରମା କରିଛନ୍ତି । ହାତରେ ପ୍ଲାକାର୍ଡ ଓ ବ୍ୟାନ୍ର ଧରି ବିଧାନସଭା ଚାରିପାଖ ପରିକ୍ରମା କରିଥିଲେ କଂଗ୍ରେସ ବିଧାୟକ । ତୁରନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରାଯାଉ ବୋଲି କଂଗ୍ରେସ ବିଧାୟକ ଦାବି କରିଛନ୍ତି ।