କୁଆଡେ ଗଲା ସରକାରଙ୍କ ମହାପ୍ରୟାଣ ଗାଡ଼ି : ବରଗଡ଼ରେ ସଫେଇ କର୍ମଚାରୀଙ୍କ ଟ୍ରଲିରେ ବୁହହେଲା ଶବ

32

କନକ ବ୍ୟୁରୋ : ପୁଣି ହଜିଗଲା ମାନବିକତା । ମୃତଦେହକୁ ବି ମିଳିଲାନାହିଁ ସମ୍ମାନ । ବୌଦ୍ଧ ଓ ବରଗଡ଼ରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଯାହାକି ବୟାନ କରୁଛି କିପରି ଆମମାନଙ୍କ ମଧ୍ୟରେ ହଜିଯାଇଛି ମଣିଷ ପଣିଆ! ଦୁଇ ଦିନ ତଳେ ବୌଦ୍ଧର ବଘିଆପଡା ଗାଁର ମେର ସାହୁ ନାମକ ମହିଳା ଅସୁସ୍ଥ ରହିବା ପରେ ପ୍ରାଣ ହରାଇଥିଲେ । କିନ୍ତୁ ଦୁଃଖର ବିଷୟ , ତାଙ୍କର ପୁଅ – ଝିଅ କେହି ଶବ ସତ୍କାର ପାଇଁ ଆସିଲେନାହିଁ । ଶେଷରେ ୨ ଦିନ ଅପେକ୍ଷା କରିବା ପରେ ମୃତା ମହିଳାଙ୍କ ପାଳିତ ନାତି କାନ୍ଧରେ ୫ କିଲେମିଟର ବୋହି ବୋହି ମଶାଣିରେ ଶବ ସତ୍କାର କରିଥିଲେ ।

ଗାଁ ଦାଣ୍ଡରେ ମହିଳାଙ୍କ ମୃତ ଦେହକୁ କାନ୍ଧରେ ବୋହି ନେବା ଦୃଶ୍ୟ ଥିଲା ଅତି ହୃଦୟ ବିଦାରକ । ଶବକୁ ୪ କାନ୍ଧ ଦେବାକୁ କେହି ଆଗେଇ ଆସିନଥିଲେ । ମହିଳାଙ୍କ ୪ ଡିସିମିଲ ଜମି ପାଇଁ ବିବାଦ ସୃଷ୍ଟି ହୋଇଥିବାରୁ ତାଙ୍କର ପୁଅ-ଝିଅ ଶବ ସକ୍ରାର ପାଇଁ ବି ଆସିନଥିଲେ । ସେପଟେ ଆଉ ଏକ ଦୁଃଖଦ ଚିତ୍ର ଆସିଛି ବରଗଡ଼ରୁ । ତିନି ଦିନ ତଳେ ବରଗଡ଼ ହସପିଟାଲରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିଲା । ଶବର କେହି ଦାବିଦାର ନଥିବାରୁ ପୋଷ୍ଟ ମର୍ଟମ ପରେ ମୁନିସିପାଲିଟିକୁ ହସ୍ତାନ୍ତର କରାଯାଇଥିଲା । ତେବେ ଶବକୁ ସମ୍ମାନ ଦେଇ ସତ୍କାର କରିବା ଦୂରର କଥା, ମୃତଦେହକୁ ସଫେଇ କର୍ମଚାରୀ ଟ୍ରଲିରେ ବୋହି ନେଇ ପୋତି ଦେଇଥିଲେ । ସହର ଭିତରେ ଟ୍ରଲିରେ ମୃତଦେହକୁ ପକାଇ ଟାଣି ଟାଣି ନିଆଯାଉଥିବା ଦୃଶ୍ୟ ଦେଖିୁଥିଲେ ସ୍ଥାନୀୟବାସିନ୍ଦା । ଯାହା ଅତି ଦୁଃଖଦାୟକ ଥିଲା । ସହରବାସିନ୍ଦା ପ୍ରଶ୍ନ କରୁଥିଲେ, କଣ ପାଇଁ ସରକାରଙ୍କ ମହାପ୍ରୟାଣ ଗାଡ଼ି?