ପାକିସ୍ତାନକୁ ବଡ ଇସାରା: ପିଓକେ ନେଇ ଭାରତର ନୂଆ ରଣନୀତି; ଆଜିଠୁ ଡିଡି ନେସନାଲରେ ଆସିବ ଗିଲଗିତ ବାଲଟିସ୍ତାନ, ମୁଜାଫରାବାଦର ପାଣିପାଗ ବୁଲେଟିନ

ନୂଆଦିଲ୍ଲୀ ବୁଝାଇଲା ପିଓକେ ଭାରତର ଅଭିନ୍ନ ଅଙ୍ଗ, ଅବୈଧ କବଜା କରିଛି ପାକିସ୍ତାନ

635

କନକ ବ୍ୟୁରୋ: ଆଜି ଠାରୁ ପାକିସ୍ତାନ ଅଧିକୃତ କାଶ୍ମୀରର ପାଣିପାଗ ପୂବ ର୍ାନୁମାନ ବୁଲେଟିନ ଜାରି କରିବ ଭାରତ । ଦୂରଦର୍ଶନ ନେସନାଲ, ଡିଡି ନ୍ୟୁଜ, ଅଲ ଇଣ୍ଡିଆ ରେଡିଓ ଏବଂ ଡିଡି କାଶ୍ମୀର ଚ୍ୟାନେଲ ଗୁଡିକ ପିଓକେ ପାଣିପାଗ ସଂପର୍କିତ ଖବର ଦୈନିକ ପ୍ରସାରଣ କରିବେ । ଏହାଦ୍ୱାର ପାକିସ୍ତାନ ପିଓକେକୁ ଅବୈଧ କବଜା କରିଥିବା ନେଇ ଶକ୍ତ ବାର୍ତା, ଦୈନିକ ଇସାଲାମବାଦକୁ ଦେବ ଭାରତ । ମଙ୍ଗଳବାର ଆଇଏମଡି ଜାରି କରିଥିବା ପାଣିପାଗ ବୁଲେଟିନରେ କାଶ୍ମୀର ସମେତ ଗିଲଗିତ ବାସଟିସ୍ତାନ, ମିରପୁର ଓ ମୁଜାଫରାବାଦର ପାଣିପାଗ ନେଇ ପୂର୍ବାନୁମାନ କରାଯାଇଥିଲା ।

ଏନେଇ ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଥିଲେ, ଗିଲଗିତ ବାଲଟିସ୍ତାନ ଓ ମୁଜାଫରାବାଦ ଭାରତର ଅଭିନ୍ନ ଅଙ୍ଗ ତେଣୁ ପାଣିପାଗ ବୁଲେଟିନ ଜାରି କରାଯାଇଛି । ମେ ମାସର ଆରମ୍ଭରେ ଭାରତ ସ୍ପଷ୍ଟ କରିଥିଲା ପିଓକେ ଭାରତର ଅଭିନ୍ନ ଅଙ୍ଗ, ଏହି ଅଂଚଳ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ । ଚଳିତ ସପ୍ତାହରେ ପାକିସ୍ତାନ ସୁପ୍ରିମକୋର୍ଟ ଗିଲଗିତ ବାଲଟିସ୍ତାନରେ ନିର୍ବାଚନ କରିବାକୁ ଘୋଷଣା କରିଥିଲେ । ଏହାର କଡା ବିରୋଧ କରିଥିଲା ଭାରତ ।