କ୍ରିକେଟରୁ ସନ୍ନ୍ୟାସ ନେଲେ ଡିଭିଲିୟର୍ସ । ଆଉ ଦେଖିବାକୁ ମିଳିବନି ମିଷ୍ଟର ୩୬୦ ଡିଗ୍ରୀଙ୍କ ଅବିଶ୍ୱସନୀୟ ସଟ୍ ।

186

କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ । ପୂର୍ବରୁ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ଡିଭିଲିୟର୍ସ ଏବେ ପୂରା କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଯାହାଦ୍ୱାରା ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଡିଭିଲିୟର୍ସଙ୍କ ବ୍ୟାଟିଂ ଆଉ ଦେଖିବାକୁ ମିଳିବ ନାହିଁ । ଦୀର୍ଘ ବର୍ଷ ହେବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରୁ ଖେଳି ଆସୁଥିଲେ ଡିଭିଲିୟର୍ସ ।

କ୍ରିକେଟରୁ ସନ୍ନ୍ୟାସ ନେଉଥିବାର ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ଡିଭିଲିୟର୍ସ । ଟ୍ୱିଟ୍ କରି ଡିଭିଲିୟର୍ସ ଲେଖିଛନ୍ତି, ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା । କିନ୍ତୁ ଏବେ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଉଛି । ଯେତେବେଳେ ବଡ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଏହାର ପୂରା ଆନନ୍ଦ ଓ ବେଲଗାମ ଊତ୍ସାହ ସହ ଖେଳିଥିଲି । କିନ୍ତୁ ଏବେ ୩୭ ବର୍ଷରେ ପାଦ ଦେବା ପରେ ସେହି ଜୋଶ ଓ ଚଞ୍ଚଳତା ଆଉ ନାହିଁ । ଧନ୍ୟବାଦ ସମସ୍ତଙ୍କୁ ଏହି ଯାତ୍ରାରେ ଯୋଡି ହୋଇ ରହିଥିବାରୁ । ଏହି ପୋଷ୍ଟରେ ୩ଟି ଭାଷାରେ  ଧନ୍ୟବାଦ ଜଣାଇଛନ୍ତି ଡିଭିଲିୟର୍ସ । ଯେଉଁଥିରେ ହିନ୍ଦୀରେ ଧନ୍ୟବାଦ ଲେଖିଛନ୍ତି ଡିଭିଲିୟର୍ସ । କାରଣ ଭାରତରେ ମଧ୍ୟ ଡିଭିଳିୟର୍ସଙ୍କର କୋଟି କୋଟି ଫ୍ୟାନ୍ ରହିଛନ୍ତି । ଯେଉଁମାନେ ଡିଭିଲିୟର୍ସଙ୍କ ବ୍ୟାଟିଂ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି । କାରଣ ଡିଭିଲିୟର୍ସଙ୍କ ଷ୍ଟାଇଲିସ ବ୍ୟାଟିଂ ଶୈଳୀକୁ ଅନେକ ପସନ୍ଦ କରନ୍ତି । ପଡିଆର ଚତୁଃଦିଗରେ ସଟ୍ ଖେଳି ପାରୁଥିବା ଡିଭିଲିୟର୍ସଙ୍କୁ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଏ । ଥରେ କ୍ରିଜରେ ସେଟ୍ ହେବା ମାତ୍ରେ ଅବିଶ୍ୱସନୀୟ ସଟ୍ ଖେଳିଥାନ୍ତି ଏବିଡି । ଯେଉଁଥିପାଇଁ ବୋଲର ଡିଭିଲିୟର୍ସଙ୍କୁ ବୋଲିଂ କରିବାକୁ ବି ଭୟ କରିଥାନ୍ତି ।

୩୭ ବର୍ଷୀୟ ଡିଭିଲିୟର୍ସ ଆଇପିଏଲରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ଟି-୨୦ ଫର୍ମାଟରେ ଡିଭିଲିୟର୍ସ ବ୍ୟାଟିଂ ଅନେକଙ୍କୁ ପ୍ରଭାବିତ କରିଛି । ଡିଭିଲିୟର୍ସ ମୋଟ ୧୮୪ଟି ଆଇପିଏଲ ମ୍ୟାଚ୍ ଖେଳିଥିବା ବେଳେ ୫୧୬୨ ରନ୍ କରିଛନ୍ତି । ଯେଉଁଥିରେ ୪୦ଟି ଅର୍ଦ୍ଧଶତକ ରହିଛି । ଆଇପିଏଲ-୧୪ ପ୍ରଥମ ପର୍ଯ୍ୟାୟରେ ଡିଭିଲିୟର୍ସ ଧୂଆଁଧାର ବ୍ୟାଟିଂ କରିଥିଲେ, କିନ୍ତୁ ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ଡିଭିଲିୟର୍ସଙ୍କ ବ୍ୟାଟରୁ ସେଭଳି ରନ ବର୍ଷା ହୋଇନଥିଲା । ଯେଉଁଥିପାଇଁ ଡିଭିଲିୟର୍ସଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଆଗକୁ ଆଇପିଏଲରେ ମହାନିଲାମୀ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରି ଡିଭିଲିୟର୍ସ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ବାଙ୍ଗାଲୋର ବ୍ୟତୀତ ଡିଭିଲିୟର୍ସ ଆଇପିଏଲରେ ଦିଲ୍ଲୀ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି ।