ସୁନ୍ଦରଗଡରୁ ଆସିଲା ପୂରା ରାଜ୍ୟକୁ ଲଜ୍ଜିତ କଲା ଭଳି ଖବର । ନିଖୋଜ ଥିବା ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗିଦେଲେ ଦୃବୁର୍ତ୍ତ ।

498

କନକ ବ୍ୟୁରୋ : ଜଙ୍ଗଲରେ ଜଘନ୍ୟକାଣ୍ଡ । ପୂରା ରାଜ୍ୟକୁ ଲଜ୍ଜିତ କରିବା ଭଳି ପୁଣି ଏକ ଘଟଣା ସାମ୍ନାକୁ ଆସିଛି । ସୁନ୍ଦରଗଡ ଗୋପାଳପୁର ଜଙ୍ଗଲରୁ ନାବାଳିକାଙ୍କୁ ଅଦ୍ଧନଗ୍ନ ମୃତଦେହ ମିଳିବା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନାବାଳିକା ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତ ୧୯ ତାରିଖ ସନ୍ଧ୍ୟାରୁ ନାବାଳିକା ଜଣକ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକ ପୋଲିସରେ ଅଭିଯୋଗ କରିଥିଲେ । କିନ୍ତୁ ୨ ଦିନ ମଧ୍ୟରେ ନାବାଳିକାଙ୍କର କୌଣସି ଖୋଜ ଖବର ପାଇନଥିଲା ପୋଲିସ । ତେବେ ଆଜି ଗୋପାଳପୁର ଜଙ୍ଗଲରେ ନାବାଳିକାଙ୍କ ମୃତଦେହ ପଡିଥିବା ଖବର ପାଇବା ପରେ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ନାବାଳିକା ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ । ତେବେ ଏହି ଘଟଣାରେ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ସୁନ୍ଦରଗଡ ଏସପି ।

ଏହାପୂର୍ବରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ଓ ଦିନକୁ ଦିନ ରାଜ୍ୟରେ ବଢିଚାଲିଥିବା ଦୁଷ୍କର୍ମ ଘଟଣାକୁ ନେଇ ବିଧାନସଭାରେ ହଟ୍ଟଗୋଳ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି । ଏହି ପ୍ରସଙ୍ଗରେ ସରକାରୀ ଦଳକୁ ଟାର୍ଗେଟ କରିବା ସହ ଗୃହ ଚଳାଇ ଦେଇନଥିଲେ ବିରୋଧୀ । ଯେଉଁଥିପାଇଁ ବାରମ୍ବାର ଗୃହକୁ ମୁଲତବୀ କରିବାକୁ ପଡିଥିଲା । ଏପରିକି ରାଜ୍ୟରେ ଶିଶୁ ନିଖୋଜ, ନାବାଳିକା ଦୁଷ୍କର୍ମ ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ନବୀନଙ୍କ ଇସ୍ତଫା ଦାବି କରି ଗୃହ ଚଳାଇ ଦେଇନଥିଲେ ବିରୋଧୀ । ଏହାପରେ ମଧ୍ୟ ଲଗାତାର ଭାବେ ନାବାଳିକା ଦୁଷ୍କର୍ମ ଭଳି ଘଟଣା ଦିନକୁ ଦିନ ବଢି ଚାଲିଛି । ଯାହା ପୂରା ରାଜ୍ୟ ପାଇଁ ଏକ ଲଜ୍ଜା ।