ଦେବଗଡ଼ ବାଲିରୋଇ ଗାଁରୁ ଆସିଲା ଅଭାବନୀୟ ଖବର: ଜଙ୍ଗଲ ଭିତରୁ ମିଳିଲା ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ

ମହିଳାଙ୍କ ଅଂଟା ତଳକୁ କଟା ହୋଇଥିବା ବେଳେ ପାଖରେ ପଡ଼ିଥିଲା ୨ ଶିଶୁଙ୍କ ମୃତଦେହ

764

କନକ ବ୍ୟୁରୋ: ଦେବଗଡ଼ ଜିଲ୍ଲାରୁ ଆସିଛି ଅଭାବନୀୟ ଖବର । ଜଙ୍ଗଲ ଭିତରୁ ମିଳିଲା ଜଣେ ମହିଳା ଓ ଦୁଇ ଶିଶୁଙ୍କ ମୃତଦେହ । ବାରକୋଟ ଥାନା ଅନ୍ତର୍ଗତ ବାଲିରୋଇ ଗାଁ ନିକଟ ଜଙ୍ଗଲରୁ ୩ଟି ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏହା ମଧ୍ୟରେ ଜଣେ ମହିଳାଙ୍କ ଅଂଟା ତଳକୁ କଟାଯାଇଥିବା ଏକ ମୃତଦେହ ଥିବା ବେଳେ ଅନ୍ୟ ଦୁଇଟି ଛୋଟ ଶିଶୁଙ୍କ ଶବ ରହିଥିବା ଜଣାପଡ଼ିଛି । ଜଙ୍ଗଲ ଭିତରେ ମୃତଦେହ ପୋତା ହୋଇଥିବା ନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚିଥିଲା ବାରକୋଟ ପୋଲିସ ।

ଜଙ୍ଗଲ ଭିତରେ ଗାତ ଖେଳିବା ପରେ ୩ଟି ମୃତଦେହ ଦେଖିବାକୁ ମିଳିଥିଲା । ମୃତ ଶିଶୁଙ୍କ ପୋଷାକ ଓ ଜୋତା ମଧ୍ୟ ଜବତ ହୋଇଛି । ମୃତ ଦୁଇ ଶିଶୁଙ୍କ ପେଷାକରୁ ସେମାନେ ଝିଅ ପିଲା ବୋଲି ଅନୁମାନ କରାଯାଉଛି । ତେବେ ଜଙ୍ଗଲ ଭିତରେ ତିନି ଜଣଙ୍କ ମୃତଦେହ କିପରି ଆସିଲା, ଏହାକୁ ନେଇ ଛାନଭିନ କରୁଛି ପୋଲିସ । ମୃତ ମହିଳା ଜଣକ କମଳା ରଂଗର ଶାଢୀ ପିନ୍ଧିଥିବା ଦେଖିବାକୁ ମିଳିଛି । ଡଗ୍ ସ୍କ୍ୱାଡ୍ ଓ ସାଇଂଟିଫିକ୍ ଟିମ୍ ପହଁଚି ଘଟଣାର ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ମେଡିକାଲକୁ ପଠାଯାଇଛି ।