କନକ ବ୍ୟୁରୋ : ଲଗାତାର ୭ଟି ବିଜୟ ସହ ଟିମ୍ ଇଣ୍ଡିଆ ବିଶ୍ୱକପର ସେମିଫାଇନାଲ ଟିକେଟ ହାତେଇଛି । ଆସନ୍ତାକାଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ ରୋହିତ ବାହିନୀ । ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଉଭୟ ଟିମ୍ ମୈଦାନକୁ ଓହ୍ଲାଇବେ । କାରଣ ଭାରତ ଏବେସୁଦ୍ଧା ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ସ୍ଥାନରେ ରହିଛି । ଏହାଛଡା ଚଳିତ ବିଶ୍ୱକପରେ ଉଭୟ ଟିମ୍ ଦମଦାର ପ୍ରଦର୍ଶନ କରୁଛନ୍ତି । ତେବେ ଏହି ହାଇଭୋଲଟେଜ ମ୍ୟାଚ୍ ପୂର୍ବରୁ ପୂର୍ବତନ ଦକ୍ଷିଣ ଆଫ୍ରିକା କ୍ରିକେଟର ତଥା ମିଷ୍ଟର ୩୬୦ ଏବି ଡିଭିଲିୟର୍ସ ବଡ ବୟାନ ଦେଇଛନ୍ତି । ଡିଭିଲିୟର୍ସ ନିଜର ପ୍ରିୟ ଟିମ୍ ବାଛିଛନ୍ତି । ଦକ୍ଷିଣ ଆଫ୍ରିକାକୁ ଡିଭିଲିୟର୍ସ ନିଜର ପ୍ରଥମ ପସନ୍ଦର ଦଳ ଭାବେ ବାଛିଛନ୍ତି । ଦକ୍ଷିଣ ଆଫ୍ରିକା ବିଶ୍ୱକପ ବିଜୟୀ ହେଉ ବୋଲି ଡିଭିଲିୟର୍ସ କହିଛନ୍ତି । ଏବେ ସୁଦ୍ଧା ବିଶ୍ୱକପ ଜିତିବାରେ ଦକ୍ଷିଣ ଆଫ୍ରିକା ସଫଳ ହୋଇନାହିଁ । କିନ୍ତୁ ଦକ୍ଷିଣ ଆଫ୍ରିକା ଯଦି ବିଶ୍ୱକପ ଟାଇଟଲ ରେସରେ ସାମିଲ ନହୁଏ ତେବେ ଭାରତକୁ ଚାମ୍ପିୟନ ଭାବେ ଦେଖିବାକୁ ଇଚ୍ଛା ଅଛି ବୋଲି କହିଛନ୍ତି ଡିଭିଲିୟର୍ସ ।

Advertisment

ଆଇସିସିର ସୋସିଆଲ ମିଡ଼ିଆ ଟିମକୁ ସାକ୍ଷାତକାର ଦେଇ ଡିଭିଲିୟର୍ସ କହିଛନ୍ତି, ଟିମ୍ ଇଣ୍ଡିଆ ମୋର ଦ୍ୱିତୀୟ ପ୍ରିୟ ଟିମ୍ । ଯଦି ଦକ୍ଷିଣ ଆଫ୍ରିକା ବିଶ୍ୱକପ ନ ଜିତୁଛି ତେବେ ଭାରତକୁ ଚାମ୍ପିୟନ ଭାବେ ଦେଖିବାକୁ ଚାହେଁ । କାରଣ ଭାରତ ପ୍ରତି କ୍ଷେତ୍ରରେ ପ୍ରଭାବୀ ପ୍ରଦର୍ଶନ କରୁଛି । ଟିମ୍ ଇଣ୍ଡିଆ ପୂରା ସ୍ଥିତିକୁ ଭଲ ଭାବେ ଜାଣିବା ସହ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳୁଥିବାରୁ ବେଶ ଲାଭରେ ରହିଛି । ଏହାସହ ଡିଭିଲିୟର୍ସ କହିଛନ୍ତି, ଏବେ ସୁଦ୍ଧା ବିଶ୍ୱକପର ପ୍ରତିଟି ସ୍ଥିତି ଭାରତ ପକ୍ଷରେ ରହିଛି । କିନ୍ତୁ କ୍ରିକେଟ ହେଉଛି ଅନିଶ୍ଚିତତାର ଖେଳ, ତେଣୁ କେତେବେଳେ ବି ଝଟକା ଲାଗିପାରେ ।

View this post on Instagram

A post shared by ICC (@icc)

ରବିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଇଡେନ ଗାର୍ଡେନରେ ଖେଳାଯିବ ଏହି ହାଇଭୋଲଟେଜ ମୁକାବିଲା । ବିରାଟଙ୍କ ଜନ୍ମଦିନରେ ବିରାଟ ବିଜୟ ପାଇଁ ଚାହିଁବ ରୋହିତ ବାହିନୀ । ବିରାଟଙ୍କ ଜନ୍ମଦିନ ପାଇଁ ବେଙ୍ଗଲ କ୍ରିକେଟ ବୋର୍ଡ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମକୁ ଆସୁଥିବା ଦର୍ଶକଙ୍କୁ ବିରାଟଙ୍କ ଫଟୋ ଥିବା ମୁଖା ଦିଆଯିବ । ଫଳରେ ପୂରା ଷ୍ଟାଡିୟମ ବିରାଟମୟ ହୋଇଯିବ । ଏହାବାଦ୍ ଇଡେନ ଗାର୍ଡେନରେ ସଚିନଙ୍କ ଦିନିକିଆ ଶତକ ରେକର୍ଡ କୋହଲି ଭାଙ୍ଗନ୍ତୁ ବୋଲି କ୍ରିକେଟପ୍ରେମୀ ଚାହୁଁଛନ୍ତି । ଜନ୍ମଦିନରେ କୋହଲି ଏହି ରେକର୍ଡ ଭାଙ୍ଗିବା ସହ ଟିମ୍ ଇଣ୍ଡିଆକୁ ବଡ ବିଜୟ ଭେଟି ଦେବେ ବୋଲି କ୍ରିକେଟପ୍ରେମୀ ଆଶା ବାନ୍ଧିଛନ୍ତି ।