କରୋନା ପଜିଟିଭ୍ ସୂଚନା ପରେ ପୁରୀ ସ୍ୱର୍ଗଦ୍ୱାରରୁ ଫେରିଗଲା ଶବ । ଚାରି କାନ୍ଧ ଦେଇ ଆଣିଥିଲେ ପରିବାର, କୋଭିଡ ଜାଣିବା ପରେ ସରକାରୀ ନିୟମରେ ହେଲା ଶବଦାହ ।

754

କନକ ବ୍ୟୁରୋ : ଶବ ଫେରିଗଲା ସ୍ୱର୍ଗଦ୍ୱାରରୁ । ସଂସ୍କାର ହେବା ପାଇଁ ଆସିଥିଲା ଶବ, କିନ୍ତୁ ସଂସ୍କାର ପୂର୍ବରୁ ଫେରିଗଲା । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ସ୍ୱର୍ଗଦ୍ୱାରରେ । ଆଜି ଅସୁସ୍ଥ ହୋଇ ଜଣେ ବ୍ୟକ୍ତି ପୁରୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଫଳରେ ପରିବାର ଲୋକେ ମୃତ ଶରୀରକୁ କାନ୍ଧ ଦେଇ ସ୍ୱର୍ଗଦ୍ୱାର ନେଇ ଆସିଥିଲେ । କିନ୍ତୁ ଏଠାରେ ସଂସ୍କାର କାମ ହେବା ଆଗରୁ ସେମାନେ ଜାଣିବାକୁ ପାଇଲେ ଯେ, ମୃତକଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା । ଏହାକୁ ନେଇ ସଂପର୍କୀୟ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଖାନାରେ ସେମାନଙ୍କୁ କାହିଁକି ରୋଗୀ କରୋନା ପଜିଟିଭ୍ ବୋଲି କୁହାଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ପ୍ରଶାସନର ଏଭଳି ଦାୟିତ୍ୱହୀନତା ପାଇଁ ଆମେ କରୋନା ରୋଗୀଙ୍କୁ କାନ୍ଧ ଦେଇ ଆଣିଲୁ ବୋଲି ଅଭିଯୋଗ କରିଛନ୍ତି । ସେପଟେ ତୁରନ୍ତ ଆମ୍ବୁଲାନ୍ସ ସ୍ୱର୍ଗଦ୍ୱାରକୁ ପଠାଯାଇ ଶବକୁ ଫେରାଇ ଆଣିବା ସହ କୋଭିଡ ନିୟମ ଅନୁସାରେ କାଗଜପତ୍ର କରାଯିବା ପରେ ଶବସଂସ୍କାର ହେବ ବୋଲି ଜଣାପଡିଛି । ଏଣେ କାନେ୍ଧଇ ଥିବା ଲୋକମାନଙ୍କୁ କଂଟାକ୍ଟ ଟ୍ରେସିଂ ନିୟମରେ କୋଭିଡ୍ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ତେବେ ଏଭଳି ଅଭାବନୀୟ ଘଟଣା ପାଇଁ ଦାୟୀ କିଏ ? ଜଣେ କରୋନା ରୋଗୀକୁ କିଭଳି ପରିବାର ଲୋକଙ୍କୁ ହସ୍ତାନ୍ତର କରିଦେଲେ ଡାକ୍ତରଖାନା କର୍ତ୍ତୃପକ୍ଷ ? ରିପୋର୍ଟ ଆସିବା ଯାଏଁ କାହିଁକି ଅପେକ୍ଷା କରାଗଲା ନାହିଁ ?