କୋରୋନା ଭାଇରସ ଆତଙ୍କ! ଚୀନରେ ରାସ୍ତାରେ ଚାଲୁଥିବା ବେଳେ ଟଳି ପଡୁଛନ୍ତି ରୋଗୀ, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ।

808

ଚୀନରେ କୋରୋନା ଏତେ ଭୟଙ୍କର ରୂପ ଧରିଲାଣି ଯେ ସେଠାରେ ରାସ୍ତା ଉପରେ ରୋଗୀଙ୍କର ମୃତ ଶରୀର ଦେଖିବାକୁ ମିଳୁଛି । ରାସ୍ତାରେ ଚାଲୁ ଚାଲୁ ହିଁ ଟଳି ପଡୁଛନ୍ତି ରୋଗୀ ଓ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହେଉଛି । ଚୀନରୁ ଏବେ କିଛି ଏଭଳି ଚିତ୍ର ସାମ୍ନାକୁ ଆସୁଛି ।

ଦ ସନ ରିପୋର୍ଟ ମୁତାବକ କୋରୋନା ଭାଇରସରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ବୁହାନ ସହରରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ମାସ୍କ ଲଗାଇ ଜଣେ ସାଇକେଲ ଆରୋହୀ ରାସ୍ତାରେ ଯାଉଥିବା ବେଳେ ହଠାତ୍ ଟଳିପଡିଥିଲେ ତେବେ ତାଙ୍କ ପାଖରେ ମେଡିକାଲ ଟିମ୍ ପହଞ୍ଚି ଦେଖିବା ବେଳକୁ ତାଙ୍କର ପ୍ରାଣବାୟୁ ଉଡି ସାରିଥିଲା । ବୁହାନର ଲୋକଙ୍କ କହିବା ଅନୁଯାୟୀ, ଗତ କିଛିଦିନ ହେବ ଏଠାରେ କିଛି ଲୋକ ଏହିଭଳି ଭାବେ ମୃତ୍ୟୁବରଣ କରୁଛନ୍ତି ।

ଚୀନରୁ ପୂରା ବିଶ୍ୱକୁ ବ୍ୟାପୁଥିବା ଏହି ଭାଇରସରେ ୧୧୯୪୩ ଜଣ ସଂକ୍ରମିତ ହୋଇସାରିଲେଣି । ଆଉ ଏମାନଙ୍କ ମଧ୍ୟରୁ ୧୧୭୯୧ ଜଣ ହେଉଛନ୍ତି ଚୀନର । ଏପରିକି ଏହି ଭୟଙ୍କର ଭାଇରସ ପ୍ରଭାବରେ ୨୫୯ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇ ସାରିଲାଣି । ସ୍ଥିତି ଏପରି ହେଲାଣି ଯେ, ଲୋକଙ୍କ ପାଇଁ ମାସ୍କ ମଧ୍ୟ କମ ପଡିଲାଣି । ଯେଉଁଥିପାଇଁ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । କୋରୋନା ଭାଇରସର ପ୍ରଭାବକୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛି ।

ଏସବୁ ଭିତରେ ଚୀନରେ ଥିବା ଭାରତୀୟ ଲୋକଙ୍କୁ ଦେଶକୁ ଫେରାଇ ଅଣାଯାଉଛି । ଖାସକରି ଯେଉଁମାନେ କୋରୋନା ଭାଇରସରେ ଆକ୍ରାନ୍ତ ସେମାନଙ୍କୁ ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ କ୍ୟାମ୍ପକୁ ଅଣାଯାଉଛି । ଏପରିକି ଆମେରିକା ମଧ୍ୟ ଚୀନରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ଅନିଦ୍ଦିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲଗାଇବାକୁ ସଂକେତ ଦେଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର କହିବା ଅନୁଯାୟୀ, ଭାରତ ସମେତ ୨୧ଟି ଦେଶରେ ଏବେ କୋରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି ।