ଚେତାଇ ଦେଲେ ପରିବହନ ମନ୍ତ୍ରୀ, ଆସନ୍ତା ୧ରୁ କଡାକଡି ହେବ ନୂଆ ଟ୍ରାଫିକ ନିୟମ । ଗାଡି କାଗଜପତ୍ର ପାଇଁ ଆରଟିଓ ଅଫିସରେ ଅସମ୍ଭାଳ ଭିଡ ।

501

କନକ ବ୍ୟୁରୋ : ହାତରେ ଆଉ ମାତ୍ର ୪ ଦିନ । ପୁଣି ଥରେ କଡ଼ାକଡ଼ି ଭାବେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ଆଉ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବା ପାଇଁ ରାଜ୍ୟର ବିଭିନ୍ନ ପରିବହନ କାର୍ଯ୍ୟାଳୟ ଗୁଡ଼ିକରେ ଲାଗୁଛି ଅସମ୍ଭାଳ ଭିଡ଼ । ଭୁବନେଶ୍ୱର, କଟକ, ନୟାଗଡ଼ ଏବଂ କେନ୍ଦ୍ରାପଡ଼ାରେ ଆଜି କେମିତି ଥିଲା ଆରଟିଓ ଅଫିସର ସ୍ଥିତି । ଏହାର ସ୍ଥିତି ପରଖିଥିଲା କନକ ନ୍ୟୁଜ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଥିବା ସମୟ ସୀମା ସରିବା ପୂର୍ବରୁ ପରିବହନ ମନ୍ତ୍ରୀଙ୍କ ସତର୍କବାଣୀ ପୁଣି ଥରେ ଗାଡ଼ି କାଗଜପତ୍ର ପ୍ରସ୍ତୁତିକୁ ନେଇ ଲୋକଙ୍କ ଭିତରେ ତତ୍ପରତା ବଢ଼ାଇ ଦେଇଛି । ଏବେ ଲୋକଙ୍କ ହାତରେ ମାତ୍ର ୪ ଦିନ ସମୟ । ଡିସେମ୍ବର ପହିଲାରୁ ପୁଣି ପୂର୍ବଭଳି କଡ଼ାକଡ଼ି ଭାବେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ସେଇଥିପାଇଁ ଭୁବନେଶ୍ୱର ଆରଟିଓ- ଦୁଇରେ ଏହି ଅସମ୍ଭାଳ ଭିଡ଼ । ଦିନ ସରିଯାଉଛି ସିନା କିନ୍ତୁ ଲାଇନ୍ ସରୁନି । ଆଉ ଅନ୍ୟପଟେ ପରିବହନ ମନ୍ତ୍ରୀଙ୍କ ବୟାନ ରାଜଧାନୀରେ ଗାଡି ଚାଳକଙ୍କ ମନରେ ଛନକା ଭରିଛି ।

ଭୁବନେଶ୍ୱର ଭଳି କଟକରେ ବି ସେହି ସମାନ ଚିତ୍ର । କିଏ ରେଜିଷ୍ଟ୍ରସନ୍ ସାର୍ଟିଫିକେଟ୍ ପାଇଁ ଲାଇନରେ ଲାଗିଛି, ତ ଆଉ କିଏ ଡ୍ରାଇଭିଂ ଲାଇସେନ୍ସ ପାଇଁ ପରିବହନ କାର୍ଯ୍ୟାଳୟରେ ପହଂଚିଛି । ଏଣିକି, ବିନା କାଗଜପତ୍ରରେ ଗାଡ଼ି ଚଳାଇଲେ ଆଉ ମିଳିବନି ନିସ୍ତାର । ଉପଯୁକ୍ତ ପ୍ରମାଣପତ୍ର ନଥିଲେ ଆସନ୍ତା ମାସ ପହିଲାରୁ ଗଣିବାକୁ ହେବ ମୋଟା ଅଙ୍କର ତଣ୍ଡ । ତେଣୁ କଟକ ପରିବହନ କାର୍ଯ୍ୟାଳୟରେ ଲୋକ ଘଂଟା ଘଂଟା ଅପେକ୍ଷା କରି ପ୍ରସ୍ତୁତ କରୁଛନ୍ତି ଆବଶ୍ୟକ ଗାଡ଼ି କାଗଜପତ୍ର ।

ଭୁବନେଶ୍ୱର ରାଜମହଲ ଛକରେ ହୋଇଥିବା ଗଣ୍ଡଗୋଳକୁ ଦୃଷ୍ଟିରେ ରଖି, କାଗଜପତ୍ର ପ୍ରସ୍ତୁତ ପାଇଁ ନିୟମକୁ ୩ ମାସ ପାଇଁ କୋହଳ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ଯେତେବେଳେ ଏହି ସମୟ ସୀମା ସରି ଆସୁଛି, ଗାଡ଼ି ଚାଳକକୁ ପୁଣି ଥରେ ଚେତାଇ ଦେଇଛନ୍ତି ପରିବହନ ମନ୍ତ୍ରୀ । ଗାଡି କାଗଜପତ୍ର ପାଇଁ ୩ ମାସର ଲମ୍ବା ସମୟ ଦିଆଯାଇଥିଲା କିନ୍ତୁ ଏହାପରେ ଏହାକୁ କୋହଳ କରାଯିବ ନାହିଁ । ପରିବହନ ମନ୍ତ୍ରୀଙ୍କ ଏହି ସତର୍କବାଣୀ ପରେ ଭୁବନେଶ୍ୱର-କଟକ ସମେତ କେନ୍ଦ୍ରାପଡ଼ା ଏବଂ ନୟାଗଡ଼ ଆରଟିଓ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ଲୋକଙ୍କ ପ୍ରବଳ ଗହଳି ।