କନକ ବ୍ୟୁରୋ: ଡାକ୍ତର ମୃତ ଘୋଷଣା କଲେ, ହେଲେ ୭ ଘଣ୍ଟା ପରେ ପୁଣି ଜୀବନ ଫେରିପାଇଲେ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତି । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ, ହେଲେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ମୁରଦାବାଦ ଅଞ୍ଚଳରେ । ସେଠାକାର ଜଣେ ବ୍ୟକ୍ତି ସଡକ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ, ଏହାପରେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ, ହେଲେ ଏହି ଘଟଣାର ୭ ଘଣ୍ଟା ପରେ ସେ ପୋଷ୍ଟମର୍ଟମ ହେବା ପୂର୍ବରୁ ଜୀବିତ ଥିବା ସୂଚନା ମିଳିଛି ।
ତେବେ ପୂରା ଘଟଣା ଥିଲା କିଛି ଏହିପରି...ଉତ୍ତରପ୍ରଦେଶର ମଝୋଲା ଥାନା ଅନ୍ତର୍ଗତ ଶ୍ରୀକେଶ ବିଳମ୍ବିତ ରାତିରେ କ୍ଷୀର ଆଣିବାକୁ ବାହାରକୁ ବାହାରିଥିଲେ । ଏହି ସମୟରେ ରାସ୍ତା ପାର୍ କରୁଥିବାବେଳେ ତାଙ୍କର ସଡକ ଦୁର୍ଘଟଣା ଘଟିଥିଲା । ଏହାପରେ ତାଙ୍କୁ ତାଙ୍କ ପରିବାର ଲୋକ ୩ଟି ହସ୍ପିଟାଲ ନେଇଥିଲେ । ହେଲେ କେଉଁଠି ବି ତାଙ୍କୁ ଚିକିତ୍ସା ସୁବିଧା ମିଳିପାରିନଥିଲା । ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଦେଇଥିଲେ । ଏହାପରେ ତାଙ୍କର ପୋଷ୍ଟମର୍ଟମ କରିବାକୁ ଶବକୁ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ଶବଗୃହରେ ରଖି ଦିଆଯାଇଥିଲା ।
ଶୁକ୍ରବାର ସକାଳୁ ପୋଲିସ ଉପସ୍ଥିତିରେ ଯେତେବେଳେ ଶବ ବ୍ୟବଚ୍ଛେଦ ହେବାକୁ ବାହାରିଥିଲା, ସେତେବେଳେ ଶ୍ରୀକେଶ ଜୀବିତ ଥିବା ଦେଖିବାକୁ ମିଳିଥିଲା । ଏହି ଖବର ପାଇଁ ତାଙ୍କ ପରିବାରରେ ମଧ୍ୟ ଖୁସିର ଲହରୀ ଖେଳିଯାଇଥିଲା । ପୋଷ୍ଟମର୍ଟମ କରିବାକୁ ଥିବା ଡାକ୍ତର ତାଙ୍କର ଚେକ୍ ଅପ୍ କରିବା ପରେ ସେ ଜୀବିତ ଥିବା ସୁନିଶ୍ଚିତ କରିଥିଲେ । ହେଲେ ଏହି ଘଟଣା କିନ୍ତୁ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି କରିଥିଲା ।
ଶ୍ରୀକେଶଙ୍କ ଭିଣେଇଙ୍କ କହିବା କଥା, ଗତକାଲି ରାତିରେ ଶ୍ରୀକେଶଙ୍କର ଦୁର୍ଘଟଣା ଘଟିଥିଲା । ହସ୍ପିଟାଲକୁ ହସ୍ପିଟାଲ ବୁଲିବା ପରେ ଶେଷରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସକାଳୁ ତାଙ୍କୁ ଖବର ମିଳିଲା ଯେ, ଶ୍ରୀକେଶ ଏବେ ଜୀବିତ ଅଛନ୍ତି, ତେବେ ଏହି ଘଟଣା ପରେ ସେ ଡାକ୍ତରଙ୍କ ଦାୟିତ୍ୱହୀନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପଟେ ଡାକ୍ତରଙ୍କ କହିବା କଥା, କିଛି କିଛି କେସରେ ଏପରି ଘଟଣା ଦେଖିବାକୁ ମିଳିଥାଏ । ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ଗଭୀର ଭାବେ ଆଘାତ ଲାଗିଥାଏ, ଏବଂ ତାଙ୍କୁ ମେଡିସିନ୍ ଦିଆଯାଇଥାଏ । ସେତେବେଳେ ବହୁ ସମୟ ପର୍ଯ୍ୟନ୍ତ ଶରୀରରେ କିଛି ଅନୁଭୂତ ହୋଇନଥାଏ । ଏପରି ସ୍ଥଳରେ ଗୋଟିଏ ଶରୀର ମୃତ କି ଜୀବିତ ଧାର୍ଯ୍ୟ କରିବା କଷ୍ଟକର ହୋଇପଡେ । ଯାହାକି ଶ୍ରୀକେଶଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି ।