ମୃତ୍ୟୁ ପରେ ବି ପଚାରିଲେନି ପରିବାର କି ଆତ୍ମୀୟ ପରିଜନ । ଶବଦାହ ପାଇଁ ଟ୍ରଲିରେ ବୁହା ହୋଇଯାଉଥିଲେ ମୃତ ବ୍ୟକ୍ତି, ଆମ୍ବୁଲାନ୍ସ ବ୍ୟବସ୍ଥା କରି ଶ୍ମଶାନକୁ ଶବଦାହ ପାଇଁ ପଠାଇଲା ପୋଲିସ୍ ।

871

କନକ ବ୍ୟୁରୋ: ମୃତ୍ୟୁ ପରେ ବି ପଚାରିଲେନି ପରିବାର ଲୋକେ କି ଆତ୍ମୀୟ । ଶବଦାହ ପାଇଁ ଟ୍ରଲିରେ ବୁହା ହୋଇଯାଉଥିଲେ ମୃତ । କୌଣସି ବ୍ୟକ୍ତିର ମୃତ୍ୟୁ ହେଲେ ଅନ୍ତିମ ସଂସ୍କାର ପାଇଁ ପରିବାରର ସଦସ୍ୟ, ବନ୍ଧୁବାନ୍ଧବ, ଆତ୍ମୀୟ ପରିଜନ ଅଥବା ପଡ଼ିଶା କାନ୍ଧ ଦେଇ ଶ୍ମଶାନକୁ ଦାହ ନିମନ୍ତେ ନେଇଥାନ୍ତି । ମାତ୍ର ବାରିପଦା ସହରରେ ଏହାର ବିପରୀତ ଦେଖିବାକୁ ମିଳଛି । ଆଜି ୩ ଜଣ ଲୋକ ଏକ ଟ୍ରଲିରେ ଏକ ମୃତଦେହକୁ ବୋହି ମେଞ୍ଚାବନ୍ଧା ଜଙ୍ଗଲରେ ପୋତିବାକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ବାଧା ଦେଇଥିଲେ । ଫଳରେ ସେମାନେ ପୁଣି ଟ୍ରଲିରେ ଶବକୁ ପକାଇ ଫେରି ଆସୁଥିବା ବେଳେ ବାରିପଦା ଟାଉନ ଥାନାକୁ ଏବାବଦରେ ସୂଚନା ମିଳିଥିଲା । ଟାଉନ ଥାନା ଅଧିକାରୀ ଏକ ଘରୋଇ ଆମ୍ବୁଲାନସ ପଠାଇ ଶବକୁ ଦାହ ନିମନ୍ତେ ଶ୍ମଶାନକୁ ପଠାଇଥିଲେ ।

ସୂଚନା ମୁତାବକ, ବାରିପଦା ସହରର ପାଲବଣି ଅଞ୍ଚଳ ଧନୁ ସିଂ ମୃତ ବୋଲି ଜଣାପଡ଼ିଥିବା ବେଳେ ତାର ଠିକଣା ବିଷୟରେ କାହାକୁ ଜଣା ନ ଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଧନୁ ସିଂ ଆଜକୁ ୬/୭ ବର୍ଷ ହେବ ପାଲବଣି ଅଞ୍ଚଳରେ ରହି ମୁଟିଆ କାମ କରୁଥିଲେ । ତେଣୁ ତାଙ୍କର ଘର ଓ ପରିବାର ସମ୍ପର୍କରେ କାହାକୁ କିଛି ଜଣା ନ ଥିଲା । ଏପରିକି ଧନୁ ସିଂ ମଧ୍ୟ ନିଜର ଘର ପରିବାର ବାବଦରେ କାହାକୁ କେବେ କିଛି କହିନଥିଲେ । ଧନୁ ପାଲବଣି ଶୀତଳ ଭଣ୍ଡାର ନିକଟ ଏକ ବ୍ୟବାସାୟୀଙ୍କ ନିକଟରେ ଲେବର ଭାବେ କାର୍ଯ୍ୟ କରୁଥିଲେ । ଘରଦ୍ୱାର ନଥିବାରୁ ପାଲବଣି ଅଞ୍ଚଳର ସୁରଜ ସୋରେନ ଧନୁ ସିଂଙ୍କୁ ରାତିରେ ଶୋଇବା ପାଇଁ ନିଜ ଘର ବାରଣ୍ଡାରେ ଆଶ୍ରା ଦେଇଥିଲେ । ସୁରଜଙ୍କ କହିବା ଅନୁସାରେ ଧନୁ ୪-୫ ଦିନ ହେବ ଅସୁସ୍ଥ ଥିଲେ, ଗତକାଲି ବିଳମ୍ବିତ ରାତିରେ ବାହାରକୁ ଉଠିଥିବା ସମୟରେ ଧନୁକୁ ଡାକ ପକାଇଥିଲେ ମଧ୍ୟ କୌଣସି ଉତ୍ତର ଆସିନଥିଲା । ନିକଟକୁ ଯିବା ପରେ ଧନୁର ମୃତ୍ୟୁ ହୋଇଥିବାର ଜାଣିବାକୁ ପାଇଥିଲେ ।

ଆଜି ସକାଳେ ଏ ବାବଦରେ ବାରିପଦା ଟାଉନ ଥାନାରେ ଲିଖିତ ଜଣାବା ସହ ଶବ ସତ୍କାର ବ୍ୟବସ୍ଥା କରାଇବାକୁ ନିବେଦନ କରିଥିଲେ। ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ପୋତି ଦେବାକୁ କହିଥିଲେ ବୋଲି ସୁରଜ କହିଛନ୍ତି । ସେହିପରି ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥରେ ଟ୍ରଲିରେ ଏକ ଶବ ବୁହାଯାଉଥିବାର ଦୃଶ୍ୟ ଦେଖି ଏକ ଗଣମାଧ୍ୟମର ପ୍ରତିନିଧି ପୋଲିସକୁ ଫୋନ କରିଥିଲେ । ତେଣୁ ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ନିଜ ଖର୍ଚ୍ଚରେ ଏକ ଆମ୍ବୁଲାନ୍‌ସ ପଠାଇ ମୃତଦେହକୁ ମଶାଣିକୁ ନେବାରେ ସାହାଯ୍ୟ କରିଥିବାର କହିଥିଲେ ।