ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା, କାରଣ ଅସ୍ପଷ୍ଟ ।

801

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି । ଘଟଣା ଘଟିଛି ଚେଡେଙ୍ଗା ପଞ୍ଚାୟତର କଉଡିଗୁଡା ଗ୍ରାମରେ । ଏହି ଗ୍ରାମରେ ବାସ କରୁଥିବା ହରି କାଉଡି ଓ ତାଙ୍କ ପତ୍ନୀ ମୋତି କାଉଡିଙ୍କର ଏକ ଛୋଟ ପରିବାର । ଏହି ଦମ୍ପତିଙ୍କର ଗୋଟିଏ ଚାରି ବର୍ଷର ଝିଅ ରଜନୀ କାଉଡି । ତେବେ ପ୍ରତିଦିନ ଭଳି ଗତକାଲି ମଧ୍ୟ ଏହି ପରିବାରର ସମସ୍ତ ସଦସ୍ୟା ରାତ୍ରୀ ଭୋଜନ କରିବା ପରେ ଶୋଇ ପଡିଥିଲେ । କିନ୍ତୁ ସକାଳ ହେବା ମାତ୍ରେ ପରିବାର ଲୋକେ ମୋତି ଏବଂ ତାଙ୍କ ଝିଅ ରଜନୀକୁ ପାଇନଥିଲେ । ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ମିଳିନଥିଲା ।

ତେବେ ସ୍ଥାନୀୟ ଲୋକେ ଏକ ପରିତ୍ୟକ୍ତ କୂଅକୁ ଯାଇ ଦେଖିଲା ବେଳକୁ ମା’ ଓ ଝିଅଙ୍କର ମୃତଦେହ ଭାସୁଥିଲା । ତୁରନ୍ତ ପରିବାର ଲୋକେ ମାଥିଲି ଥାନାରେ ଖବର ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏଥିସହ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ମା’ ଏବଂ ଝିଅଙ୍କୁୁ କୂଅରୁ ଉଦ୍ଧାର କରିଥିଲେ । କିନ୍ତୁ ସେତେବେଳକୁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘରେ ପାରିବାରିକ ଗଣ୍ଡଗୋଳ ନଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ।

ଦାରିଦ୍ର୍ୟର ତାଡନା ଯୋଗୁଁ ମା’ ଓ ଝିଅ ଦୁହେଁ ଆତ୍ମହତ୍ୟା କରିଛନ୍ତି କି ବୋଲି ଏଠାରେ ପ୍ରଶ୍ନ ଉଠେ । ତଦନ୍ତ ପରେ ହିଁ ସ୍ପଷ୍ଟ ଚିତ୍ର କହିହେବ ବୋଲି ଆଇଆଇସି ରଘୁନାଥ ମାଝି ପ୍ରକାଶ କରିଛନ୍ତି । ଦୁହିଁକୁ କେହି ହତ୍ୟା ପରେ କୂଆରେ ଫିଙ୍ଗି ଦେଇଛି କି ବୋଲି ମଧ୍ୟ ସାଧାରଣରେ ସଂଦେହ କରାଯାଉଛି । ପୁଲିସ ସବୁ ଦିଗକୁ ତର୍ଜମା କରୁଥିବା କହିଛି । ଏଭଳି ସ୍ପର୍ଶକାତର ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳରେ ଜନସମାଗମ ହୋଇଯାଇଥିଲା । ଖବର ପାଇ ତହସିଲଦାର ପୁରୁଷତ୍ତମ ମିର୍ଦ୍ଧା, ଆଇଆଇସି ରଘୁନାଥ ମାଝି, ଏସ୍ଆ‌ଇ ଶିବ ପ୍ରସାଦ ଭଦ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଘଟଣା ପରେ ଏହି ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।