କଟକ ଘରୋଇ ନର୍ସିଂହୋମରେ ଅଭାବନୀୟ ଘଟଣା । ଶବକୁ ୧୨ ଘଂଟା ଯାଏଁ କରାଯାଉଥିଲା ଚିକିତ୍ସା ।

320

କନକ ବ୍ୟୁରୋ: କଟକ ସହରରେ ଶବକୁ ଘଂଟା ଘଂଟା ଧରି ଚିକିତ୍ସା କରାଯାଇଛି ଏବଂ ଚିକିତ୍ସା ଖର୍ଚ୍ଚ ବାବଦରେ ୮୦ ହଜାର ଟଙ୍କା ବି ଦାବି କରାଯାଇଛି । ରୋଗ ଓ ରୋଗୀ ନାଁରେ ଶୋଷଣ କରୁଥିବା ଘରୋଇ ନର୍ସିଂ ହୋମର ଅସଲ ମୁଖା ଖୋଲିଛି, ଯେତେବେଳେ ପୀଡ଼ିତ ପରିବାର ଥାନାର ଦ୍ୱାରସ୍ତ ହୋଇଛନ୍ତି ।

କଟକ ଅନ୍ନପୂର୍ଣ୍ଣା ନର୍ସିଂ ହୋମରେ ଯେଉଁ ଘଟଣା ଘଟିଛି, ତାହା କେବଳ ଚିକିତ୍ସା ସେବା ଉପରେ ପ୍ରଶ୍ନ ଉଠାଇନାହିଁ, ବରଂ ଘରୋଇ ହସ୍ପିଟାଲ ଗୁଡ଼ିକର ବିଶ୍ୱସନୀୟତାକୁ ନେଇ ପ୍ରଶ୍ନ ଉଠିଛି । ଅଭିଯୋଗ ଅନୁସାରେ-ଝାଡ଼ଖଣ୍ଡର ଗୌରି କରୁଆ ନାମକ ଜଣେ ରୋଗୀଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଆଉ ଏଠି ଚିକିତ୍ସା କରୁଥିବା ଜଣେ ଦଲାଲ୍ ଆସି, ତାଙ୍କୁ ଅନ୍ନପୂର୍ଣ୍ଣା ନର୍ସିଂକୁ ନେଇଯିବା ପାଇଁ ପ୍ରବର୍ତାଇଥିଲେ । ହସ୍ପିଟାଲ ମୃତ ଘୋଷଣା କରିବା ପୂର୍ବରୁ ରୋଗୀଙ୍କୁ ନେଇ ୧୨ ଘଂଟା ଧରି ଏହି ନର୍ସିଂ ହୋମରେ ଚିକିତ୍ସା କରାଯାଇଥିଲା ।

ନର୍ସିଂ ହୋମରେ ଚିକିତ୍ସା ଖର୍ଚ୍ଚ ବାବଦରେ ୮୦ ହଜାର ଟଙ୍କା ମଧ୍ୟ ମଗାଯାଇଥିଲା । ହେଲେ ପରିବାର ଲୋକ ଯେତେବେଳେ ଜାଣିଲେ ରୋଗୀଙ୍କ ମୃତ୍ୟୁ ହୋଇସାରିଛି, ମୃତଦେହ ନେବା ପାଇଁ  ଦାବି କରିଥିଲେ । କିନ୍ତୁ ହସ୍ପିଟାଲ କର୍ମଚାରୀ ଟଙ୍କା ନଦେଲେ ରୋଗୀଙ୍କୁ ଛାଡ଼ିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଆଉ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ ।

ଘଟଣା ସାମ୍ନାକୁ ଆସିବା ପରେ ପୁଲିସର ଚଢଉ କରି ନର୍ସିଂ ହୋମକୁ ସିଲ କରିଛି । ଘଟଣାରେ ନର୍ସିଂ ହୋମର ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଆଉ ଥାନାରେ ହାଜର ପାଇଁ ନସିଂହୋମ୍ ମାଲିକଙ୍କୁ ନୋଟିସ କରିଛି ପୋଲିସ । ଆଗକୁ କଟକରେ ନର୍ସିଂ ହୋମ ଗୁଡିକରେ ଏମିତି ସ୍ପେଶାଲ ଡ୍ରାଇଭ୍ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।