ଶବ ଅଭାବ !! ଡାକ୍ତରୀ ଛାତ୍ରଙ୍କ ପ୍ରଶିକ୍ଷଣ ପାଇଁ ଏସସିବିରେ ଶବର ଅଭାବ, ମାତ୍ର ଗୋଟିଏ ଶବରେ ୮ ବଦଳରେ ୩୧ ଛାତ୍ରଛାତ୍ରୀ ନେଉଛନ୍ତି ପ୍ରଶିକ୍ଷଣ

559

କନକ ବ୍ୟୁରୋ :କଟକ ବଡ ଡାକ୍ତରଖାନା ଆନାଟୋମି ବିଭାଗରେ ପ୍ରଶିକ୍ଷଣ ପାଇଁ ପିଲାଙ୍କୁ ମିଳୁନି ଶବ। ଫଳରେ ଶରୀର ତତ୍ତ୍ବ ଜାଣିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ। ବିଭାଗରେ ଅଢେଇ ଶହ ପିଲା ପଢୁଥିବାବେଳେ ଗୋଟିଏ ଟେବୁଲରେ ଏକ ସମୟରେ ୮ ଜଣଙ୍କୁ ପ୍ରଶିକ୍ଷଣ ମିଳିବା କଥା। କିନ୍ତୁ ଏବେ ସ୍ଥିତି ଯାହା, ସେଥିରେ ଗୋଟିଏ ମୃତଦେହକୁ ବ୍ୟବହାର କରି ୩୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଉଛନ୍ତି। ଫଳରେ ଏଭଳି ସ୍ଥିତିରେ ବିକଳ୍ପ ବ୍ୟବସ୍ଥା ପାଇଁ ଏସ୍‌ସିବି କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଦିନକୁ ଦିନ ବ୍ୟବସ୍ଥାର ଉନ୍ନିତି ଯୋଗୁଁ ଅପରିଚିତ ଶବ ସଂଖ୍ୟା ହ୍ରାସ ପାଇବା ସହିତ ଡାକ୍ତରୀ ଛାତ୍ରଙ୍କ ପଢିବା ପାଇଁ ଶରୀରଦାନ ସଂଖ୍ୟା ହ୍ରାସ ପାଉଛି। ଫଳରେ କଟକ ବଡ ଡାକ୍ତରଖାନାରେ ଆନାଟୋମି ବିଭାଗର ଛାତ୍ରଛାତ୍ରୀଙ୍କୁ ଶରୀରତତ୍ତ୍ବ ସଂପର୍କରେ ପ୍ରୟୋଗାତ୍ମକ ଶିକ୍ଷାଦାନ ପାଇଁ ଆନାଟୋମେଜ୍‌ ଟେବୁଲ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ଥ୍ରୀ-ଡି ମାଧ୍ୟମରେ ଡାକ୍ତରୀ ଛାତ୍ରଛାତ୍ରୀ ମଣିଷ ଶରୀରର ସମସ୍ତ ଅଙ୍ଗପ୍ରତ୍ୟଙ୍ଗ, ଶିରା, ପ୍ରଶିରା ସଂପର୍କରେ ଜାଣିପାରିବେ। ଏଭଳି ଆନାଟୋମେଜ୍‌ ଟେବୁଲ୍‌ (ଭିଜୁଆଲ ଆନାଟୋମି ଡିସେକ୍‌ସନ୍‌ ଟେବୁଲ୍‌) ସ୍ଥାପନ କରାଯିବ।

ସୂଚନା ଅନୁସାରେ, ରାଜ୍ୟର ସମସ୍ତ ମେଡିକାଲ କଲେଜର ଆନାଟୋମି ବିଭାଗରେ ମୃତଦେହକୁ ସଂରକ୍ଷିତ କରି ରଖାଯାଇଥାଏ। ଡାକ୍ତରୀ ଛାତ୍ରଛାତ୍ରୀମାନେ ମୃତଦେହ ଚିରି ମଣିଷର ଅଙ୍ଗପ୍ରତ୍ୟଙ୍ଗ, ଶିରା ତଥା ମଣିଷ ଶରୀରର ତତ୍ବ ସଂପର୍କରେ ଜ୍ଞାନଲାଭ କରିଥାନ୍ତି। ତେବେ ବର୍ତ୍ତମାନ କଟକ ବଡଡାକ୍ତରଖାନାରେ ଶବ ଓ ମାନବ ସମ୍ବଳର ଅଭାବରୁ ପିଲା ପ୍ରକୃତ ଶବକୁ ଯେଉଁ ଭଳି କାଟି ନିଜର ପ୍ରୟୋଗାତ୍ମକ ଶିକ୍ଷାର ବିକାଶ କରୁଥିଲେ, ତାହା ଆଉ ସମ୍ଭବ ହେଉନାହିଁ। ଏସ୍‌ସିବି ଆନାଟୋମି ବିଭାଗରେ ପ୍ରଥମବର୍ଷରେ ମାତ୍ର ୮ଟି ଶବ ରହିଛି। ସେଥିରୁ ମହିଳା ଶବ ୩ଟି ଓ ପୁରୁଷ ୫ଟି ରହିଛି। ଛାତ୍ରଛାତ୍ରୀ ସଂଖ୍ୟା ଅଢେଇ ଶହ ଥିବାବେଳେ ଗୋଟିଏ ଶବକୁ ବ୍ୟବହାର କରି ୮ ବଦଳରେ ୩୧ଜଣ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ତେବେ ବର୍ତ୍ତମାନ ସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗ୍ରହଣ ସକାଶେ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ୨୦୧୧-୧୨ରେ ବଜାରକୁ ଆସିଛି ଆନାଟୋମେଜ୍‌ ଟେବୁଲ। ଏହି ଟେବୁଲ୍‌ରେ ମଣିଷ ଶରୀରର ପୂର୍ଣ୍ଣାଙ୍ଗ ଥ୍ରୀ-ଡି ଚିତ୍ର ସହ ଶରୀର ମଧ୍ୟରେ ଥିବା ଅଙ୍ଗପ୍ରତ୍ୟଙ୍ଗ ଉପଲବ୍ଧ ରହିଛି।

ଏହି ଟେବୁଲ‌ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସ୍ବାଇପ୍‌ କରି ଅତି ସହଜରେ କୃତ୍ରିମ ମାନବ ଶରୀରକୁ ୩୬୦ ଡିଗ୍ରି ଓଲଟାଇ ପାରିବେ ଓ ଜୁମ୍‌ ମଧ୍ୟ କରିପାରିବେ। ଯଦ୍ବାରା ଶରୀରର ଅତିସୂକ୍ଷ୍ମରୁ ସୂକ୍ଷ୍ମ ଶିରା, ଧମନୀ, ଗ୍ରନ୍ଥୀ, କଣିକା ସବୁ ଦେଖାଯିବ। ଏପରିକି ମଣିଷର ହୃଦ୍‌ସ୍ପନ୍ଦନ ଓ ଶ୍ବାସକ୍ରିୟାକୁ ମଧ୍ୟ ଅନୁଭବ କରିହେବ। ଅସ୍ଥିଶଲ୍ୟ ଓ ଅନ୍ୟାନ୍ୟ ବିଭାଗ ଅସ୍ତ୍ରୋପଚାରର ସମୀକ୍ଷା ଓ ବିଶ୍ଳେଷଣ କରି ନିର୍ଭୁଲ୍‌ଭାବେ ରୋଗୀଙ୍କୁ ପରାମର୍ଶ ଦେଇପାରିବେ ଓ ଅସ୍ତ୍ରୋପଚାରରେ ମଧ୍ୟ ଏହା ସହାୟକ ହେବ। ଏହି ଟେବୁଲରେ ସଂପୂର୍ଣ୍ଣ ମାନବଶରୀର ‌ଉବଲବ୍ଧ ଥିବାବେଳେ ଏହା ସବୁ ବିଭାଗ ପ‌ାଇଁ କାମରେ ଆସିବ। ତେବେ ରାଜ୍ୟର ସମସ୍ତ ମେଡିକାଲ କଲେଜ ସମେତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ପାଇଁ ୯ଟି ‌ ଆନାଟୋମେଜ୍‌ ଟେବୁଲ କିଣିବାକୁ ଓଏସ୍‌ଏମ୍‌ସି ପକ୍ଷରୁ ଟେଣ୍ଡର କରାଯାଇଥିଲା। କିନ୍ତୁ ଗତ ବର୍ଷ ମାର୍ଚ୍ଚ ୮ ତାରିଖରେ ପ୍ରଶାସନିକ କାରଣ ଦର୍ଶାଯାଇ ଏହି ଟେଣ୍ଡରକୁ ବାତିଲ କରାଗଲା। ଯାଫଳରେ କେବଳ ଭିମ୍‌ସାରେ ହିଁ ପ୍ରଥମ ପର୍ଯ୍ୟାୟରେ ଏହି ଆନାଟୋମେଜ୍‌ ଟେବୁଲ ସ୍ଥାପନ କରାଯାଇଛି। ଏସ୍‌ସିବିରେ ଆନାଟୋମି ବିଭାଗରେ ଶବ ଅଭାବ ସମସ୍ୟା ରହିଥିବାରୁ ଏଦିଗରେ ବିକଳ୍ପ ବ୍ୟବସ୍ଥା କରାଯାଉଛି ବୋଲି ଏସ୍‌ସିବି ପ୍ରିନ୍‌ସିପାଲ ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।