୩୦ରୁ ଅଧିକ ଦେଶରେ ଚିହ୍ନଟ ହେଲାଣି କରୋନାର ଆଉ ଏକ ରୂପାନ୍ତରିତ ପ୍ରକାର : ବ୍ରିଟେନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଲା ‘ଡେଲଟା’ ଠାରୁ ଆହୁରି ଭୟଙ୍କର ‘ଲାମ୍ବଡା’

1,842

କନକ ବ୍ୟୁରୋ : କରୋନାର ଆଉ ଏକ ରୂପାନ୍ତରିତ ପ୍ରକାର । ୩୦ଟି ଦେଶରେ ଚିହ୍ନଟ ହୋଇଛି, ଯାହାକୁ ଲାମ୍ବଡ଼ା ପ୍ରଜାତି ବୋଲି କୁହାଯାଉଛି । ଏହା ଡେଲ୍‌ଟାଠାରୁ ମଧ୍ୟ ଅଧିକ ଭୟଙ୍କର ବୋଲି ବ୍ରିଟେନ୍ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସୋମବାର ୟୁକେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍ କରି କୁହାଯାଇଛି ଯେ, ‘ଦ ଷ୍ଟାର୍’ର ରିପୋର୍ଟ ଅନୁସାରେ ଏହି ଲାମ୍ବଡ଼ା ଭାରିଆଣ୍ଟ ପେରୁଠାରେ ଉତ୍ପତ୍ତିଲାଭ କରିଛି, ଯେଉଁ ଦେଶରେ କୋଭିଡ୍‌-ଜନିତ ମୃତ୍ୟୁହାର ବିଶ୍ବରେ ସର୍ବାଧିକ । ଇଂଲଣ୍ଡରେ ମଧ୍ୟ ଲାମ୍ବଡ଼ା ଭାରିଆଣ୍ଟ ଚିହ୍ନଟ ହୋଇଛି ବୋଲି ଏକ ଅଷ୍ଟ୍ରେଲୀୟ ନ୍ୟୁଜ୍ ପୋର୍ଟାଲ ନ୍ୟୁଜ୍.କମ୍ ପ୍ରକାଶ କରିଥିବା ଏଥିରେ କୁହାଯାଇଛି ।

ଏହି ପୋର୍ଟାଲର ରିପୋର୍ଟ ଅନୁସାରେ, ଅଦ୍ୟାବଧି ଇଂଲଣ୍ଡରେ ଲାମ୍ବଡ଼ା ଭାରିଆଣ୍ଟ ସଂକ୍ରମଣର ଛଅଟି ମାମଲା ଚିହ୍ନଟ ହୋଇଛି । ତେବେ ଏହି ଭାରିଆଣ୍ଟ ଡେଲ୍‌ଟାଠାରୁ ମଧ୍ୟ ଅଧିକ ସଂକ୍ରାମକ ହୋଇଥିବାରୁ ଗବେଷକମାନେ ଚିନ୍ତିତ ହୋଇପଡ଼ିଛନ୍ତି । ମେ ଓ ଜୁନ୍‌ରେ ଲାମ୍ବଡ଼ା ପେରୁରେ ୮୨ ପ୍ରତିଶତ ସଂକ୍ରମଣର କ‌ାରଣ ହୋଇଥିଲା ବୋଲି ୟୁରୋ ନ୍ୟୁଜ୍‌ ପ୍ରକାଶ କରିଛି । ପବ୍ଲିକ୍ ହେଲ୍‌ଥ ଇଂଲଣ୍ଡର ରିପୋର୍ଟ ଅନୁସାରେ ଦେଶରେ ଲାମ୍ବଡ଼ା ସଂକ୍ରମଣର ଅଳ୍ପ କେତୋଟି ମାମଲା ଚିହ୍ନଟ ହୋଇଛି ଏବଂ ଏହି ଭାରିଆଣ୍ଟର ସଂକ୍ରମଣ କ୍ଷମତା ଅଧିକ ଏବଂ ଏହା ବିରୋଧରେ ଆଣ୍ଟିବଡ଼ି ବି କାମ କରୁନାହିଁ । ଲାଟିନ୍ ଆମେରିକା ଓ ଆରିବିୟାନର ୮ଟି ଦେଶରେ ସଂକ୍ରମିତ ହେବା ସହ କ୍ରମଶଃ ଅନ୍ୟ ଦେଶରେ ବି ସଂକ୍ରମିତ ହେବାରେ ଲାଗିଛି ବୋଲି ରିପୋର୍ଟରେ କୁହାଯାଇଛି। ଭାରତରେ ଏ ପର୍ଯ୍ୟନ୍ତ ଲାମ୍ବଡ଼ା ପ୍ରଜାତି ଠାବ ହୋଇନାହିଁ ।