କ୍ରିକେଟରୁ ସନ୍ନ୍ୟାସ ନେଲେ ‘ମିଷ୍ଟର ୩୬୦ ଡିଗ୍ରୀ’ ଡିଭିଲିୟର୍ସ । କହିଲେ, ମୁଁ ଏବେ ଅଧା ଭାରତୀୟ ହୋଇଗଲିଣି, ହିନ୍ଦୀରେ ଦେଲେ ଧନ୍ୟବାଦ ।

236

କନକ ବ୍ୟୁରୋ : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ବଡ ଝଟକା । କ୍ରିକେଟର ସବୁ ଫର୍ମାଟକୁ ଅଲବିଦା କରିଛନ୍ତି ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ । ପୂର୍ବରୁ ଅର୍ନ୍ତଜାତୀୟ କ୍ରିକେଟକୁ ବାଏ ବାଏ କରିଥିବା ଡିଭିଲିୟର୍ସ ଏବେ ସମସ୍ତ କ୍ରିକେଟ ଫର୍ମାଟରୁ ସନ୍ନ୍ୟାସ ନେଇଛନ୍ତି । ଆଉ ଏଭଳି ନିଷ୍ପତି କ୍ରିକେଟପ୍ରେମୀଙ୍କୁ ହତବାକ କରିଦେଇଛି । କାରଣ ଆଇପିଏଲ ଭଳି ଟୁର୍ଣ୍ଣାମେଣ୍ଟରେ ଡିଭିଲିୟର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଆଉ ଦେଖିବାକୁ ମିଳିବ ନାହିଁ । ଦୀର୍ଘ ବର୍ଷ ହେବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମରୁ ଖେଳି ଆସୁଥିଲେ ଡିଭିଲିୟର୍ସ । ୨୦୧୧ରୁ ଆରସିବି ପକ୍ଷରୁ ଖେଳି ଆସୁଛନ୍ତି ଡିଭିଲିୟର୍ସ । ଆଉ ଏବେ ଯାଏଁ ବାଙ୍ଗାଲୋର ପକ୍ଷରୁ ୧୧ଟି ଆଇପିଏଲ ସିଜିନ ଖେଳିଛନ୍ତି ଡିଭିଲିୟର୍ସ ।

କ୍ରିକେଟରୁ ସନ୍ନ୍ୟାସ ନେଉଥିବା ନେଇ ଟ୍ୱିଟରରେ ସୂଚନା ଦେଇଛନ୍ତି ଡିଭିଲିୟର୍ସ । ଟ୍ୱିଟ୍ କରି ଡିଭିଲିୟର୍ସ ଲେଖିଛନ୍ତି, ଏହା ଏକ ଅବିଶ୍ୱସନୀୟ ଯାତ୍ରା ଥିଲା । କିନ୍ତୁ ଏବେ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଉଛି । ଯେତେବେଳେ ବଡ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି ସେତେବେଳେ ଏହାର ପୂରା ଆନନ୍ଦ ଓ ବେଲଗାମ ଊତ୍ସାହ ସହ ଖେଳିଥିଲି । କିନ୍ତୁ ଏବେ ୩୭ ବର୍ଷରେ ପାଦ ଦେବା ପରେ ସେହି ଜୋଶ ଓ ଚଞ୍ଚଳତା ଆଉ ନାହିଁ । ଧନ୍ୟବାଦ ସମସ୍ତଙ୍କୁ ଏହି ଯାତ୍ରାରେ ଯୋଡି ହୋଇ ରହିଥିବାରୁ । ଏହି ପୋଷ୍ଟରେ ୩ଟି ଭାଷାରେ ଧନ୍ୟବାଦ ଜଣାଇଛନ୍ତି ଡିଭିଲିୟର୍ସ । ଯେଉଁଥିରେ ହିନ୍ଦୀରେ ଧନ୍ୟବାଦ ଲେଖିଛନ୍ତି ଡିଭିଲିୟର୍ସ । କାରଣ ଭାରତରେ ମଧ୍ୟ ଡିଭିଳିୟର୍ସଙ୍କର କୋଟି କୋଟି ଫ୍ୟାନ୍ ରହିଛନ୍ତି । ଯେଉଁମାନେ ଡିଭିଲିୟର୍ସଙ୍କ ବ୍ୟାଟିଂ ଦେଖିବାକୁ ଚାତକ ଭଳି ଚାହିଁ ରହିଥାନ୍ତି । କାରଣ ଡିଭିଲିୟର୍ସଙ୍କ ଷ୍ଟାଇଲିସ ବ୍ୟାଟିଂ ଶୈଳୀକୁ ଅନେକ ପସନ୍ଦ କରନ୍ତି । ପଡିଆର ଚତୁଃଦିଗରେ ସଟ୍ ଖେଳି ପାରୁଥିବା ଡିଭିଲିୟର୍ସଙ୍କୁ ମିଷ୍ଟର ୩୬୦ ଡିଗ୍ରୀ କୁହାଯାଏ । ଥରେ କ୍ରିଜରେ ସେଟ୍ ହେବା ମାତ୍ରେ ଅବିଶ୍ୱସନୀୟ ସଟ୍ ଖେଳିଥାନ୍ତି ଏବିଡି । ଯେଉଁଥିପାଇଁ ବୋଲର ଡିଭିଲିୟର୍ସଙ୍କୁ ବୋଲିଂ କରିବାକୁ ବି ଭୟ କରିଥାନ୍ତି ।

ଏହାସହ ଡିଭିଲିୟର୍ସ କହିଛନ୍ତି, ମୁଁ ଜୀବନସାରା ଆରସିବିର ହୋଇ ରହିବି । ଆରସିବି ସହ ଜଡିତ ପ୍ରତ୍ୟେକ ବ୍ୟକ୍ତି ମୋର ପରିବାର । ଜୀବନରେ ଅନେକ ଲୋକ ଆସନ୍ତି ଓ ଚାଲି ଯାଆନ୍ତି କିନ୍ତୁ ଆରସିବି ଟିମରେ ପ୍ରତ୍ୟେକଙ୍କ ମଧ୍ୟରେ ଯେଉଁ ବଣ୍ଡିଂ ରହିଛି ତାହା କେବେ ବି ଭାଙ୍ଗିବନି । ମୁଁ ଏବେ ଅଧା ଭାରତୀୟ ହୋଇଗଲିଣି ଏବଂ ଏଥିପାଇଁ ମୁଁ ଗର୍ବିତ । ଏହାସହ ଡିଭିଲିୟର୍ସ କହିଛନ୍ତି, ଆରସିବି ପକ୍ଷରୁ ୧୧ ବର୍ଷ ଖେଳିଛି । ଏହି ସମୟରେ ଅନେକ ଅନୁଭୂତି ରହିଛି । ଏଭଳି ନିଷ୍ପତ୍ତି ନେବାକୁ ଲମ୍ବା ସମୟ ନେଇଥିଲି ଏବଂ ନିଜ ପରିବାର ସହ ସମୟ ବିତାଇବାକୁ ଏଭଳି ନିଷ୍ପତ୍ତି ଭାବିଚିନ୍ତି ନେଇଛି ।

ଅନ୍ୟପଟେ ଆରସିବି ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି, ଏକ ଯୁଗର ଅନ୍ତ ଘଟିଲା । ଆପଣଙ୍କ ଭଳି କେହି ବି ନୁହଁନ୍ତି ଏବି ।ଆରସିବି ଆପଣଙ୍କୁ ବହୁତ ମିସ କରିବ । ଟିମ୍, ପ୍ରଂଶସକ ଓ କ୍ରିକେଟପ୍ରେମୀଙ୍କୁ ଯାହା ଦେଇଛନ୍ତି ସେଥିପାଇଁ ଧନ୍ୟବାଦ । ଲିଜେଣ୍ଡଙ୍କୁ ଅବସରକାଳୀନ ଶୁଭେଚ୍ଛା । ସେହିଭଳି ବିରାଟ କୋହଲି ଭାବୁକ କରିଦେବା ଭଳି ଟ୍ୱିଟ୍ କରିଛନ୍ତି । କୋହଲି ଟ୍ୱିଟ୍ କରି ଲେଖିଛନ୍ତି ଯେ, ପରିବାର ଓ ନିଜ ବାବଦରେ ଭାବିଚିନ୍ତି ଏଭଳି ନିଷ୍ପତ୍ତି ନେଇଥିବ ନିଶ୍ଚୟ । କିନ୍ତୁ ଏହା ମୋତେ ବହୁତ କଷ୍ଟ ଦେଇଛି । ଆଇ ଲଭ ୟୁ ଡିଭିଲିୟର୍ସ । ଆଉ ଏହାର ପ୍ରତି ଉତ୍ତରରେ ଡିଭିଲିୟର୍ସ କହିଛନ୍ତି ଲଭ ୟୁ ବ୍ରର୍ଦର ।

୩୭ ବର୍ଷୀୟ ଡିଭିଲିୟର୍ସ ଆଇପିଏଲରେ ମଧ୍ୟ ନିଜର ଛାପ ଛାଡିଛନ୍ତି । ଟି-୨୦ ଫର୍ମାଟରେ ଡିଭିଲିୟର୍ସ ବ୍ୟାଟିଂ ଅନେକଙ୍କୁ ପ୍ରଭାବିତ କରିଛି । ଡିଭିଲିୟର୍ସ ମୋଟ ୧୮୪ଟି ଆଇପିଏଲ ମ୍ୟାଚ୍ ଖେଳିଥିବା ବେଳେ ୫୧୬୨ ରନ୍ କରିଛନ୍ତି । ଯେଉଁଥିରେ ୪୦ଟି ଅର୍ଦ୍ଧଶତକ ରହିଛି । ଆଇପିଏଲ-୧୪ ପ୍ରଥମ ପର୍ଯ୍ୟାୟରେ ଡିଭିଲିୟର୍ସ ଧୂଆଁଧାର ବ୍ୟାଟିଂ କରିଥିଲେ, କିନ୍ତୁ ୟୁଏଇରେ ଖେଳାଯାଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ଡିଭିଲିୟର୍ସଙ୍କ ବ୍ୟାଟରୁ ସେଭଳି ରନ ବର୍ଷା ହୋଇନଥିଲା । ଯେଉଁଥିପାଇଁ ଡିଭିଲିୟର୍ସଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠିଥିଲା । ତେବେ ଆଗକୁ ଆଇପିଏଲରେ ମହାନିଲାମୀ ହେବାକୁ ଯାଉଥିବା ବେଳେ ଏହା ପୂର୍ବରୁ କ୍ରିକେଟରୁ ସନ୍ନ୍ୟାସ ନେବାକୁ ଘୋଷଣା କରି ଡିଭିଲିୟର୍ସ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ବାଙ୍ଗାଲୋର ବ୍ୟତୀତ ଡିଭିଲିୟର୍ସ ଆଇପିଏଲରେ ଦିଲ୍ଲୀ ପକ୍ଷରୁ ମଧ୍ୟ ପ୍ରତିନିଧିତ୍ୱ କରିଛନ୍ତି ।