ମହାମାରୀ ପାଇଁ ମନରୁ ଲିଭୁନି ସଂକ୍ରମଣ ଭୟ । ଆଗ ସାନିଟାଇଜ, ପରେ ସଂସ୍କାର । ଜୁଇକୁ ଯିବା ପୂର୍ବରୁ ଶବକୁ କରାଯାଉଛି ସାନିଟାଇଜ ସ୍ପ୍ରେ

1,068

କନକ ବ୍ୟୁରୋ: ମନରୁ ଲିଭୁନି ସଂକ୍ରମଣର ଡର । ଆଗ ସାନିଟାଇଜ ପରେ ସଂସ୍କାର । ଅହମ୍ମଦାବାଦରୁ ଆସିଥିବା ଏହି ଚିତ୍ର ହିଁ ବୟାନ କରୁଛି । କରୋନାରେ ମୃତ ବ୍ୟକ୍ତିଙ୍କ ଶବକୁ ପରିବାର ଲୋକଙ୍କୁ କରାଯାଉନି ହସ୍ତାନ୍ତର । ତେବେ କେମିତି କରାଯାଉଛି ସଂସ୍କାର । ଏହାକୁ ନେଇ ସମସ୍ତଙ୍କ ମନରେ ରହିଛି ବଡ ପ୍ରଶ୍ନ । ଆଉ ଏହାରି ଭିତରେ ଅହମ୍ମଦାବାଦରୁ ଆସିଛି କରୋନାରେ ଜଣେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ନିଆଯିବାର ଚିତ୍ର ।

ଅନ୍ତିମ ସଂସ୍କାର ପାଇଁ ଅହମ୍ମଦାବାଦର ଏଲିସବ୍ରିଜ କ୍ରିମେଟୋରିୟମକୁ ଆସିଛି କରୋନାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ଶବ । ଗାଡିରୁ ପ୍ରଥମେ ଶବକୁ ବାହାର କରାଯାଉଛି । କୋକେଇରେ ଅନ୍ତିମ ସଂସ୍କାର ପାଇଁ ନେବା ଆଗରୁ ପାଖରେ ସାନିଟାଇଜ ସ୍ପ୍ରେୟର ଧରିଥିବା ବ୍ୟକ୍ତି ଜଣଙ୍କ ଶବ ସହିତ କୋକେଇ, ଗାଡି ସବୁ କିଛିକୁ କରିଦେଉଛନ୍ତି ସାନିଟାଇଜ । ଯେପରି ସଂକ୍ରମଣର ଭୟ ରହିବନି । ଶବ ସହିତ ଆସିଥିବା ସମସ୍ତ ବ୍ୟକ୍ତି ହାତରେ ପିନ୍ଧିଛନ୍ତି ଗ୍ଲୋଭସ୍ । ଶବ ସହିତ ଆସିଥିବା କର୍ମଚାରୀ ବି ପିନ୍ଧିଛନ୍ତି ସ୍ୱାସ୍ଥ୍ୟ କିଟ୍ । ଏହା ପରେ ବି କରାଯାଉଛି ସାନିଟାଇଜ୍ ।

କେବଳ ଏତିକି ନୁହଁ ଶବକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବା ପରେ କ୍ରିମେଟୋରିୟମ ଭିତରେ ବି ପୁରା ଅଂଚଳକୁ କରାଯାଉଛି ସାନିଟାଇଜ୍ । ଯେପରି କୋଭିଡ୍ ୧୯ ଭୂତାଣୁ ବ୍ୟାପିବାର ଭୟ ନରହିବ । ଏବେ କରୋନାରେ ମୃତ୍ୟୁ ସଂଖ୍ୟା ଟିକେ ଅଧିକ ରହୁଥିବାରୁ ପ୍ରତିଦିନ କ୍ରିମେଟୋରିୟମକୁ ଦୈନିକ ପ୍ରାୟ ୧୫ରୁ ୨୦ଟି ଶବ ଆସୁଛି । ଆଉ ସେସବୁକୁ ସତର୍କତାର ସହ କରାଯାଉଛି ସତ୍କାର ।