ନିଶା ଛାଡିବାକୁ ନିଶା ନିବାରଣ କେନ୍ଦ୍ରରେ ଛାଡିଥିଲେ । ଏବେ ମିଳିଲା କ୍ଷତାକ୍ତ ମୃତଦେହ

171

କନକ ବ୍ୟୁରୋ : ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ, କିନ୍ତୁ ଏବେ ମିଳିଛି କ୍ଷତାକ୍ତ ମୃତଦେହ । ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ଭଦ୍ରକ ଜିଲ୍ଲା ଧାମନଗର ଥାନା ବାସ୍ତବ ନିଶା ନିବାରଣ କେନ୍ଦ୍ର ବିରୋଧରେ ଏପରି ଅଭିଯୋଗ ଆସିଛି । ଯାଜପୁର ଜିଲ୍ଲା ହରିପୁର ଗାଁର କେଦାରନାଥ ପରିଡ଼ାଙ୍କୁ ତାଙ୍କ ପରିବାର ଗତ ୪ତାରିଖରେ ବାସ୍ତବ ନିବାରଣ କେନ୍ଦ୍ରରେ ଭର୍ତି କରିଥିଲେ । ଏହାର କିଛି ଦିନ ପରେ କେନ୍ଦ୍ରକୁ ପରିବାରଲୋକ ଆସିଥିବା ବେଳେ ସିସିଟିଭି ଜରିଆରେ କେଦାରନାଥଙ୍କୁ ଦେଖାଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ଗତକାଲି ସେ ଅସୁସ୍ଥ ଥିବା ପରିବାରଲୋକଙ୍କୁ ଜଣାଯାଇଥିଲା । ପରେ ଭଦ୍ରକ ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଥିଲା । ପରିବାର ଲୋକ ଆସି ଦେଖିଥିଲେ ଯେ କେଦାରନାଥଙ୍କ ମୃତ୍ୟୁ ହୋଇଥିବା ବେଳେ ଦେହରେ କ୍ଷତ ଚିହ୍ନ ରହିଛି । ମାଡ଼ ହୋଇଥିବା ଚିହ୍ନ ମଧ୍ୟ ରହିଥିବା କହି କେଦାରନାଥଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର । ଘଟଣାକୁ ନେଇ ନିଶା ନିବାରଣ କେନ୍ଦ୍ର କର୍ତୃପକ୍ଷଙ୍କ ସହ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । କେଉଁ ପରିସ୍ଥିତିରେ କେଦାରନାଥଙ୍କ ମୃତ୍ୟୁ ହେଲା ଧାମନଗର ପୁଲିସ ତାର ତଦନ୍ତ ଆରମ୍ଭ କରିଛି ।