୧୬ ବର୍ଷ ପରେ ମିଳିଲା ଯବାନଙ୍କ ମୃତଦେହ, ୨୦୦୫ରେ ହୋଇଥିଲେ ନିଖୋଜ

304
କନକ ବ୍ୟୁରୋ: ଦୀର୍ଘ ୧୬ ବର୍ଷ ପରେ ମିଳିଲା ଗାଜିଆବାଦର ସହିଦଙ୍କ ମୃତଦେହ । ୨୦୦୫ରେ ଯବାନଙ୍କ ଏକ ପର୍ବତାରୋହୀ ଦଳ ହିମାଳୟ ପର୍ବତମାଳାର ମଧ୍ୟଭାଗରେ ଥିବା ସନ୍ତୋପଥ ଶିଖରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରି ଫେରୁଥିବା ବେଳେ ଘଟିଥିଲା ଦୁର୍ଘଟଣା । ଶତାଧିକ ଫୁଟ ତଳକୁ ଖସିପଡିଥିଲେ ୪ଜଣ ଯବାନ  । ସେଥିରୁ ୩ଜଣ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଯବାନ ଅମରିଶ ତ୍ୟାଗୀଙ୍କ ମୃତଦେହ ମିଳିନଥିଲା । ସେବେଠୁ ତାଙ୍କ ବାଟ ଚାହିଁ ରହିଥିଲେ ପରିବାର ଲୋକେ । ପୁଅକୁ ଟିକେ ଦେଖିବେ ବୋଲି ବାଟ ଚାହିଁ ରହିଥିଲେ ବାପା ମା’  ।ହେଲେ ପୁଅ ଆଉ ଫେରିଲା ନାହିଁ । ପୁଅକୁ ଝୁରିଝୁରି ବାପା, ମା’ ବି ଆରପାରିକୁ ଚାଲିଗଲେ ପଛେ ପୁଅର ଗୋଟିଏ ଝଲକ ମାତ୍ର ଦେଖିପାରିଲେ ନାହିଁ ।

 ଏବେ ଦୀର୍ଘ ୧୬ ବର୍ଷ ପରେ ସହିଦ ଅମରିଶଙ୍କ ମୃତଦେହ ମିଳିବା ପରେ ପରିବାରର ଅନ୍ୟ ସଦସ୍ୟଙ୍କ କ୍ଷତ ପୁଣିଥିରେ ଯନ୍ତ୍ରଣାଦାୟକ ହୋଇଛି । ଯବାନଙ୍କ ପୋଷାକ, ନାଁ ପ୍ଲେଟ୍, ଓ ମୃତଦେହ ମଧ୍ୟ ଅନେକାଂରେ ସୁରକ୍ଷିତ ରହିଛି । ତେଣୁ ତାଙ୍କୁ ଚିହ୍ନିବାକୁ ଅନ୍ୟ ଯବାନ ଓ ପରିବାର ଲୋକଙ୍କୁ ବିଶେଷ ସମସ୍ୟା ହୋଇନଥିଲା । ଦୁଇ ଦିନ ପରେ ତାଙ୍କ ଗାଁରେ ଯବାନଙ୍କର ଅନ୍ତିମ ସଂସ୍କାର କରାଯିବ । ଅମରିଶ ତ୍ୟାଗୀ ଗାଜିଆବାଦ ହିସାଲି ଗାଁର ବାସିନ୍ଦା ।

ସୂଚନା ମୁତାବକ, ସ୍ୱର୍ଣ୍ଣ ବିଜୟ ବାର୍ଷିକି ଅବସରରେ ଭାରତୀୟ ସେନାର ୨୫ ଜଣ ସଦସ୍ୟଙ୍କ ଏକ ଦଳ ସେପ୍ଟେମ୍ବର ୧୨ ରେ ହିମାଳୟର ଉତ୍ତରକାଶୀ ପଟ ସାଟୋପାନ୍ଥ ଶିଖରକୁ ଯାଉଥିବାବେଳେ ଅମରିଶଙ୍କ ମୃତଦେହକୁ ପାଇଥିଲେ ।  ଏହି ଶିଖର ହିମାଳୟ ପରିସର ମଝିରେ ଅଛି  ।ଏହା ଗାଙ୍ଗୋତ୍ରୀ ଜାତୀୟ ଉଦ୍ୟାନର ଦ୍ୱିତୀୟ ସର୍ବୋଚ୍ଚ ଶିଖର  ।ଏହାର ଉଚ୍ଚତା ପ୍ରାୟ ୭୦୭୫ ମିଟର  ।
୨୦୦୫ରେ ଯବାନ ଅମରିଶଙ୍କ ସହ ଏହି ଦୁର୍ଘଟଣା ଘଟିଥିବାବେଳେ ୨୦୦୬ରେ ଭାରତୀୟ ସେନା ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇ ତାଙ୍କ ପତ୍ନୀଙ୍କୁ ଆର୍ଥିକ ସହାୟତା ଦିଆଯାଇଥିଲା ।  ।ପୁଅକୁ ଅପେକ୍ଷା କରିକରି ଅମରେଶଙ୍କ ବାପା ରାଜକୁମାର ତ୍ୟାଗୀ ୧୦ ବର୍ଷ ତଳେ ଆରପାରିକୁ ଚାଲିଯାଇଥିବାବେଳେ ମା’ ବିଦ୍ୟାପତି ୪ ବର୍ଷ ତଳେ ଇହଧାମ ତ୍ୟାଗ କରିଛନ୍ତି ।