ମରିଗଲା ମାନବିକତା । ଅଟୋରେ ୯ ଘଣ୍ଟା ଧରି ପଡିରହିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ମରଶରୀର, କରୋନା ସନ୍ଦେହରେ ପାଖ ମାଡିଲେ ନାହିଁ ପଡ଼ୋଶୀ । ଘଂଟା ଘଂଟା ଧରି ସ୍ୱାମୀଙ୍କ ଶବକୁ ଏକା ଜଗି ରହିଲେ ସ୍ତ୍ରୀ ।

687

କନକ ବ୍ୟୁରୋ : ଅଟୋରେ ୯ ଘଂଟା ଧରି ପଡିରହିଲା ମରଶରୀର । ଗଂଜାମ ଜିଲ୍ଲା ଭଂଜନଗରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । କରୋନା ଆଶଙ୍କା କରି ଭୟରେ କେହି ଛୁଇଁଲେନି । ମୃତ ଶିକ୍ଷକଙ୍କ ମରଶରୀରକୁ ଅଟୋରୁ ଓହ୍ଲାଇ ଘର ବାରଣ୍ଡାକୁ ନେବାକୁ ପତ୍ନୀ କେତେ କାକୁତି ମିନତି କଲେ ବି କେହି ପାଖ ମାଡିଲେନି ।

ଯେଉଁ ଶିକ୍ଷକ ଦିନେ ସମସ୍ତଙ୍କ ପାଇଁ ପଥ ପ୍ରଦର୍ଶକ ସାଜିଥିଲେ, ଆଜି ସେ ସମସ୍ତଙ୍କ ପାଇଁ ଅଲୋଡା । ଯେଉଁ ସମ୍ପର୍କୀୟ ଓ ସାହିବାସିନ୍ଦା ସୁବିଧା ଅସୁବିଧାରେ ତାଙ୍କ ପରାମର୍ଶ ନେଉଥିଲେ, ଆଜି ପାଖ ମାଡିନଥିଲେ । ସବୁ ଦେଖି ଅଣଦେଖା କରିଦେଉଥିଲେ । ଯେଭଳି କେହି ଚିହ୍ନି ନାହାନ୍ତି, କେହି କେବେ ତାଙ୍କ ସହ କଥା ହୋଇନାହାନ୍ତି ।

ମରିଗଲା ମାନବିକତା, ଅଟୋରେ ୯ ଘଂଟା ପଡି ରହିଲା ଶବ । ଘଂଟାଏ କି ଦୁଇ ଘଂଟା ନୁହେଁ, ୯ ଘଂଟା ଧରି ଅଟୋରେ ପଡି ରହିଥିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ମୃତଦେହ । ଅଟୋ ଭିତରେ ମୃତ ସ୍ୱାମୀଙ୍କ ମରଶରୀର ପାଖରେ ବସି ରହିଥିଲେ ପତ୍ନୀ । କାନ୍ଦି କାନ୍ଦି ସମସ୍ତଙ୍କୁ ନେହୁରା ହେଉଥିଲେ ମୃତ ଦେହକୁ ଘରକୁ ନେଇଯିବାକୁ । ହେଲେ କରୋନା ମହାମାରୀର ଭୟ ଏମିତି ଘାରିଥିଲା ଯେ, ଶବକୁ କାନ୍ଧ ଦେବା ତ ଦୂରର କଥା, ଅଟୋରୁ ମରଶରୀରକୁ ଓହ୍ଲାଇ ବାରଣ୍ଡାକୁ ନେବାକୁ କେହି ଆସିନଥିଲେ । ୯ ଘଂଟାର ଅପେକ୍ଷା ପରେ ପୁଅ ଓ ଜ୍ୱାଇଁ ପହଞ୍ଚିଥିଲେ । ଏହାପରେ ଶବ ଓହ୍ଲାଇଥିଲା ଅଟୋରୁ ।

ଗଂଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ୍ ପଂଚଭୂତି ଗୌଡ ସାହିର ଅବସରପ୍ରାପ୍ତ ଶିକ୍ଷକ ଗଣେଶ ଶତପଥୀଙ୍କୁ ୪ ଦିନ ହେଲା ଜର ହେଉଥିଲା । ହସ୍ପିଟାଲ ନେବା ବେଳେ ରାସ୍ତାରେ ହିଁ ସେ ପ୍ରାଣ ହରାଇଥିଲେ । ପରେ ସେହି ଅଟୋରେ ହିଁ ଘରକୁ ଫେରିଥିଲା ମରଶରୀର । ହେଲେ କରୋନା ଭୟରେ କେହି ଛୁଇଁନଥିଲେ । ଶେଷରେ ସରପଂଚଙ୍କ ସ୍ୱାମୀଙ୍କ ସହାୟତାରେ ଶବକୁ ଉଠାଯାଇଥିଲା । ପୁଅ ଓ ଜ୍ୱାଇଁଙ୍କ ସହ ଗାଁର ୪ ଜଣ ଯୁବକ ପିପିଇ କିଟ୍ ପିନ୍ଧି ଶବ ନେଇ ସଂସ୍କାର କରିଥିଲେ ।