ଟିକସଦାତାମାନଙ୍କୁ ପାନକାର୍ଡ ଏବଂ ଆଧାରକାର୍ଡ ମଧ୍ୟରେ ସଂଯୋଗ ନେଇ ପୂର୍ବରୁ ଦିଆଯାଇ ଥିବା ସମୟ ସୀମାରେ କୌଣସି ବୃଦ୍ଧି କରାଯିବ ନାହିଁ । ଚଳିତମାସ ୩୧ ତାରିଖ ସୁଦ୍ଧା ପାନକାର୍ଡ ସହିତ ଆଧାରକାର୍ଡକୁ ସଂଯୋଗ କରିବାକୁ ହେବ ବୋଲି ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ସିଇଓ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି । ଏତଦବ୍ୟତୀତ ସରକାରୀ ରିହାତି, ସମାଜ ମଙ୍ଗଳ ଯୋଜନା ଏବଂ ଅନ୍ୟାନ୍ୟ କେତେକ ଯୋଜନାର ଲାଭ ପାଇଁ ଆଧାର ନମ୍ବରକୁ ଉଲ୍ଲେଖ କରିବା ଏବେ ବଳବତ୍ତର ରହିବ ।

Advertisment

ବ୍ୟକ୍ତିଗତ ଗୋପନୀୟତା ନାଗରିକଙ୍କ ମୌଳିକ ଅଧିକାର ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟର ପ୍ରଭାବ ଆଧାର ଏବଂ ପାନକାର୍ଡ ସଂଯୋଗ ଉପରେ କ’ଣ ପଡ଼ିବ ବୋଲି ପ୍ରଶ୍ନ ହେବାରୁ ଶ୍ରୀ ପାଣ୍ଡେ କହିଛନ୍ତି ଆୟକର ଆଇନରେ ସଂଶୋଧନ ଅଣାଯାଇ ଆଧାର ସହିତ ପାନକାର୍ଡ ସଂଯୋଗ କରାଯାଉଛି । ସେହି ଆଇନ ଅନୁଯାୟୀ ଏହି ସଂଯୋଗ ପ୍ରକ୍ରିୟା ଜାରି ରହିବ ବୋଲି ସେ କହିଛନ୍ତି ।

ସେ କହିଛନ୍ତି, ସୁପ୍ରିମକୋର୍ଟ ସଂସଦରେ ପ୍ରଣୀତ ଆଧାର ଆଇନ ସମ୍ପର୍କରେ କିଛି କହିନାହାନ୍ତି । ତେଣୁ ଆଧାର ଆଇନର ବୈଧତା ରହିଛି । ସରକାରୀ ରିହାତି ଆଦି ପାଇବା ପାଇଁ ଆଧାର ନମ୍ବର ଜରୁରୀ ବୋଲି ଏହି ଆଇନର ଧାରା ୭ରେ ବ୍ୟବସ୍ଥା ରହିଥିବା ସେ କହିଛନ୍ତି ।