ବାରଣାସୀର ବିକଳ ଚିତ୍ର । ତରଳି ଯାଉଛି ଶବଦାହ ଚୁଲା, ହେଲେ ସରୁନାହିଁ ଶବ

229

କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତି ଜାତୀୟ ଜରୁରୀକାଳୀନ ପରିସ୍ଥିତି ଭଳି । ଏକଥା ଆଜି ସୁପ୍ରିମକୋଟର ମୁଖ୍ୟ ବିଚାରପତି କହିସାରିଛନ୍ତି । ଏ ମହାମାରୀ ଖାଦ୍ୟାଭାବର ମହାମାରୀ ନୁହେଁ, ଅର୍ଥାଭାବର ମହାମାରୀ ନୁହେଁ । ଏ ଏକ ଅଦୃଶ୍ୟଶକ୍ତି କବଳରେ ପଡି ମୃତ୍ୟୁମୁଖକୁ ଟାଣି ହୋଇଯାଉଥିବା ମଣିଷ ମାନଙ୍କ ପାଇଁ ମହାମାରୀ ।

କୁଢ କୁଢ ଶବ । ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଗ୍ୟାସ ଶବଦାହ ଚୁଲାରେ ଗୋଟିଏ ପରେ ଗୋଟିଏ ଶବ ପକାଇଦିଆଯାଉଛି । ଗରମ ହୋଇ ତରଳି ଯାଉଛି ଚୁଲା ହେଲେ ସରୁନି ଶବ । ଏଭଳି ବିକଳଚିତ୍ର ଆସିଛି ଉତ୍ତରପ୍ରଦେଶର ବାରଣାସୀ ସହରରୁ । ବାରଣାସୀ ଓ ସ୍ଥାନୀୟ ସହରରେ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ଦୈନିକ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାର ହରିଶ୍ଚନ୍ଦ୍ର ଘାଟରେ ପ୍ରସ୍ତୁତ ହୋଇଥିବା ଗ୍ୟାସ ଶବଦାହ ଗୃହ ଅନବରତ ଜଳି ଚାଲିଛି । ଏମିତି ପରିସ୍ଥିତି ସୃଷ୍ଟି ହୋଇଛି କି ଜଳି ଜଳି ଚୁଲା ତରଳି ଯାଇଛି । ଯାହା ଫଳରେ ବୁଧବାର ଦିନ ଏଠାରେ ଶବଦାହ ବନ୍ଦ ରହିଛି । ଏହାସହ ତୁରନ୍ତ ଏହାକୁ ମରାମତି କରିବା କାର୍ଯ୍ୟ ଚାଲୁ ରହିଛି । ଆଶା କରାଯାଉଛି କି ଆଜି (ଗୁରୁବାର) ସନ୍ଧ୍ୟା ସୁଦ୍ଧା ଏହା ଠିକ୍ ହୋଇଯିବ ।