ଉଜୁଡା ସ୍ୱାସ୍ଥ୍ୟସେବାକୁ ସଜାଡିବା ପାଇଁ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ ! ରୋଗୀ ସେବା ଯୋଗାଇବା ପାଇଁ ଡିଏମଏଫ ପକ୍ଷରୁ ୭୨ ଡାକ୍ତରଙ୍କୁ ଚୁକ୍ତିଭିତିକ ନିଯୁକ୍ତି ଦେଲେ ଜିଲ୍ଲପାଳ

270

କନକ ବ୍ୟୁରୋ :ସାରା ଦେଶରେ ଦେଖାଦେଇଛି ଡାକ୍ତର ସମସ୍ୟା । ରାଜ୍ୟରେ ମଧ୍ୟ ସ୍ଥିତି ସମାନ । ଭୁବନେଶ୍ୱର ଠାରୁ ଆରମ୍ଭ କରି ଜିଲ୍ଲାର ଅପହଂଚ ଅଂଚଳରେ ସବୁ ଆଡେ ଡାକ୍ତର ଅଭାବରୁ ରୋଗୀ ସେବା ବାଧାପ୍ରାପ୍ତ ହେଉଛି । ସରକାରୀ ଡାକ୍ତରଖାନାରେ ରୋଗୀ ଘଂଟାଘଂଟା ଧରି ଧାଡିରେ ଠିଆ ହେବା ପରେ ବି ସେବା ନପାଇ ଫେରିବା ଖବର ଗଣମାଧ୍ୟମରେ ପ୍ରସାରଣ ହୋଇଛି । ଆଉ ଏହିଭଳି ସ୍ଥିତିରେ ଜିଲ୍ଲାରେ ସୁନ୍ଦରଗଡରେ ଭୁଶୁଡି ପଡିଥିବା ସ୍ୱାସ୍ଥ୍ୟସେବାକୁ ସଜାଡିବା ପାଇଁ ଅଂଟା ଭିଡିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ସୁନ୍ଦରଗଡରେ ୭୨ ଚୁକ୍ତି ଭିତିକ ଡାକ୍ତରଙ୍କୁ ନିଯୁକ୍ତି କରାଯାଇଛି ।

ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ
ଡାକ୍ତରଖାନା ବର୍ହି ବିଭାଗରେ ରୋଗୀଙ୍କ ଲମ୍ବା ଲାଇନ୍

ସକାଳ ୬ରୁ ୧୨ ଯାଏଁ ଧାଡିରେ ଠିଆ ହେଉଛନ୍ତି ରୋଗୀ

ଏ ହେଉଛି ଆମ ରାଜ୍ୟର ସ୍ୱାସ୍ଥ୍ୟ ସେବାର ନିଚ୍ଛକ ଚିତ୍ର । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ହି ବିଭାଗ ଆଗରେ ରୋଗୀଙ୍କ ଲମ୍ବା ଧାଡି । କିଏ ସକାଳ ୬ଟାରୁ ଠିଆ ହୋଇଛନ୍ତି ତ ଆଉ କିଏ ୮ ଟାରୁ । ହେଲେ ଡାକ୍ତର ଅଭାବ ଯୋଗୁଁ ଦିନ ୧୨ଟା ଯାଏଁ ଚିକିତ୍ସା ମିଳୁନଥିବା ଅଭିଯୋଗ ହେଉଛି । ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅବସ୍ଥା ଦେଖି ଆପଣମାନେ ଅନୁମାନ କରି ପାରୁଥିବେ ଜିଲ୍ଲାର ଅନ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କିଭଳି ମିଳୁଥିବ ଚିକିତ୍ସା । ପୁରା ଜିଲ୍ଲାରେ ଡାକ୍ତର ଅଭାବକୁ ମେଂଟାଇବା ପାଇଁ ପ୍ରୟାସ କରିଛନ୍ତି ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।

ସୁନ୍ଦରଗଡ଼ ସ୍ୱାସ୍ଥ୍ୟସେବାକୁ ସଜାଡିବାର ପ୍ରୟାସ
ସେବା ଯୋଗାଇବାକୁ ଜିଲ୍ଲପାଳଙ୍କ ଅଭିନବ ଉଦ୍ୟମ

ସୁନ୍ଦରଗଡ ଜିଲ୍ଲାରେ ଡାକ୍ତରଙ୍କ ଘୋର ଅଭାବ । ଜିଲ୍ଲାରେ ମୋଟ ୨୮୦ ଜଣ ଡକ୍ତରଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ୧୨୦ ଜଣ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗରେ ୬୩ଜଣ ଡାକ୍ତର ରହିବା କଥା ଅଛନ୍ତି ମାତ୍ର ୧୯ ଜଣ । ଜିଲ୍ଲାର ଉଜୁଡା ସ୍ୱାସ୍ଥ୍ୟସେବାକୁ ହୃଦୟଙ୍ଗମ ଡାକ୍ତର ପଦବୀ ପୂରଣ ପାଇଁ ପ୍ରୟାସ କରିଛନ୍ତି ଜିଲ୍ଲପାଳ ନିଖିଲ ପବନ କଲ୍ୟାଣ । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ଅର୍ଥାତ୍ ଡିଏମଏଫ ପକ୍ଷରୁ ଖାଲିଥିବା ୧୬୦ଟି ଡାକ୍ତର ପଦବୀରୁ ୭୨ଟି ପଦବୀରେ ଚୁକ୍ତି ଭିତିକ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି ।

ଚୁକ୍ତି ଭିତିକ ଡାକ୍ତର ନିଯକ୍ତି ପାଇଁ ଆବେଦନ ଆହ୍ୱନ କରିଥିଲା ଜିଲ୍ଲା ପ୍ରଶାସନ । ଏହିକ୍ରମରେ ୭୨ ଜଣ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ଜିଲ୍ଲାପାଳ । ନଶ୍ଚେତକ ବିଭାଗରେ ୫ଜଣ , ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ୧୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି । ସେହିଭଳି ଭେଷଜ ବିଶେଷଜ୍ଞ ଭାବେ ୨ ଜଣ, ଶିଶୁ ରୋଗ ବିଶେଷଜ୍ଞରେ ୪ ଜଣ, ସର୍ଜରୀରେ ଜଣେ, ୨୫ ଜଣ ଏମ୍ବିବିଏସ୍ ଓ ୨୫ ଜଣ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତ କରାଯାଇଛି । ଏମାନେ ସୁନ୍ଦରଗଡ, ରାଉରକେଲା , ରାଜଗାଙ୍ଗପୁର , ବଣାଇ, କୋଇଡା, ବିଶ୍ରା, କୁତ୍ରା , ଲହୁଣିପଡା, ନୂଆଗାଁ, ଗୁରୁଣ୍ଡିଆ, ହେମଗିରି, ବାଲିଶଙ୍କରା ଓ ଲେଫ୍ରିପଡା ଭଳି ଅପହଂଚ ଇଲାକାରେ ସ୍ୱାସ୍ଥ୍ୟସେବା ଯୋଗାଇବେ ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜିଲ୍ଲାର ଯେଉଁ ଡାକ୍ତରମାନେ ରାଜ୍ୟ ବାହାରେ ଘରୋଇ ନର୍ସିଂହୋମରେ କାମ କରୁଥିଲେ ଏବଂ ସରାକରୀ ଚାକିରିରୁ ଅବସର ଗ୍ରହଣ କରି ଘରେ ବସିଥିବା ଡାକ୍ତରଙ୍କୁ ଏହି ଚୁକ୍ତିଭିତିକ ନିଯୁକ୍ତି ପ୍ରଦାନ କରାଯାଇଛି ।