‘ଚିତ୍ତି ସାପକୁ ସାବଧାନ’ Photograph: (‘ଚିତ୍ତି ସାପକୁ ସାବଧାନ’)
କନକ ବ୍ୟୁରୋ : ବର୍ଷା ଦିନରେ ବଢିଲାଣି ସାପ କାମୁଡା ଭୟ । ଓଡ଼ିଶାର ଚିର ସହଚର ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆହୁରି ମାରାତ୍ମକ ରୂପ ଧାରଣ କଲାଣି ସାପ କାମୁଡା । ରାଜସ୍ବ ବିଭାଗର ସୂଚନା ଅନୁଯାୟୀ, ପ୍ରତିବର୍ଷ ସାପକାମୁଡାରେ ଯାଉଛି ପ୍ରାୟ ୧୦୦୦ ଜଣଙ୍କ ଜୀବନ । ସାପ ଦଂଶନର ଭୟ ଯେତିକି ରହୁଛି, କିଛି ପ୍ରାଥମିକ ଓ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆଣ୍ଟି ଭେନମର ଅଭାବ ସେତିକି ଚିନ୍ତା ବଢାଉଛି । ସର୍ପାଘାତର ଶିକାର ବ୍ୟକ୍ତି ବଡ ହସ୍ପିଟାଲରେ ପହଞ୍ଚୁ ପହଞ୍ଚୁ ଅକାଳରେ ଜୀବନ ଚାଲି ଯାଉଛି । ଏହାକୁ ଏଡାଇବା ପାଇଁ ସ୍ନେକ ରେସ୍କ୍ୟୁ ପ୍ରୋଟେକସନ ଆପ୍ ଆଣିଛନ୍ତି । କେଉଁ ସ୍ବାସ୍ଥ୍ୟକେନ୍ଦ୍ରରେ ସାପ କାମୁଡା ଇଞ୍ଜେକସନ ଉପଲବ୍ଧ ଅଛି ? ସେନେଇ ସୂଚନା ଦେବ ଏହି ଆପ୍ । ଅନ୍ୟପଟେ କିଛି ସ୍ଥାନରେ ଗୁଣିଗାରେଡି ଭରସାରେ ରହୁଥିବାର ଜୀବନହାନି ହେଉଛି ।
ଗତ ୨ ଦିନରେ ରାଜ୍ୟରେ ସାପ କାମୁଡାରେ ୧୦ ଜଣଙ୍କ ମୃତ୍ୟୁ ଅଧିକ ଚିନ୍ତା ବଢାଇଛି । ମୟୂରଭଞ୍ଜ ବାଘଡା ଅଞ୍ଚଳରେ ଶୋଇଥିବା ବେଳେ ସାପ କାମୁଡ଼ାରେ ବାପା-ପୁଅଙ୍କ ମୃତ୍ୟୁ ହୋଇଛି । ବଲାଙ୍ଗୀର ମାଲାଗୋଦାମପଡାରେ ସର୍ପାଘାତରେ ଯାଇଛି ଭାଇ-ଭଉଣୀଙ୍କ ଜୀବନ। ହସ୍ପିଟାଲ ନ ନେଇ ଅଣଦେଖା କରିବାରୁ ମାର କୋଳ ଖାଲି ହୋଇଯାଇଛି । ଅନ୍ୟପଟେ ବଲାଙ୍ଗୀରରେ ସାପ କାମୁଡାରେ ପୁଅ-ଝିଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ବର ସୋରରେ ସର୍ପ ଦଂଶନରେ ଆଖି ବୁଜିଛନ୍ତି ନାବାଳିକା । ଏସବୁ ଭିତରେ ବର୍ଷା ଦିନେ ଚିତି ସାପ ଠାରୁ ଅଧିକ ସତର୍କ ରହିବାକୁ କହିଛନ୍ତି ଡାକ୍ତର ।
ସର୍ପ ଦଂଶନ, ନେଉଛି ଜୀବନ
ସାପ କାମୁଡ଼ାର ପ୍ରଥମ ୩-୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ
ସର୍ପାଘାତ ପରେ ସଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚିବା ଜରୁରୀ
ଗାଡ଼ିରେ ଜଣଙ୍କ ସହାୟତାରେ ସିଧା ବସାଇ ଡାକ୍ତରଖାନା ନିଅନ୍ତୁ
ସାପ କାମୁଡ଼ା ରୋଗୀଙ୍କୁ ଚଲାଇବା ମନା
ସାପ କାମୁଡ଼ା ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ଆଣ୍ଟିଭେନମ୍ ଦେବା ଜରୁରୀ
ରାଜ୍ୟରେ ସର୍ବାଧିକ ସାପକାମୁଡା ପ୍ରବଣ ୧୦ ଜିଲ୍ଲାକୁ ଚିହ୍ନଟ କରିଛନ୍ତି ସରକାର । ୨୩୨ ପଞ୍ଚାୟତରେ ସାପକାମୁଡା ମୃତ୍ୟୁ ହ୍ରାସ ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର ।
Follow Us